ନୂଆଦିଲ୍ଲୀ, ୧୭ /୦୪: ଦେଶ ପାଇଁ ଗୌରବ ଆଣିଛନ୍ତି ଭାରତୀୟ ବଂଶୋଦ୍ଭବ ରେଶମା କେୱଲରାମାନି । 'ଟାଇମ୍ ମାଗାଜିନ୍' ରେଶମା କେୱଲରାମଣିଙ୍କୁ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ କରିଛି। ଏହି ତାଲିକାରେ ସାମିଲ ହେବାରେ ସେ ଏକମାତ୍ର ଭାରତୀୟ। ତାଲିକାରେ ମୋଟ ୧୬ ଜଣ ସିଇଓ ଅଛନ୍ତି ।
ତେବେ ରେଶମା କେୱଲରାମାନି ଆମେରିକୀୟ ବାୟୋଟେକ୍ନୋଲୋଜି କମ୍ପାନୀ 'ଭର୍ଟେକ୍ସ ଫାର୍ମାସ୍ୟୁଟିକାଲସ୍'ର ସିଇଓ। ରେଶମା କେୱଲରାମାନି ୨୦୧୮ ମସିହାରେ 'ମୁଖ୍ୟ ଚିକିତ୍ସା ଅଧିକାରୀ' ଭାବରେ ଭର୍ଟେକ୍ସରେ ଯୋଗ ଦେଇଥିଲେ। ମାତ୍ର ଦୁଇ ବର୍ଷ ପରେ, ୨୦୨୦ ମସିହାରେ, କମ୍ପାନୀ ତାଙ୍କୁ ସିଇଓ ଦାୟିତ୍ୱ ଦେଇଥିଲା। ରେଶମା ଆଉ ଏକ ବାୟୋଟେକ୍ କମ୍ପାନୀ ଜିଙ୍କଗୋର ବୋର୍ଡରେ ମଧ୍ୟ ଅଛନ୍ତି।
ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୧୧ ବର୍ଷ ବୟସରେ ଅର୍ଥାତ ୧୯୮୮ ମସିହାରେ ସେ ଆମେରିକା ଚାଲିଯାଇଥିଲେ। ରେଶମା ଆମେରିକାରେ ଚିକିତ୍ସା ଏବଂ ବୈଜ୍ଞାନିକ ଗବେଷଣାରେ ଏକ କ୍ୟାରିଅର ଗଢିଥିଲେ। ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ଚିକିତ୍ସା ବିଜ୍ଞାନ ପଢିବା ପରେ ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲରେ ଫେଲୋସିପ୍ କରିଥିଲେ। ୨୦୧୫ ମସିହାରେ, ରେଶମା ହାର୍ଭାର୍ଡ ବିଜନେସ୍ ସ୍କୁଲରୁ 'ସାଧାରଣ ପରିଚାଳନା'ରେ ଡିଗ୍ରୀ ହାସଲ କରିଥିଲେ।
ଟାଇମ ପତ୍ରିକା ଅନୁଯାୟୀ, ଭର୍ଟେକ୍ସ ୨୦୨୦ ମସିହାରେ ରେଶମାଙ୍କୁ କମ୍ପାନୀର ସିଇଓ ଭାବରେ ନିଯୁକ୍ତ କରିଥିଲା। ତାଙ୍କ ନେତୃତ୍ୱରେ କମ୍ପାନୀ ବଡ଼ ସଫଳତା ହାସଲ କରିଥିଲା। ପ୍ରଥମ ଥର ପାଇଁ, ଆମେରିକାର ଔଷଧ ଏଜେନ୍ସି (FDA)ଭର୍ଟେକ୍ସର CRISPR ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏକ ଚିକିତ୍ସାକୁ ଅନୁମୋଦନ କରିଥିଲା। ଯାହା 'ସିକଲ୍ ସେଲ୍' ନାମକ ଏକ ଗମ୍ଭୀର ରୋଗର ଚିକିତ୍ସା କରେ। ତେବେ ଟାଇମ୍ ଏହି ତାଲିକାରେ ୩୨ଟି ଦେଶର ଲୋକଙ୍କୁ ସାମିଲ କରିଛି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର, ମାର୍କ ଜୁକରବର୍ଗ, ଆଡଭାନ୍ସଡ୍ ମାଇକ୍ରୋ ଡିଭାଇସ୍ ସିଇଓ ଲିସା ସୁ, ନେଟଫ୍ଲିକ୍ସ ସିଇଓ ଟେଡ୍ ସାରାଣ୍ଡୋସଙ୍କ ନାମ ରହିଛି।