ନୂଆଦିଲ୍ଲୀ: ତାଜ୍ ଏକ୍ସପ୍ରେସ୍ ଟ୍ରେନ୍ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍ର ୩ଟି ବଗିରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି । ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲେ ହେଁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେପଟେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । ନୂଆଦିଲ୍ଲୀର ତୋଗଲକାବାଦ୍-ଓଖଲା ମଧ୍ୟରେ ଏହି ଅଘଟଣ ଘଟିଛି।
ଦିଲ୍ଲୀ ଅଗ୍ନିଶମ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ, ତାଜ୍ ଏକ୍ସପ୍ରେସ୍ ଟ୍ରେନ୍ର ୩ଟି କୋଚ୍ରେ ନିଆଁ ଲାଗିଥିବା ନେଇ ଅପରାହ୍ନ ୪ଟା ୨୪ ମିନିଟ୍ରେ ଖବର ପାଇଥିଲୁ। ଏହା ପରେ ୮ଟି ଦମକଳ ଗାଡ଼ିକୁ ସେଠାକୁ ପଠାଯାଇଥିଲା।
ସେପଟେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ, ଏକ୍ସପ୍ରେସର D3 ଏବଂ D4 ବଗି ଜଳିପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ D2 କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିକାଣ୍ଡ ଘଟିବା ପରେ ସେଥିରେ ଥିବା ଯାତ୍ରୀମାନେ ଅନ୍ୟ ବଗିକୁ ଚାଲିଯାଇଥିଲେ । କେତେକ ଯାତ୍ରୀ ଟ୍ରେନ୍ରୁ ଓହ୍ଳାଇ ପଡ଼ିଥିଲେ । ଫଳରେ କେହି ମୃତାହତ ହୋଇନଥିବା ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।