କୋଲକାତା ୨୨/୦୩: ଆସିଲା ଆଇପିଏଲ୍ ଋତୁ । ଶନିବାରଠୁ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯିବ ୧୮ତମ ସଂସ୍କରଣର ଉଦ୍ଘାଟନୀ ମୁକାବିଲା । ଗତବର୍ଷର ଚାମ୍ପିଅନ କୋଲକାତା ନାଇଟ୍ ରାଇଡର୍ସ ଓ ସବୁଠୁ ଲୋକପ୍ରିୟ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହେବେ ସାମ୍ନା ସାମ୍ନି । ୨ସପ୍ତାହ ତଳେ ନୀଳ ଜର୍ସି ପିନ୍ଧି ଟିମ୍ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫିରେ ସମର୍ଥନ କରୁଥିବା ୧୪୦କୋଟି ଭାରତୀୟ ଆଗାମୀ ୨ମାସ ପର୍ଯ୍ୟନ୍ତ ନିଜ ନିଜ ଆଇପିଏଲ୍ ଦଳକୁ ନେଇ ଲଢ଼େଇ କରିବେ । ଏଣିକି ପର୍ପଲ ଆର୍ମୀ, ରୟାଲ୍, ୟେଲୋ, ଅରେଞ୍ଜ ଆର୍ମୀ... ଆଦି ନାମରେ ସମର୍ଥକମାନେ ଷ୍ଟାଡ଼ିୟମ୍ରେ କୋଳାହଳ କରିବେ । ମ୍ୟାଚ ପୂର୍ବରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକ ରଙ୍ଗା ରଙ୍ଗ ଉଦ୍ଘାଟନୀ ଉତ୍ସବର ଆୟୋଜନ କରାଯିବ । ଅଭିନେତ୍ରୀ ଶ୍ରଦ୍ଧା କାପୁର, ଦିଶା ପଟାନିଙ୍କ ସମେତ ବରୁଣ ଧାୱନଙ୍କ ଡ୍ୟାନ୍ସ ନମ୍ବର, ପ୍ଲେ ବ୍ୟାକ୍ ସିଙ୍ଗର ଶ୍ରେୟା ଘୋଷାଲ, ଅରିଜିତ ସିଂହ ଓ ପପ୍ ଗାୟକ କରଣ ଆହୁଜାଙ୍କ ହୃଦୟ ସ୍ପର୍ଶୀ ସଂଗୀତରେ ଇଡେନ ଗାର୍ଡେନ୍ସ କମ୍ପି ଉଠିବ ।
ଆଗାମୀ ୨ମାସ ପର୍ଯ୍ୟନ୍ତ ସମଗ୍ର ଭାରତରେ ଆଇପିଏଲ ଋତୁ ବଳବତ୍ତର ରହିବ । ଏଥର ୧୩ଟି ସହର ଆୟୋଜନ କରିବେ ମୋଟ୍ ୭୪ଟି ମ୍ୟାଚ୍ । ଉଦ୍ଘାଟନୀ ମ୍ୟାଚ୍ ଭଳି ଇଡେନ ଗାର୍ଡେନ୍ସ ଫାଇନାଲ୍ ମଧ୍ୟ ଆୟୋଜନ କରିବ । ୧୦ଟି ଦଳର ସ୍ଥାୟୀ ଘରୋଇ ଗ୍ରାଉଣ୍ଡ ରହିଛି । ଏହା ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ୨ଟି ଲେଖାଏଁ ଘରୋଇ ଗ୍ରାଉଣ୍ଡ ରଖିଛନ୍ତି । ପଞ୍ଜାବ କିଙ୍ଗ୍ସ ମୁଲନପୁର ଓ ଧର୍ମଶାଳା, ରାଜସ୍ଥାନ ରୟାଲ୍ସ ଜୟପୁର ଓ ଗୌହାଟୀ, ଦିଲ୍ଲୀ କ୍ୟାପିଟାଲ୍ସ ଦିଲ୍ଲୀ ଓ ବିଶାଖାପଟ୍ଟନମ୍କୁ ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବ ।
ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଫର୍ମାଟ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୧୦ଟି ଦଳକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇବେ । ଶ୍ରେଷ୍ଠ ୪ଟି ଦଳ ପ୍ଲେ-ଅଫକୁ ଯୋଗ୍ୟତା ଅର୍ଜନ କରିବେ । ମୋଟ୍ ୭୪ଟି ମ୍ୟାଚ୍ରୁ ୧୨ଟି ମ୍ୟାଚ୍ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ । ଅନ୍ୟ ସମସ୍ତ ମ୍ୟାଚ୍ ରାତି ୭.୩୦ରେ ଆରମ୍ଭ ହେବ ।
ଏଥର ୫ଟି ଦଳ ନୂଆ ଅଧିନାୟକଙ୍କ ସହ ଗ୍ରାଉଣ୍ଡକୁ ଓହ୍ଲାଇବେ । ପଞ୍ଜାବ କିଙ୍ଗ୍ସରେ ଶ୍ରେୟାସ ଆୟର, ଦିଲ୍ଲୀ କ୍ୟାପିଟାଲ୍ସରେ ଅକ୍ଷର ପଟେଲ, ଲକ୍ଷ୍ନୌ ସୁପରଜାଏଣ୍ଟ୍ସରେ ରିଷଭ ପନ୍ତ, କୋଲକାତା ନାଇଟ ରାଇଡର୍ସରେ ଅଜିଙ୍କ୍ୟ ରାହାଣେ ଓ ରୟାଲ ଚ୍ୟାଲେଞ୍ଜର୍ସରେ ରଜତ ପଟିଦାର ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି ।
ଏଥର ପରିବର୍ତ୍ତନ କରାଯାଇଥିବା କିଛି ନିୟମ ଆଇପିଏଲ୍ର ରୋମାଞ୍ଚକୁ ଦ୍ୱିଗୁଣା କରିବ । ମୁଖ୍ୟତଃ କୋଭିଡ୍-୧୯ ସମୟରେ ଲାଗୁ କରାଯାଇଥିବା ସାଲିଭା କଟକଣାକୁ ପ୍ରତ୍ୟାହାର କରାଯାଇଛି । ଫଳରେ ବୋଲରମାନେ ଏଣିକି ବଲ୍କୁ ଚିକ୍କଣ କରିବା ପାଇଁ ଲାଳ ବ୍ୟବହାର କରିପାରିବେ । ଯାହା ଫଳରେ ପୁରୁଣା ବଲ୍ ରିଭର୍ସ ସୁଇଂ କରିବ ଓ ବ୍ୟାଟରଙ୍କୁ ବାନ୍ଧିବାରେ ସହାୟତା କରିବ । ସେହିପରି ମନ୍ଥର ବୋଲିଂ ପାଇଁ ଏଣିକି ଅଧିନାୟକଙ୍କୁ ନିଲମ୍ବିତ କରାଯିବ ନାହିଁ ।