ନୂଆଦିଲ୍ଲୀ ୨୬/୦୯: ରାଜସ୍ଥାନର ବିୱାର ଜିଲ୍ଲାର ମସୁଦା ଉପଖଣ୍ଡରେ ଅବସ୍ଥିତ ଗାଁ ଦେବମାଲୀ । କେନ୍ଦ୍ର ସରକାର ଏହାକୁ ଭାରତର ଶ୍ରେଷ୍ଠ ପର୍ଯ୍ୟଟନ ଗାଁର ମାନ୍ୟତା ପ୍ରଦାନ କରିଛନ୍ତି । ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ଦିଲ୍ଲୀଠାରେ ଏହି ସମ୍ମାନ ଗାଁକୁ ପ୍ରଦାନ କରାଯିବ । ଗାଁର ଆରାଧ୍ୟ ଦେବତା ପ୍ରଭୁ ଦେବନାରାୟଣଙ୍କ ନାମ ଅନୁସାରେ ଗାଁର ନାମକରଣ ହୋଇଛି । ପର୍ଯ୍ୟଟକଙ୍କ ମଧ୍ୟରେ ଲୋକପ୍ରିୟ ଓ ସ୍ଥାନୀୟ ସଂସ୍କୃତିର ସଂରକ୍ଷଣ ଭଳି ଆଧାରରେ ଶ୍ରେଷ୍ଠ ପର୍ଯ୍ୟଟନ ଗାଁ ସମ୍ମାନ ପ୍ରଦାନ କରାଯାଏ ।
ସମୃଦ୍ଧ ସଂସ୍କୃତି ଓ ସାମାଜିକ ଜୀବନର ନିଚ୍ଛକ ଉଦାହରଣ ପ୍ରଦାନ କରୁଥିବା ଦେବମାଲୀ ୩ ହଜାର ବିଘାରେ ବିସ୍ତୃତ । ଗାଁର ପୂରା ସମ୍ପତ୍ତି ଦେବନାରାୟଣଙ୍କର ବୋଲି ମାନ୍ୟତା ରହିଛି । ଅନେକ ପିଢ଼ି ଧରି ଏହି ଗାଁରେ ରହି ଆସୁଥିବା ବାସିନ୍ଦାଙ୍କ ପାଖରେ କୌଣସି ଜମି ମାଲିକାନା ଦସ୍ତାବିଜ ନାହିଁ । ସମଗ୍ର ଗାଁର ସମ୍ପତ୍ତି କେବଳ ପ୍ରଭୁ ଦେବନାରାୟଣଙ୍କର ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ ।
ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ, ଗାଁର କୌଣସି ଜାଗାକୁ ନିଜର ସ୍ଥାୟୀ ସମ୍ପତ୍ତି ଭାବେ ଜୀବନଶୈଳୀରେ ସାମିଲ ନ କରିବାକୁ ଗ୍ରାମବାସୀ ଭଗବାନ ଦେବନାରାୟଣଙ୍କ ପାଖରେ ସଂକଳ୍ପ କରିଥିଲେ । ପୂର୍ବପୁରୁଷମାନେ ଭଗବାନଙ୍କୁ ଦେଇଥିବା ଏହି ପ୍ରତିଶ୍ରୁତିକୁ ପିଢ଼ି ପରେ ପିଢ଼ି ଗାଁ ଲୋକେ ନିଷ୍ଠାର ସହ ପାଳନ କରୁଛନ୍ତି । ଦେବମାଲୀ ଗାଁରେ ଗୋଟିଏ ବି କଂକ୍ରିଟ ଘର ନାହିଁ । ସବୁ ଘର ମାଟି ଓ ଚାଳଛପରରେ ନିର୍ମିତ । ଗାଁରେ ଜଣେ ବି ବ୍ୟକ୍ତି ଆମିଷ ଖାଆନ୍ତି ନାହିଁ କିମ୍ବା ମଦ୍ୟପାନ କରନ୍ତି ନାହିଁ । କିରୋସିନ ଓ ନିମ୍ବ କାଠ ଜାଳିବା ଉପରେ ଗାଁରେ କଡ଼ା କଟକଣା ରହିଛି ।
ଗାଁର କୌଣସି ଘରେ ତାଲା ପଡ଼େ ନାହିଁ । ଏହା ଦେବମାଲୀ ବାସିନ୍ଦାଙ୍କ ଭାଇଚାରା ଓ ବିଶ୍ୱାସର ଜ୍ୱଳନ୍ତ ଉଦାହରଣ । ଦୀର୍ଘ ଦଶନ୍ଧି ଧରି ଗାଁରେ ଗୋଟିଏ ବି ଚୋରି ଘଟଣା ସାମ୍ନାକୁ ଆସିନାହିଁ । ଏହା ପରମ୍ପରା ପ୍ରତି ଗ୍ରାମବାସୀଙ୍କ ଅଙ୍ଗୀକାରବଦ୍ଧତାର ପ୍ରତିଫଳନ । ଗାଁର ମୁଖ୍ୟ ଆକର୍ଷଣ ହେଉଛି ପାହାଡ଼ ଶୀର୍ଷରେ ଅବସ୍ଥିତ ପ୍ରଭୁ ଦେବନାରାୟଣଙ୍କ ମନ୍ଦିର । ପ୍ରତି ବର୍ଷ ଏହା ହଜାର ହଜାର ଆଗନ୍ତୁକଙ୍କ ଧ୍ୟାନ ଆକର୍ଷଣ କରେ । ସରକାରୀ ଅଟ୍ଟାଳିକା ଓ ମନ୍ଦିର ହିଁ ଗାଁରେ ଅବସ୍ଥିତ ଏକମାତ୍ର ସ୍ଥାୟୀ ଢାଞ୍ଚା ।