ନୂଆଦିଲ୍ଲୀ,୨୫/୦୬: ଚୀନ୍ ବାଟରେ ଭାରତ । ଦେଶରେ ଦ୍ରୁତ ବେଗରେ ବଢ଼ିଚାଲିଛି ବୟୋବୃଦ୍ଧଙ୍କ ଜନସଂଖ୍ୟା । ଜାତିସଂଘ ରିପୋର୍ଟ ଅନୁସାରେ, ୧୯୫୦ରେ ଭାରତରେ ମୋଟ ଜନସଂଖ୍ୟାର ୫% ରହିଥିଲେ ବରିଷ୍ଠ ନାଗରିକ । ୨୦୧୬ରେ ଏହା ବଢ଼ିଛି ପ୍ରାୟ ୧୦%କୁ । ଆଉ ଅନୁମାନ କରାଯାଉଛି ଯେ, ୨୦୫୦ରେ ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୯%କୁ ବୃଦ୍ଧି ପାଇବ । ଅର୍ଥାତ୍ ସେତେବେଳକୁ ପ୍ରତି ୫ ଭାରତୀୟଙ୍କ ମଧ୍ୟରେ ଜଣଙ୍କ ବୟସ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବ ।
ଚିନ୍ତାର ବିଷୟ ହେଉଛି ଭାରତରେ ନାଗରିକମାନେ ଅବସର ପରବର୍ତ୍ତୀ ବିତ୍ତୀୟ ସୁରକ୍ଷାକୁ ନେଇ ଯତ୍ନବାନ ନୁହନ୍ତି । ନିଜର ଆର୍ଥିକ ସ୍ଥିତିକୁ ବ୍ୟବସ୍ଥିତ କରିବା ପୂର୍ବରୁ ହିଁ ସେମାନେ ବୁଢ଼ା ହୋଇଯାଉଛନ୍ତି । ବାର୍ଦ୍ଧକ୍ୟ ଆଡ଼କୁ ଗତି କରୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁଁ ସରକାର ଜୋର୍ଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେମାନଙ୍କ ଆର୍ଥିକ ଏବଂ ସାମାଜିକ ସୁରକ୍ଷା ପାଇଁ ଏକ ମଜଭୁତ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ହୁଏତ ଆସନ୍ତା ବଜେଟ୍ରେ ଏ ଦିଗରେ କୌଣସି ବଡ଼ ଘୋଷଣା ଆସିପାରେ ।
ଏକ ସର୍ଭେ ଅନୁସାରେ, ପୂର୍ବବର୍ଷ ପ୍ରତି ୩ରେ ଜଣେ ବୃଦ୍ଧଙ୍କ ପାଖରେ ରୋଜଗାରର କୌଣସି ଉତ୍ସ ନ ଥିଲା । ୩୨% ବୟୋଜ୍ୟେଷ୍ଠ ତଥା ସେମାନଙ୍କ ସ୍ୱାମୀ ବା ସ୍ତ୍ରୀଙ୍କ ବାର୍ଷିକ ଆୟ ୫୦,୦୦୦ ଟଙ୍କାରୁ କମ୍ ଥିଲା । ମାତ୍ର ୨୯% ବୃଦ୍ଧଙ୍କ ପାଖରେ ସାମାଜିକ ସୁରକ୍ଷା ସ୍କିମ୍ ଥିଲା । ସୀମିତ ଆୟ, ସଞ୍ଚୟ ଓ ନିବେଶରେ ସେମାନେ ଆର୍ଥିକ ସୁରକ୍ଷିତ ନ ଥିଲେ । ମାତ୍ର ୩୧% ବରିଷ୍ଠ ନାଗରିକଙ୍କ ପାଖରେ ଥିଲା ସ୍ୱାସ୍ଥ୍ୟ ବୀମା। ଏଥିରୁ ଅଧିକାଂଶ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଇଏସ୍ଆଇ ଏବଂ ସିଜିଏଚ୍ଏସ୍ ମାଧ୍ୟମରେ ଜାରି ହୋଇଛି । ମାତ୍ର ୩% ବ୍ୟବସାୟିକ ସ୍ୱାସ୍ଥ୍ୟ ବୀମା ଥିଲା । ସ୍ୱାସ୍ଥ୍ୟ ବୀମା ନ ରହିବାର ମୁଖ୍ୟ କାରଣ ହେଉଛି ସଚେତନତା ଅଭାବ ଏବଂ ଅର୍ଥାଭାବ । ୧୨% ବରିଷ୍ଠ ନାଗରିକଙ୍କ ଅନୁସାରେ, ସେମାନେ ଏହାକୁ ଆବଶ୍ୟକ କରୁନାହାନ୍ତି ।
ଏଭଳି ସ୍ଥିତିରେ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟଗତ ତଥା ଆର୍ଥିକ, ସାମାଜିକ ଓ ଡିଜିଟାଲ ସହାୟତା ଯୋଗାଇ ଦେବା ପାଇଁ ସରକାର ନୀତିଗତ ପଦକ୍ଷେପ ଉପରେ ବିଚାର କରୁଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟ ଏବଂ ନୀତି ଆୟୋଗ ସମେତ ସମସ୍ତ ଅଂଶୀଦାର ମନ୍ତ୍ରାଳୟଗୁଡ଼ିକ ଏହା ଉପରେ ବ୍ୟାପକ ଚର୍ଚ୍ଚା ଆରମ୍ଭ କରିଦେଲେଣି । ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ମୁତାବକ, ଆସନ୍ତା ମାସ ଆଗତ ହେବାକୁ ଥିବା ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ରେ ‘ସିନିୟର କେୟାର’ ବା ବରିଷ୍ଠ ନାଗରିକଙ୍କ ଯତ୍ନ ପାଇଁ ସରକାର ଆକ୍ସନ ପ୍ଲାନ୍ ଉନ୍ମୋଚନ କରିପାରନ୍ତି ।
