ବାଲିଆପାଳ,୨୯/୩: ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଇ ଦେବା ପାଇଁ ସରକାରଙ୍କ ଦ୍ୱାରା ପ୍ରତି ବ୍ଲକରେ ରନ୍ଧନ ଗ୍ୟାସ୍ ବିତରକ କେନ୍ଦ୍ରମାନ ଖୋଲାଯାଇଛି । ଏହି ପରିପ୍ରେକ୍ଷୀରେ ବାଲିଆପାଳ ବ୍ଲକର ଦେଉଳା ଠାରେ ଏଚପି ଗ୍ୟାସ୍ ବିତରକ କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରରୁ ଜନସାଧାରଣ ଘରୋଇ ସିଲିଣ୍ଡର ଓ ବ୍ୟବସାୟୀ ସିଲିଣ୍ଡର ସଂଯୋଗ ନେଇପାରିବେ । ସେହିପରି ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର ଠାରେ ଇଣ୍ଡିଆନ ଗ୍ୟାସ୍ ବିତରକ କେନ୍ଦ୍ର ରହିଛି । ଉକ୍ତ କେନ୍ଦ୍ର ପକ୍ଷରୁ ଏହି ବ୍ଲକର ଜନସାଧାରଣଙ୍କୁ ଗ୍ୟାସ୍ ଯୋଗାଇ ଦିଆଯାଉଛି । ଏପରିକି ବିତରକ କେନ୍ଦ୍ରର ଗୋଦାମ ଗୃହରେ ଗଛିତ ଥିବା ଗ୍ୟା୍ସ ସିଲିଣ୍ଡକୁ କେନ୍ଦ୍ର ପକ୍ଷରୁ ଗାଡ଼ି ମାଧ୍ୟମରେ ହିତାଧିକାରୀମାନଙ୍କୁ ତାଙ୍କ ଘର ନିକଟରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ।
କିନ୍ତୁ ବିତରକ କେନ୍ଦ୍ରକୁ ଛାଡ଼ିଦେଲେ ବାଲିଆପାଳ ବ୍ଲକର ଅନେକ ସ୍ଥାନରେ ଖୁଲମଖୋଲା ଭାବେ ଗ୍ୟାସ୍ ସିଲିଣ୍ଡର ବିକ୍ରି କରାଯାଉଥିବାର ଦେଖିବାକୁ ମିଳିଛି । ବାଲିଆପାଳ ବ୍ଲକର ସିମୁଳିଆ ହାଟ, ବାଲିଆପାଳ, କାଳିପଦା, ଲଙ୍ଗଳେଶ୍ୱର, ଜାମକୁଣ୍ଡା, ନୂଆଗାଁ, ଡଗରା ଆଦି ସ୍ଥାନରେ ଏହି ଗ୍ୟାସ୍ ସିଲିଣ୍ଡର ଗଛିତ ରଖାଯାଇ ବିକ୍ରି ହେଉଛି । ବିତରକ କେନ୍ଦ୍ରର ଗୋଦାମ ଗୃହ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଗ୍ୟାସ୍ ସିଲିଣ୍ଡିର ଗଚ୍ଛିତ ରଖାଯିବାର ସରକାରୀ ନିୟମ ନାହିଁ । ଯଦି ଯେଉଁ ସ୍ଥାନରେ ଉକ୍ତ ଗ୍ୟାସ୍ ସିଲିଣ୍ଡର ଗଚ୍ଛିତ ରଖାଯିବ, ସେହି ସ୍ଥାନ ଜନବସତି ଠାରୁ ଦୂରରେ ହୋଇଥିବା ଏହା ସହିତ ଉକ୍ତ ଗୃହକୁ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ମିଳିବାର ଆବଶ୍ୟକ ରହିଥିବ । କିନ୍ତୁ ବାଲିଆପାଳ ବ୍ଲକର ବିଭିନ୍ନ ବଜାର ଓ ଦୋକାନ ଗୃହରେ ଗ୍ୟାସ୍ ସିଲିଣ୍ଡର ଗଛିତ ରହୁଥିବା ବେଳେ ଉକ୍ତ ଦୋକାନୀ କୌଣସି ନିୟମକୁ ମାନୁ ନଥିବା ଜଣାଯାଇଛି ।
ଯଦି ଗ୍ୟାସ୍ ସିଲିଣ୍ଡରୁ ଗ୍ୟାସ ଲିକ୍ ହୋଇ କିଛି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟରେ ଦୋକାନୀମାନଙ୍କୁ ଗ୍ୟାସ୍ ବିତରକ କେନ୍ଦ୍ର ପକ୍ଷରୁ ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳୁଛି । ଏହି ଦୋକାନୀମାନେ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ଦୋକାନରେ ଗଚ୍ଛିତ ରଖୁଥିଲେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଦୋକାନୀମାନେ ଚଢା ଦରରେ ଗ୍ୟାସ୍ ବିକ୍ରି କରୁଥିବା ଦେଖାଯାଉଛି । ଖୋଲା ସ୍ଥାନରେ ଦୀର୍ଘ ଦିନ ଧରି ଖୁଲମଖୋଲା ଗ୍ୟାସ୍ ବିକ୍ରି ଚାଲୁଥିଲେ ମଧ୍ୟ ଯୋଗାଣ ବିଭାଗ କିପରି ଜାଣିପାରୁନାହିଁ ତାହା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ଏ ସମ୍ପକରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।