ନୂଆଦିଲ୍ଲୀ: ସୋସିଆଲ ମିଡିଆ ପିଲାଙ୍କ ପାଇଁ କେତେ ଜରୁରୀ ? ଏନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି । କିନ୍ତୁ ଛୋଟ ପିଲାଙ୍କ ପାଇଁ ଘାତକ ସାଜିବାରେ ଲାଗିଛି ସୋସିଆଲ ମିଡିଆ । ବ୍ରାଜିଲରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ଜଣେ ୧୧ ବର୍ଷର ଝିଅ ପରଫ୍ୟୁମ୍ ଯୋଗୁଁ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଛି । ଆଉ ଏଥିପାଇଁ ସୋସିଆଲ ମିଡିଆ ମଧ୍ୟ ଦାୟୀ । ଝିଅଟି 'Chroming' ନାମକ ଏକ ବିପଦପୂର୍ଣ୍ଣ TikTok ଚ୍ୟାଲେଞ୍ଜ ଗ୍ରହଣ କରିବା ପରେ ଜୀବନ ହରାଇଛି । ସେ ଜାଣି ନଥିଲା ଯେ, ତାର ଏହି ପଦକ୍ଷେପ ତାକୁ ମୃତ୍ୟୁମୁଖରେ ପକାଇପାରେ । ପର୍ନାମ୍ବୁକୋ ରାଜ୍ୟର ବୋମ୍ ଜାର୍ଡିମ୍ ନିବାସୀ ବ୍ରେଣ୍ଡା ସୋଫିଆ ମେଲୋ ଡି ସାଣ୍ଟାନା ଏରୋସୋଲ୍ ଡିଓଡୋରାଣ୍ଟ ଶୁଙ୍ଘିବା ପରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।
'କ୍ରୋମିଂ' ଚ୍ୟାଲେଞ୍ଜ ଗ୍ରହଣ କରିବା ପରେ ସୋଫିଆ ଡିଓଡୋରାଣ୍ଟ ଶୁଙ୍ଘିଥିଲା । ଫଳରେ ତାର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଏହା ପରେ ଝିଅଟିକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ୪୦ ମିନିଟ୍ ପରେ ମୃତ୍ୟୁବରଣ କରିଥିଲା ସୋଫିଆ । ଶରୀର ଭିତରେ ଏରୋସୋଲ ଡିଓଡୋରାଣ୍ଟ ପ୍ରବେଶ କରିବାକୁ ତାର ହୃଦଘାତ ହୋଇଥିଲା ବୋଲି ଡାକ୍ତର କହିଛନ୍ତି । ତେବେ ସୋଫିଆର ଦୁଃଖଦ ମୃତ୍ୟୁ ଆଜିର ପିଲାମାନଙ୍କ ସହ ସେମାନଙ୍କ ଅଭିଭାବକଙ୍କ ପାଇଁ ଏକ ଶିକ୍ଷା । ପିଲାଙ୍କୁ ମୋବାଇଲ୍ ଫୋନ୍ ଦେଇ ଅଚିନ୍ତାରେ ରହୁଥିବା ପିତାମାତାଙ୍କୁ ସଜାଗ ହେବା ଜରୁରି ।
କ୍ରୋମିଂ ଚ୍ୟାଲେଞ୍ଜ କ’ଣ ?
TikTok ରେ ଭାଇରାଲ ହୋଇଥିବା ଏହି ବିପଦପୂର୍ଣ୍ଣ ଚ୍ୟାଲେଞ୍ଜ ପିଲାମାନଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଏଥିରେ ପିଲାମାନେ ନିଶାଗ୍ରସ୍ତ ହେବା ପାଇଁ ଘରେ ରଖାଯାଇଥିବା ରଙ୍ଗ, ପେଟ୍ରୋଲ୍, ଡିଓଡୋରାଣ୍ଟ, ହେୟାର ସ୍ପ୍ରେ, ପରଫ୍ୟୁମ୍, ନେଲ୍ ପଲିସ୍ ରିମୁଭର ଇତ୍ୟାଦି ରାସାୟନିକ ପଦାର୍ଥକୁ ଶୁଙ୍ଘନ୍ତି । ବ୍ରେଣ୍ଡା ମଧ୍ୟ ସେହିପରି କରି ଜୀବନ ହରାଇଛି ।
କ୍ରୋମିଂର ପ୍ରଭାବ
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, କ୍ରୋମିଂ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଉପରେ ଖରାପ ପ୍ରଭାବ ପକାଏ । ଏହା ବାନ୍ତି, ମୁଣ୍ଡ ବୁଲାଇବା ଏବଂ ହୃଦଘାତ ଭଳି ସମସ୍ୟା ସୃଷ୍ଟି କରିପାରେ ।
କେବେଠୁ ଆରମ୍ଭ ?
ରିପୋର୍ଟ ଅନୁଯାୟୀ, ଏହି ଧାରା ପ୍ରଥମେ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ଅନ୍ୟ ସ୍ଥାନକୁ ଏହି ଟ୍ରେଣ୍ଡ ବ୍ୟାପିବାରେ ଲାଗିଛି।