ଆଠଗଡ଼,୨୦/୧୨ : ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ । ପରକ୍ରିୟା ପ୍ରୀତିରୁ ନବବଧୂକୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଝିଅକୁ ଶାଶୁ ଘର ଲୋକ ହତ୍ୟା କରିଥିବା କଟକ ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ଶୁଶାନ୍ତ ରାଉତ । କଟକ ଜିଲ୍ଲା ତିଗିରିଆ ଥାନା ବନମାଳୀପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗତ ଏକ ବର୍ଷ ତଳେ ତିଗିରିଆ ଥାନା ବନମାଳୀପୁର ଗାଁର ସନ୍ତୋଷ ଜେନାକୁ ବିବାହ କରିଥିଲେ ବାଙ୍କୀ ଥାନା ଅନ୍ତର୍ଗତ ପାଳପୁଟ ଗାଁର ତୁଳସୀ ରାଉତ । ବାପା ମା’ଙ୍କ ଏକମାତ୍ର ଅଲିଅଳି ଝିଅ ଥିଲେ ତୁଳସୀ । ତାଙ୍କୁ ବିବାହ ଦେଇ ବହୁ ଖୁସି ଥିଲେ ବାପା ମା’, ହେଲେ ଝିଅର ହଠାତ ଦେହ ଖରାପ ହୋଇଥିବା ନେଇ ଜ୍ବାଇଁ ଘରୁ ଫୋନ ପାଇ ଜ୍ବାଇଁ ଘରକୁ ଯାଇ ଦେଖିଲେ ଝିଅର ମୃତଦେହ ପଡିଛି । ଝିଅ ବେକରେ ଦାଗ ଦେଖି ଝିଅକୁ ମାରିଥିବା ନେଇ ତିଗିରିଆ ଥାନାରେ ପରିବାର ପକ୍ଷରୁ ଲିକ୍ଷିତ ଅଭିଯୋଗ କରାଯାଇଛି ।
ସୂଚନା ଥାଉକି ବାଙ୍କୀ ଥାନା ଅନ୍ତର୍ଗତ ପାଳପୁଟ ଗ୍ରାମର ଶୁଶାନ୍ତ ରାଉତଙ୍କ ୨୦ ବର୍ଷୀୟ ଝିଅ ତୁଳସୀ ରାଉତ ତିଗିରିଆ ଥାନା ବନମାଳୀପୁର ଗ୍ରାମର ସନ୍ତୋଷ ଜେନାଙ୍କୁ ଗତ ଏକ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ତୁଳସୀ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ବାମୀଙ୍କ ତାଙ୍କ ଭାଉଜ ସହିତ ପରକୀୟା ପ୍ରୀତି ସଂପର୍କରେ । ସେ ମଧ୍ୟ ବହୁ ବାର ବିରୋଧ କରିବାରୁ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ସହିତ ଜୀବନରୁ ମାରିଦେଇଥିବା ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା।
ଏହି ଅଭିଯୋଗ ଆଧାରରେ ପୋଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହିତ ଅଧିକ ତଦନ୍ତ ଜାରି ରଖିଛି ତିଗିରିଆ ଥାନା ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କହିଛନ୍ତି ଆଠଗଡ଼ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ।