ବାଲେଶ୍ୱର,୨୭ା୩(ଆ.ପ୍ର): ସ୍ୱାଧୀନତା ପୂର୍ବରୁ ଦେଶରେ ଯେଉଁ କେତୋଟି ଅଗ୍ରଣୀ ସମବାୟ ସମିତି ବ୍ୟାଙ୍କ ଥିଲା³ ସେଥିମଧ୍ୟରୁ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ(ବିବିସିସି) ଅନ୍ୟତମ । ରାଜ୍ୟର ଏହି ପୁରୁଣା ସମବାୟ ବ୍ୟାଙ୍କ୍ କଳେବର ଏହା ଭିତରେ ବୃଦ୍ଧି ପାଇଛି । ମାତ୍ର ସେହି ତୁଳନାରେ ଏହାର ଶାଖା ସଂଖ୍ୟା ବୃଦ୍ଧି ନ ହେବାରୁ ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ମିଳୁନି । ବିଭିନ୍ନ ସେବା ପାଇଁ ଆସୁଥିବା ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି । ଉଭୟ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଧିକରୁ ଅଧିକ ଶାଖା ଖୋଲିବାକୁ ସେମାନେ ଦାବି କରିଛନ୍ତି ।
୧୯୧୬ ମସିହାରେ ଏହି ବ୍ୟାଙ୍କ୍ ସ୍ଥାପିତ ହୋଇଥିଲା । ସେତେବେଳେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଲୋକେ ଏହାର ସେବା ନେଉଥିଲେ । ବାଲେଶ୍ୱର ଜିଲ୍ଲାରୁ ଅଲଗା ହୋଇ ନୂତନ ଭଦ୍ରକ ଜିଲ୍ଲା ଗଠିତ ହେବା ପରେ ଏହି ବ୍ୟାଙ୍କ୍ ବ୍ୟବସାୟ କ୍ଷେତ୍ରରେ ଦେଶର ଅନ୍ୟ ପ୍ରତିଷ୍ଠିତ ବାଣିଜ୍ୟିକ ବ୍ୟାଙ୍କ୍ ଓ ଘରୋଇ ବ୍ୟାଙ୍କ୍କୁ ବହୁ ପଛରେ ପକାଇ ଦେଇଛି । ଏହି ବ୍ୟାଙ୍କ୍ ଉପରେ ଏବେ ଉଭୟ ଜିଲ୍ଲାର ଲକ୍ଷ ଲକ୍ଷ ଚାଷୀ, କ୍ଷୁଦ୍ର ବ୍ୟବସାୟୀ, କାରିଗର, ଅଣୁ ଓ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ଏହା ଉପରେ ନିର୍ଭର କରୁଛନ୍ତି । ଏହାର ମୋଟ ବ୍ୟବସାୟ ଏବେ ୫ହଜାର କୋଟି ଟଙ୍କାକୁ ଟପିଗଲାଣି । ମାତ୍ର ଉପଭୋକ୍ତାଙ୍କ ପାଇଁ ସେବାକୁ ବର୍ଦ୍ଧିତ କରାଯାଉନି ।
ପୂର୍ବରୁ ଏହି ବ୍ୟାଙ୍କ୍ରେ ୨୪୯ଟି ସେବା ସମବାୟ ସମିତି ବା ପ୍ରାଥମିକ କୃଷି ଋଣ ସମବାୟ ସମିତି ଥିଲା । ସରକାରଙ୍କ ନୂତନ ସମବାୟ ସମିତି ଆଇନ ଅନୁଯାୟୀ ବାଲେଶ୍ୱର ଜିଲ୍ଲାରେ ୫୨ ଓ ଭଦ୍ରକ ଜିଲ୍ଲାରେ ୫୧ ନୂତନ ପ୍ରାଥମିକ କୃଷି ଋଣ ସମବାୟ ସମିତି ଗଠିତ ହୋଇଛି । ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ଏହା ନଗଣ୍ୟ । ୧୯୯୯ ମସିହାରୁ ବ୍ୟାଙ୍କ୍ର କୌଣସି ନୂତନ ଶାଖା ଖୋଲାଯାଇନି । ତୃଣମୂଳସ୍ତରରେ ବ୍ୟାଙ୍କ୍ ସେବାରୁ ବଞ୍ଚିତ ହେଉଥିବା ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର, କ୍ଷୁଦ୍ର, ମଧ୍ୟମ ଚାଷୀଙ୍କୁ ସ୍ୱାବଲମ୍ବୀ କରୁଥିବା ଏହି ବ୍ୟାଙ୍କ୍ ଏବେ ଗାଉଁଲି ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ପାଲଟିଛି । ଉପଯୁକ୍ତ ସେବା ମିଳୁ ନ ଥିବାରୁ ସେମାନେ ଏବେ ସୁଧଖୋର, ମହାଜନୀ ଋଣ ଯନ୍ତାରେ ଛନ୍ଦି ହୋଇଯାଉଛନ୍ତି । ସମ୍ପ୍ରତି କୃଷି ଋଣ ପ୍ରଭୃତି କାର୍ଯ୍ୟ ପାଇଁ ସଭ୍ୟମାନଙ୍କୁ ବ୍ୟାଙ୍କ୍ ଶାଖାକୁ ଯିବାକୁ ପଡ଼ୁଛି । ଏହି ଶାଖାଗୁଡ଼ିକ ସବୁଠି ନ ଥିବାରୁ ଅନେକ ସ୍ଥାନରେ ଲୋକ ୫୦ରୁ ଊଦ୍ଧ୍ୱର୍ କି.