ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ପିକୋଲ ଘୁଘର ପର୍ଯ୍ୟଟନସ୍ଥଳୀ ଅବହେଳିତ, ବାଣୀପାହାଡ଼ରୁ ଘୁଘରକୁ ରାସ୍ତା ସଂଯୋଗ ଦାବି

ଝାରସୁଗୁଡ଼ା, ୦୩/୦୭ : ପର୍ଯ୍ୟାପ୍ତ ସୁଯୋଗ ଅଛି ମାତ୍ର ଅବହେଳା କାରଣରୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ହୋଇ ପାରୁନି । ଲଖନପୁର ବ୍ଲକ ମୁଖ୍ୟାଳୟ ପାଖରେ ଥିବା ପିକୋଲ ଘୁଘର ସେଥିମଧ୍ୟରୁ ଅନ୍ୟତମ । ରାଜପଥ କଡ଼ରେ ପିକୋଲ ଘୁଘର ପର୍ଯ୍ୟଟନସ୍ଥଳୀର ଏକ ସାଇନ୍‌ ବୋର୍ଡ ଲଗାଇ ଦେଇ ବିଭାଗ ନିଜ ଦାୟିତ୍ୱ ସାରି ଦେଇଛି । ଉକ୍ତ ସ୍ଥଳକୁ ଯାତାୟାତ ଲାଗି ଉପଯୁକ୍ତ ରାସ୍ତା ନିର୍ମାଣ ନ ହେବାରୁ ପର୍ଯ୍ୟଟକ ଯିବାକୁ ଅମଙ୍ଗ ହେଉଛନ୍ତି । ଝାରସୁଗୁଡ଼ା-ସୁନ୍ଦରଗଡ଼ ଜିଲ୍ଲା ସୀମାବର୍ତ୍ତୀ ଇଲାକାର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ନୂତନ ସମ୍ଭାବନା ସୃଷ୍ଟି କରିବ । ଜିଲ୍ଲାର ଲଖନପୁର ବ୍ଲକରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁଇଲିଘୁଘର, ରମ୍ପାଲୁଗା, ଗୁଜାପାହାଡ଼, ଉଲାପଗଡ଼ ଭଳି ବଣପାହାଡ଼ ଘେରରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଲଖନପୁର ବ୍ଲକ ସଦର ମହକୁମା ନିକଟସ୍ଥ ପିକୋଲ ଘୁଘର ମଧ୍ୟ ଏକ ପର୍ଯ୍ୟଟନ ସ୍ଥଳୀ । 

ଝାରସୁଗୁଡ଼ା ବାଇପାସରୁ ୪୯ ନମ୍ବର ଜାତୀୟ ରାଜପଥରେ ଛତିଶଗଡ଼ ପଟେ ୩୦ କିମି ଦୂରରେ ଥିବା ଲଖନପୁର ବେହେରାଗୁଡ଼ା ଛକରୁ ଡ଼ାହାଣ ପଟେ ଲଖନପୁର, ମାଉଲିବେର୍ଣ୍ଣା, ପିକୋଲ ଗାଁ ଦେଇ ୯ କିମି ଗଲେ ହେମଗିର ଓ ପିକୋଲ ଜଙ୍ଗଲ ମଝିରେ ରହିଛି ପିକୋଲ ଘୁଘର । ପିକୋଲ ଘୁଘରକୁ ଲାଗି ରହିଛି ଗଣ୍ଡା ଦରହ ଓ ଝାମ୍ପି ଦରହ । ଏହି ସ୍ଥାନର ଅତି ନିକଟରେ ରହିଛି ପ୍ରାଚୀନ ଶିଳାଲିପି ଥିବା ଐତିହାସିକ ସ୍ଥଳ ବିକ୍ରମ ଖୋଲ । ହେଲେ ଢୁଲଙ୍ଗି ଦରହରୁ ଉତ୍ପତ୍ତି ହୋଇଥିବା ଚିରସ୍ରୋତା ବାଘଡ଼ିଆ ନାଳା ପିକୋଲ ଘୁଘର ଦେଇ ବହୁଛି । ବଣଭୋଜି ପାଇଁ ଏକ ଉତ୍ତମ ସ୍ଥାନ । ପର୍ଯ୍ୟଟନ ବିଭାଗ ଏହି ସ୍ଥଳୀର ଆନୁସଙ୍ଗିକ ବିକାଶର କଥା ସମ୍ପୂର୍ଣ୍ଣ ଭୁଲି ଯାଇଛି । ପୂର୍ବରୁ ପିକୋଲ ଗାଁରୁ ଘୁଘର ପର୍ଯ୍ୟନ୍ତ ଯିବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବାଘଡ଼ିଆ ନାଳାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ପୋଲ ନିର୍ମାଣ ହୋଇଛି । ତେବେ ଉକ୍ତ ପୋଲରୁ ପିକୋଲ ଘୁଘର ପର୍ଯ୍ୟନ୍ତ ଥିବା ୨ କିମି ରାସ୍ତାଟି ଜଙ୍ଗଲ ରାସ୍ତା ହୋଇଥିବାରୁ ଯାତାୟାତ ପାଇଁ ଲୋକଙ୍କ ଅସୁବିଧା ହେଉଛି । 

ଏପରିକି ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଲଖନପୁର ଠାରୁ ପିକୋଲ ଘୁଘରକୁ ସିଧାସଳଖ ବସରେ ଯିବା ସମ୍ଭବ ହେଉନଥିବାରୁ ବୁଲାବୁଲି ଓ ବଣଭୋଜି ପାଇଁ ଏହି ସ୍ଥାନକୁ ଦୂରଦୂରାନ୍ତରୁ ଆସୁଥିବା ସ୍କୁଲ ପିଲା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ ମିଳିତ ଉଦ୍ୟମରେ ବାଣ୍ଡିପାହାଡ଼ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରୁ ପିକୋଲ ଘୁଘରକୁ ଏକ ନିତିଦିନିଆ ଓସାରିଆ ପିଚୁ ରାସ୍ତା ନିର୍ମାଣ କଲେ ଏହି ଅବହେଳିତ ସ୍ଥଳୀର ବିକାଶ ପାଇଁ ବାଟ ଫିଟିବ । ଏହା ସହିତ ଏହି ରାସ୍ତାକୁ ଉକ୍ତ ଅଞ୍ଚଳ ସୀମାରେ ଥିବା ମହାସିମନା ଦେଇ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକର ଢେକନାପାଏନ୍‌, ତିଲିଆ, ରାଏଚୁଆଁ, ରୁହୁନି ଓ ଆକେଲବିରା ଆଦି ଗାଁଗୁଡ଼ିକ ସହ ଯୋଡ଼ି ଦେଲେ ଲଖନପୁର ବ୍ଲକ ଓ ହେମଗିର ବ୍ଲକ ମଧ୍ୟରେ ସିଧାସଳଖ ସଂଯୋଗ ହୋଇ ପାରିବ । ସୀମାବର୍ତ୍ତୀ ଉଭୟ ବ୍ଲକ ଅଞ୍ଚଳ ମଧ୍ୟରେ ସାମାଜିକ, ସାଂସ୍କୃତିକ ଓ ବ୍ୟବସାୟିକ ସଂପର୍କ ସୁଦୃଢ଼ ହେବ ବୋଲି ଲୋକଙ୍କ ମତ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.