ଭାରତୀୟଙ୍କ ପରମାୟୁ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍ଓ) ୨୦୨୨ରେ ଏହାର ‘ଭିଜନ ୪୭’ ଡକ୍ୟୁମେଣ୍ଟରେ ପ୍ରକାଶ କରିଥିଲା ଯେ, ଭାରତ ଏହାର ନାଗରିକଙ୍କ ଅବସର ବୟସକୁ ବଢ଼ାଇପାରିବ । ଏକ ମଜଭୁତ ପେନ୍ସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ବରିଷ୍ଠ ନାଗରିକଙ୍କ ଜୀବନକୁ ସହଜ କରାଯାଇପାରିବ । ଆଗାମୀ ବଜେଟ୍ରେ ଏ ଦିଗରେ କିଛି ଘୋଷଣା ହୋଇପାରେ ବୋଲି ଅନୁମେୟ ।
ଜାତିସଂଘର ‘ଇଣ୍ଡିଆ ଏଜିଂ ରିପୋର୍ଟ-୨୦୨୩’ ଅନୁସାରେ ଭାରତରେ ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢୁଛି । ଶତାବ୍ଦୀ ମଧ୍ୟଭାଗ ସୁଦ୍ଧା ଏହା ଦେଶର ଶିଶୁ ଜନସଂଖ୍ୟାକୁ ପାର୍ କରିପାରେ । ରିପୋର୍ଟ ଅନୁସାରେ, ଶତାବ୍ଦୀ ଶେଷ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାର ୩୬%ରୁ ଅଧିକ ବୁଢ଼ା ହୋଇଥିବେ । ୨୦୧୦ରୁ ଭାରତରେ ବୃଦ୍ଧଙ୍କ ଜନସଂଖ୍ୟାରେ ବୃହତ୍ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ୧୫ ବର୍ଷରୁ କମ୍ ବୟସ୍କ ବର୍ଗଙ୍କ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ଯୁବଙ୍କ ସଂଖ୍ୟା ତୁଳନାରେ ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନିଜକୁ ଯୁବ ରାଷ୍ଟ୍ର ଭାବେ କହି ଗର୍ବ ଅନୁଭବ କରୁଥିବା ଭାରତ ପାଇଁ ଏହା ଚିନ୍ତାର ବିଷୟ ।
ରିପୋର୍ଟ ଅନୁସାରେ, ୨୦୧୧ରୁ ୨୦୨୧ ମଧ୍ୟରେ ଭାରତରେ ବୃଦ୍ଧଙ୍କ ଜନସଂଖ୍ୟାରେ ୩୬% ବୃଦ୍ଧି ଘଟିଛି । ସାଧାରଣ ଜନସଂଖ୍ୟା କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧିର ଏହା ୩ ଗୁଣା । ହେଲ୍ପଏଜ୍ ଇଣ୍ଡିଆ ରିପୋର୍ଟ ଅନୁସାରେ, ଫ୍ରାନ୍ସ ଭଳି ରାଷ୍ଟ୍ରରେ ବୃଦ୍ଧ ଜନସଂଖ୍ୟା ଦୁଇଗୁଣା ହେବା ପାଇଁ ୧୦୦ ବର୍ଷରୁ ଅଧିକ ସମୟ ଲାଗିଥିବାବେଳେ ଭାରତକୁ ମାତ୍ର ୨୦ ବର୍ଷ ସମୟ ଲାଗିବ ।
ପ୍ରମୁଖ ଅର୍ଥନୀତିଜ୍ଞ ତଥା ହାର୍ଭାର୍ଡ ଟିଏଚ୍ ଚାନ୍ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥର ଡେଭିଡ ବ୍ଲୁମ୍ କୁହନ୍ତି, ଭାରତର ବାର୍ଦ୍ଧକ୍ୟ ଜନସଂଖ୍ୟାକୁ ଏଡାଯାଇପାରିବ ନାହିଁ । ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ଏବେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ନାହିଁ । ଦେଶକୁ ଏଥିପାଇଁ ଅନେକ କିଛି କରିବାକୁ ପଡ଼ିବ । ବରିଷ୍ଠ ନାଗରିକଙ୍କ ଯତ୍ନ ଲାଗି ସ୍ୱତନ୍ତ୍ର ନୀତି ଆଣିବାକୁ ପଡ଼ିବ ।