ଆଠଗଡ଼, ୨୨/୧୨: ଅଦିନିଆ ବର୍ଷା ଚାଷୀଙ୍କୁ ଦାଉ ସାଧୁଛି । ଆଠଗଡ଼ ବ୍ଲକ ସଠିଲୋ ଅଞ୍ଚଳର କ୍ଷେତରେ ଜମି ରହିଛି ପାଣି । ବିଲରେ ଧାନ କଟା ହୋଇ ପଡିଛି । କଟା ହୋଇଥିବା ଧାନ ବିଲ ପାଣିରେ ବୁଡି ରହିବା ଯୋଗୁଁ ଧାନ ଗୁଡିକ ଗଜା ହୋଇ ନଷ୍ଟ ହେବ ବୋଲି ଆଶଙ୍କା କରୁଛି ଚାଷୀ । କେବଳ ବିଲରେ ନୁହେଁ, କଟାଧାନ ସହ ବେଙ୍ଗେଳା ହୋଇଥିବା ଧାନ ଖଳାରେ ପଡି ରହିଛି । ଚାଷୀ ଧାନ କାଟିବା ବେଳକୁ ଦାଉ ସାଜିଲା ଅଦିନିଆ ବର୍ଷା ।
ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ଉପକୂଳ ସହ ଅଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଲାଗି ରହିଛି ଝିପିଝିପି ବର୍ଷା । ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧୁଛି । ଉଜାଡି ଦେଲାଣି ସୁନାର ଫସଲ । କ୍ଷେତରେ ଜମି ରହିଛି ପାଣି । ପନିପରିବା ଫସଲ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଛି ଅଦିନିଆ ବର୍ଷା । ଦୁଇ ଦିନ ହେଲା ବର୍ଷା ଜାରି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।