ନୂଆଦିଲ୍ଲୀ, ୧୪।୩: ମଣିଷ ନିରନ୍ତର ପ୍ରକୃତିର ଶୋଷଣ କରିବାରେ ଲାଗିଛି । ମଣିଷ ତା’ର ସୁବିଧା ଅନୁସାରେ ଜିନିଷ ସୃଷ୍ଟି କରୁଛି । ଜିନିଷଗୁଡ଼ିକୁ ବ୍ୟବହାର କରିବା ପରେ, ଅଳିଆ ବୋଲି କହି ସେଗୁଡ଼ିକୁ ଫିଙ୍ଗି ଦିଅନ୍ତି । କିନ୍ତୁ, ଏହା ପ୍ରକୃତି ଉପରେ କି ପ୍ରଭାବ ପକାଉଛି, ସେନେଇ କେହି ବି ଚିନ୍ତା କରୁନାହାନ୍ତି । ଆମେ ଯେଉଁ ଜିନିଷକୁ ଅଳିଆ ଭାବରେ ଫିଙ୍ଗି ଦେଉଛୁ ତାହା କେଉଁଠିକୁ ଯାଉଛି, ତାହା ବିଷୟରେ ମଣିଷମାନେ ଚିନ୍ତା କରନ୍ତି ନାହିଁ । ଯାହା ଫଳରେ ବର୍ତ୍ତମାନ ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଭୂମଧ୍ୟସାଗରରେ ବିପୁଳ ପରିମାଣର ପ୍ଲାଷ୍ଟିକ ଆବର୍ଜନା ଜମା ହୋଇଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ ଅଳିଆ ସମୁଦ୍ରରେ ପକାଯାଉଛି । ୧୬ ହଜାର ୭୭୦ ଫୁଟ ଗଭୀର କାଲିପ୍ସୋ ଗଭୀରରେ ଆବର୍ଜନା ଜମା ହୋଇଛି । ତଳ ଭାଗରେ ମୋଟ୍ ୧୬୭ଟି ବସ୍ତୁ ମିଳିଥିଲା, ଯେଉଁଥିରେ ମୁଖ୍ୟତଃ ପ୍ଲାଷ୍ଟିକ ପାତ୍ର ଥିଲା । ତଳ ଭାଗରେ ୮୮ ପ୍ରତିଶତ ଅଳିଆ ପ୍ଲାଷ୍ଟିକ ରହିଛି ।
ବାର୍ସିଲୋନା ବିଶ୍ୱବିଦ୍ୟାଳୟର ଗବେଷକମାନେ କାଲିପ୍ସୋ ଗଭୀରରେ ପହଞ୍ଚିବା ପାଇଁ ପରୀକ୍ଷା କରିଥିଲେ । ତଳ ଭାଗରୁ ଟିକେ ଉପରକୁ ବ୍ୟାଗ ଭଳି କିଛି ପ୍ଲାଷ୍ଟିକ ଏବଂ ତଳ ଭାଗରେ ବହୁ ପରିମାଣରେ ପ୍ଲାଷ୍ଟିକ ପାଇଲେ । ଅଳିଆ ଆବର୍ଜନା ଯୋଗୁଁ ସାମୁଦ୍ରିକ ଜୀବ ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଏପରିକି ଅନେକ ପ୍ରଜାତି ବିଲୁପ୍ତ ହେବା ଦ୍ୱାରରେ । ସମୁଦ୍ରରେ ଅନେକ ଡେଡ୍ ଜୋନ ମଧ୍ୟ ସୃଷ୍ଟି ହୋଇଛି । ଡେଡ୍ ଜୋନ୍ ଅର୍ଥ ଏହି ସାମୁଦ୍ରିକ ଅଞ୍ଚଳରେ ଜୀବନର ସମ୍ଭାବନା ଶେଷ ହେଉଛି । ପରିବେଶ ସୁରକ୍ଷା ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୮ ରୁ ୧୨ମେଟ୍ରିକ ଟନ ପ୍ଲାଷ୍ଟିକ ସମୁଦ୍ରରେ ପକାଯାଏ । ବର୍ତ୍ତମାନ ବିଶ୍ୱର ସମୁଦ୍ର ପୃଷ୍ଠରେ ୧୫ ରୁ ୫୧ ଟ୍ରିଲିୟନ ପ୍ଲାଷ୍ଟିକ ଖଣ୍ଡ ଭାସୁଛି । ଏନେଇ ଚିନ୍ତା ପ୍ରକଟ କରି ବୈଜ୍ଞାନିକ କହିଛନ୍ତି, ଏହା ଉପରେ ରୋକ୍ ନ ଲାଗିଲେ ସମ୍ପୂର୍ଣ୍ଣ ଲୋପ ପାଇଯିବେ ସାମୁଦ୍ରିକ ଜୀବ ।