ମି ଯିବାକୁ ହେଉଛି । ଉଦାହରଣ ସ୍ୱରୂପ ବାସୁଦେବପୁରର ଓ ଧାମରାକୁ ନିଆଯାଇପାରେ । ଏହି ଦୁଇଟି ସ୍ଥାନରେ ଥିବା ବ୍ୟାଙ୍କ୍ ଶାଖାର ଦୂରତା ୫୦ କି.ମି । ସେହିଭଳି ଜଳେଶ୍ୱର ଶାଖାରୁ ଭୋଗରାଇର ଶାଖାର ଦୂରତା ୫୦ କି.ମି।
ନୀଳଗିରିରୁ ବରହମପୁର ବଣସୀମା ଅଞ୍ଚଳରେ ଥିବା ଶାଖାର ଦୂରତା ୩୦ କି.ମି । କୁଳିଗାଁ ଶାଖାରୁ ରେମୁଣାର ଶାଖାର ଦୂରତା ୨୫କି.ମିରୁ ଊଦ୍ଧ୍ୱର୍ । ଏହାର ମଧ୍ୟବର୍ତ୍ତୀ ସ୍ଥାନରେ ବିବିସିସି ବ୍ୟାଙ୍କ୍ର କୌଣସି ଶାଖା ନାହିଁ । ଅପରପକ୍ଷରେ ଅନେକ ସ୍ଥାନରେ ଅନାବଶ୍ୟକ ଭାବେ ଶାଖା ଚାଲିଛି । ତାହାକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତରଣ କଲେ ଲୋକେ ଉପକୃତ ହୋଇପାରନ୍ତେ । ଜଳେଶ୍ୱର ସାନ୍ଧ୍ୟ ଶାଖା, ଜାନୁଗଞ୍ଜ, ବଳରାମଗଡ଼ ି, ଚରମ୍ପା, କୁପାରି ଶାଖା ଅଧୀନରେ କୌଣସି ପ୍ରାଥମିକ ସମବାୟ ସମିତି ନାହିଁ । ଲୋକେ ସେହି ସବୁ ଶାଖାକୁ ଅତିକ୍ରମ କରି ଅନ୍ୟ ଶାଖାକୁ ବାଧ୍ୟ ହୋଇଯାଉଛନ୍ତି । ଜଳେଶ୍ୱର ସାନ୍ଧ୍ୟ ଶାଖାକୁ କମର୍ଦ୍ଦା ବା ଥାନା ଛକକୁ, ବଳରାମଗଡ଼ି ଶାଖାକୁ ଝାମ୍ପୁରା ହାଟ ଛକକୁ ସ୍ଥାନାନ୍ତର ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି । ଭୋଗରାଇ ଶାଖା ଅଧୀନରେ ଅଉ ଗୋଟିଏ ନୂଆ ଶଖା ସହ ବାହାନଗା, ସେରଗଡ଼, ବରହମପୁର, ବିଦେଇପୁର ଭଳି ଉଭୟ ଜିଲ୍ଲାରେ ଅନ୍ୟୁନ ୫୦ ନୂତନ ଶାଖା ଖୋଲାଯିବାର ଆବଶ୍ୟକତା ଅଛି । ଏନେଇ ସ୍ଥାନୀୟ ଲୋକେ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ହେଁ ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି । ଏନେଇ ବିବିସିସି ବ୍ୟାଙ୍କ୍ ସଭାପତି ଗଣେଶ ପ୍ରସାଦ ମହାପାତ୍ରଙ୍କ ସହ ଆଲୋଚନା କରାଯାଇଥିଲା ।
ଉପଭୋକ୍ତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିବିସିସି ବ୍ୟାଙ୍କ୍ର ନୂତନ ଶାଖା ଖୋଲିବାର ଆବଶ୍ୟକତା ଥିବା ସେ ସ୍ୱୀକାର କରିଥିଲେ । ବ୍ୟାଙ୍କ୍ର ନୂତନ ଶାଖା ଖୋଲିଲେ ଅଧିକ କର୍ମ ନିଯୁକ୍ତି ବଢ଼ିବ, ଲୋକଙ୍କୁ ଅଧିକ ସେବା ମିଳିବ । ମାତ୍ର ନୂତନ ବ୍ୟାଙ୍କ୍ ଶାଖା ଖୋଲିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । ଏନେଇ ଅତୀତରେ ଆମେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ଆଗାମୀ ଦିନରେ ଏନେଇ ପୁଣି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।