ଭୁବନେଶ୍ୱର, ୨।୧୦/(ଡ. ଶରତ ଚନ୍ଦ୍ର ସାମଲ): ନିଜର ସରଳ, ଜୀବନଚର୍ଯ୍ୟା, ଅମାୟିକ ବ୍ୟକ୍ତିତ୍ୱ, ସ୍ନେହଶୀଳ ଆଚରଣ, ନମ୍ର କମନୀୟ ଉଚ୍ଚାରଣ ଓ କାର୍ଯ୍ୟଧାରା ଯୋଗୁଁ ସେ ଭାରତର ଜନଗଣଙ୍କ ହୃଦୟରେ ଆଲୋଡ଼ନ ସୃଷ୍ଟି କରିଥିଲେ । ସ୍ୱାଧୀନତା କାଗଜପତ୍ରର କଥା ନୁହଁ କି ଘୋଷଣାନାମାର କଥା ନୁହେଁ । ଅନୁଭବ କଥା । ଦୀର୍ଘଦିନ ଗୋଟିଏ ପକ୍ଷୀକୁ ପଞ୍ଜୁରୀରେ ରଖି ତା'ର ଡେଣା ଯେତେବେଳେ ଦୁର୍ବଳ ସେତିକିବେଳେ "ଏବେ ତୁ ସ୍ୱାଧୀନ’ କହି ମୁକ୍ତି କରିଦେଲେ ସେ ଯେଉଁ ସ୍ୱାଧୀନତା ଅନୁଭବ କରିବ ? ଜଣେ ମଣିଷକୁ ବେଡ଼ି ପକେଇ ଅକର୍ମଣ୍ୟ କରିବା ପରେ "ତୁ ମୁକ୍ତ ବା ସ୍ୱାଧୀନ’ ବୋଲି ଘୋଷଣା କରାଯାଏ । ସେ କ'ଣ ସ୍ୱାଧୀନତା ଲାଭ କରିପାରେ କି ? ଏହା ଏଭଳି ଏକ ସ୍ଥିତି ଯାହା ବ୍ୟକ୍ତିର ଅଭିଳାଷ ଆଧାରରେ ଅନୁଭୂତ ହୁଏ । କାଗଜରେ ଘୋଷଣା କରିଦେଲେ ଯେ ଭାରତ ସ୍ୱାଧୀନ ହେଲା, ଲକ୍ଷ ଲକ୍ଷ ଶରଣାର୍ଥୀ ଲଦି ହୋଇଥିଲେ ଭାରତ ଉପରେ । କାଳନ୍ଦୀ ଚରଣଙ୍କ ଉପନ୍ୟାସ "ମାଟିର ମଣିଷ’ କାହାଣୀ ଭଳି ପାକିସ୍ତାନ ରୂପକ ଛକଡ଼ି ଚରିତ୍ରଟିଏ ସୃଷ୍ଟି କରି ନିଜେ ବ୍ରିଟିଶ ପ୍ରଶାସନ ନେତ୍ରମଣି ସାଜିଥିଲେ । ଦୀର୍ଘ ଦୁଇଶହ ବର୍ଷ ଭାରତକୁ ଶୋଷଣ କରି ତା'ର ଅର୍ଥନୀତିକୁ ଭୁଶୁଡ଼େଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରାନ୍ତ କ୍ଷତବିକ୍ଷତ ଅବସ୍ଥାରେ ଇଂଲଣ୍ଡ ସରକାର ଏକପ୍ରକାର ପଳାୟନ କଲେ ।
ଗୋଲଟେବୁଲ ବୈଠକ ବେଳେ ଗାନ୍ଧିଜୀ ଲଣ୍ଡନରେ ଥିବା ସମୟରେ ଲଣ୍ଡନର ‘ଭେଜିଟେରିଆନ୍ ସୋସାଇଟି' ତାଙ୍କର ଏକ ସ୍ୱତନ୍ତ୍ର ଅଧିବେଶନରେ ଅତିଥି ଭାବେ ଯୋଗଦେବାକୁ ଗାନ୍ଧିଜୀଙ୍କୁ ନିମନ୍ତ୍ରିତ କରିଥିଲେ । ଏଥିରେ ବିଶିଷ୍ଟ ଲେଖକ ତଥା ନିରାମିଷ ଭୋଜନର ତତ୍ତ୍ୱବିତ୍ ଓ ପ୍ରବକ୍ତା ହେନେରି ସଲ୍ଟ ଯୋଗଦେବେ ବୋଲି ଗାନ୍ଧୀଙ୍କୁ ସୂଚେଇ ଦିଆଯାଇଥିଲା । ସଲ୍ଟ ଥିଲେ ‘ଲଣ୍ଡନ ଭେଜିଟେରିଆନ୍ ସୋସାଇଟି'ର ପ୍ରତିଷ୍ଠାତା । ୧୮୮୮ରୁ ୧୮୯୧ ମସିହାରେ ଲଣ୍ଡନରେ ଆଇନ ପାଠ ପଢ଼ିବାବେଳେ ହେନେରି ସଲ୍ଟଙ୍କ ସହ ପରିଚୟ ହୋଇଥିଲା ଗାନ୍ଧିଜୀଙ୍କର । ନିରାମିଷ ଖାଦ୍ୟ ଉପରେ ସଲ୍ଟ ଏକ ବହି ଲେଖିଥିଲେ । ବହିର ନାଁ ଥିଲା ‘ଏ ପ୍ଲି ଫର୍ ଭେଜିଟାରିଆନଜିମ୍' । ସଲଟ୍ ଲେଖିଥିଲେ, ଧର୍ମ ଓ ପରମ୍ପରା ଓ ପ୍ରଥା ଶାକାହାରୀ ଭୋଜନର ଆଧାର ନହୋଇ ନୈତିକତା, ସ୍ୱାସ୍ଥ୍ୟ, ଅର୍ଥନୀତି ଆଧାର ହେବା ଉଚିତ୍ । ସଲ୍ଟଙ୍କ ଏ ବହି ଗାନ୍ଧିଜୀ ପଢ଼ିଥିଲେ ଏବଂ ଖୁବ୍ ପ୍ରଭାବିତ ହୋଇଥିଲେ । ଗାନ୍ଧୀଜୀ ଆଜୀବନ ଶାକାହାରୀ ଥିଲେ । ପ୍ରଥମ ଥିଲା ପାରିବାରିକ ପରମ୍ପରା ଓ ଦ୍ୱିତୀୟଟି ଥିଲା ମା' ପୁତୁଲିବାଇଙ୍କ ପାଖରେ ଗାନ୍ଧୀଜୀ କରିଥିବା ଏକ ସଂକଳ୍ପ । ପରମ୍ପରା ଥିଲା ଏମିତି, ପୋରବନ୍ଦରରେ ଗାନ୍ଧୀ ପରିବାରର ସମସ୍ତେ ନିରାମିଷାଶୀ ଥିଲେ । ଗାନ୍ଧୀଙ୍କ ମା' ପୁତୁଲିବାଇ ଆମିଷ ଭୋଜନକୁ କେବଳ ଘୃଣା କରୁନଥିଲେ ଏହାକୁ ଏକ ପାପ ବୋଲି କହୁଥିଲେ । ପୁତୁଲିବାଇ ଥିଲେ ବୈଷ୍ଣବପନ୍ଥୀ । ଗାନ୍ଧୀଜୀଙ୍କ ଶାକାହାରୀ ଜୀବନରେ ମା'ଙ୍କ ଆଗରେ ରଖିଥିବା ବ୍ରତ ଥିଲା ଗୁରୁତ୍ୱପୂର୍ଣ୍ଣ ଏକ ଅଭଙ୍ଗା ସଂକଳ୍ପ । ୧୮୮୮ରେ ଲଣ୍ଡନରେ ପଢ଼ିବାକୁ ଆସିବା ବେଳେ ମା' ପୁତୁଲିବାଇ ଗାନ୍ଧୀଙ୍କ ବେକରେ ଏକ ତୁଳସୀ ମାଳ ପିନ୍ଧେଇ ଦେଇ କହିଥିଲେ ‘ମନୁ ମୋତେ କଥା ଦେ, ବିଦେଶରେ ମାଂସ ଖାଇବୁ ନାହିଁ, କିମ୍ବା ମଦ ପିଇବୁ ନାହିଁ ।' ଗାନ୍ଧୀ ଏସବୁ ନକରିବାକୁ ମା'ଙ୍କୁ କଥା ଦେଇଥିଲେ ।
ଏକଥା, ଏ ସଂକଳ୍ପ ଗାନ୍ଧୀଙ୍କ ପାଇଁ ଜୀବନବ୍ୟାପୀ ଏକ ବ୍ରତ ହୋଇଯାଇଥିଲା । ୧୮୯୧ ମସିହାରେ ‘ଲଣ୍ଡନରେ ଭେଜିଟେରିଆନ୍ ସୋସାଇଟି'ର ଏକ ସକ୍ରିୟ ସଭ୍ୟ ହୋଇଯାଇଥିଲେ ଗାନ୍ଧୀ । ସୋସାଇଟିର ପ୍ରତ୍ୟେକ ମିଟିଙ୍ଗ୍ରେ ଗାନ୍ଧୀଜୀ ଯୋଗ ଦେଉଥିଲେ । ଆଲୋଚନାରେ ଭାଗ ନେଉଥିଲେ । ଶାକାହାର ନେଇ ଭାରତୀୟ ଦୃଷ୍ଟିଭଙ୍ଗୀ ରଖୁଥିଲେ । ଜୋସିଆ ଓଲ୍ଡଫିଲଡ୍ଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ଭେଜିଟେରିଆନ୍' ପତ୍ରିକାରେ ନିରାମିଷ ଖାଦ୍ୟ ଉପରେ ଥିବା ଭାରତୀୟ ଧାର୍ମିକ ପରମ୍ପରା, ଚଳଣି ନେଇ ଗାନ୍ଧୀ ନିୟମିତ ସ୍ତମ୍ଭ ଲେଖିଥିଲେ । ଗାନ୍ଧୀଜୀ କେବଳ ଅଭ୍ୟାସରେ ନିରାମିଷାଶୀ ନଥିଲେ, ନିରାମିଷ ଭୋଜନ ଉପରେ ଗାନ୍ଧୀଜୀଙ୍କ ଅନେକ ଅଧ୍ୟୟନ ବି ଥିଲା । ତିନୋଟି ବହି ସେ ଲେଖିଥିଲେ- କି ଟୁ ହେଲ୍ଥ, ଡାଏଟ୍ ଆଣ୍ଡ ଡାଏଟ୍ ରିଫର୍ମସ୍ ଓ ମୋରାଲ ମେସିସ୍ ଅଫ୍ ଭେଜିଟାରିଆନିଜିମ୍ । ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ନିଜ ସମ୍ପାଦନାରେ ପ୍ରକାଶିତ ‘ଇଣ୍ଡିଆନ୍ ଓପିନିଅନ୍' ପତ୍ରିକାରେ ଖାଦ୍ୟ ସଂସ୍କାର ସମ୍ପର୍କରେ ଅନେକ ପ୍ରବନ୍ଧ ପ୍ରକାଶ କରିଥିଲେ । ସମସ୍ତେ ପହଞ୍ଚି ପାରନ୍ତିନାହିଁ । କିଏ ଅଧାବାଟରେ ଅଟକିଯାଏ ତ କାହାର ଲକ୍ଷ୍ୟସ୍ଥଳ ସମୟକ୍ରମେ ବଦଳିଯାଏ । ସେଥିପାଇଁ କୁହାଯାଇଛି- ହର୍ ସଫର୍ ହୋ ଯାତା ହେ ଖତମ୍, କଭି ମଞ୍ଜିଲ ସେ ଔର କଭି ମଞ୍ଜିଲ ସେ ପେହଲେ । ତେବେ ଯାହା ଭିତରେ ଦୃଢ଼ ମନୋବଳ, ସଂକଳ୍ପ ଓ ଧେର୍ଯ୍ୟ ରହିଛି ସେ ବାଟରେ ଯେତେ ସଂକଟ ଆସୁ ନା କାହିଁକି ଅଟକି ଯାଏନାହିଁ । ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ଆମର ଜାତିର ପିତା ମହାତ୍ମା ଗାନ୍ଧୀ ।
ତାଙ୍କ ଜୀବନକୁ ନେଇ :
ଭାରତର ସ୍ୱାଧୀନତା ସଂଗ୍ରାମୀ ତଥା ବାପୁଜୀ ଭାବେ ପରିଚିତ ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀ, ପିତା କରମ ଚାନ୍ଦ ଗାନ୍ଧୀ ଓ ମାତା ପୁତୁଲୀ ବାଇଙ୍କ ଔରଷରୁ ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜରାଟର ପୋରବନ୍ଦର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ପିଲାଟି ଦିନରୁ ଧୀର ସ୍ଥିର ଥିଲେ । ପିତାମାତାଙ୍କୁ ଗଭୀର ଭକ୍ତି କରୁଥିଲେ । ସତ୍ୟ ପ୍ରତି ଥିଲା ତାଙ୍କର ଅଟଳ ନିଷ୍ଠା । ସତ୍ୟ ଓ ଅହିଂସା ଥିଲା ତାଙ୍କ ଜୀବନର ବ୍ରତ । ପୋରବନ୍ଦର ଠାରେ ପ୍ରାଥମିକ ଶିକ୍ଷା ଶେଷକରି ଗୁଜରାଟରେ ପଢ଼ିଲେ । ଏଣ୍ଟ୍ରାନ୍ସ ପାସ କରି ସେ ବିଲାତ ଗଲେ ବାରିଷ୍ଟର ପଢ଼ିବା ପାଇଁ । ବାପାଙ୍କର ଇଚ୍ଛା ଥିଲା ସେ ବାରିଷ୍ଟର ପଢ଼ି ବଡ଼ ଓକିଲ ହେବେ । ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାର ବିଜୟୀ ବୀର ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଲେ । ସେତେବେଳେ ଭାରତବର୍ଷରେ ଇଂରେଜ ଶାସନ ଚାଲୁଥାଏ । ଚାରିଆଡ଼େ ଇଂରେଜମାନଙ୍କର ଶୋଷଣ ଓ ଅତ୍ୟାଚାର । ସେ ଚିନ୍ତା କଲେ ଭାରତବର୍ଷକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବେ । ସତ୍ୟ ଓ ଅହିଂସା ମାର୍ଗରେ ଭାରତକୁ ସ୍ୱାଧୀନ କରିବା ପାଇଁ ସ୍ଥିର କଲେ ।
ଗାନ୍ଧୀଜୀ ଭାରତରେ ପ୍ରଥମ କୃଷକ ଓ ଶ୍ରମିକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କଲେ । ବିହାରର ଚମ୍ପାରନ୍ ଜିଲ୍ଲାରେ ଲାଖ ଚାଷୀମାନଙ୍କ ଉପରେ ଇଂରେଜମାନେ ଜୁଲମ କରୁଥିଲେ । ଗାନ୍ଧୀଜୀ ଚାଷୀମାନଙ୍କୁ ଏକତ୍ର କରି ଇଂରେଜମାନଙ୍କ ବିରୋଧରେ ଚମ୍ପାରନରେ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ଇଂରେଜ ସରକାର ଚାଷୀମାନଙ୍କୁ ଦାବିକୁ ମାନିନେବାବୁ ବାଧ୍ୟ ହୋଇଥିଲେ । କିନ୍ତୁ ଗାନ୍ଧିଜୀଙ୍କର ବାରିଷ୍ଟର ହେବାପାଇଁ ଇଚ୍ଛା ନଥିଲା । ତାଙ୍କର ଜୀବନ ବିଭିନ୍ନ ଉପାଦାନରେ ଗଢ଼ା । ନିଜର ସୁଖ ପାଇଁ ଚିନ୍ତା ନକରି ସେ କୋଟି କୋଟି ଦରିଦ୍ର ଲୋକଙ୍କ ସେବା କରିବାକୁ ମନସ୍ଥ କରିଥିଲେ । ବାରିଷ୍ଟର ପାସ୍ କରି ସେ ଦକ୍ଷିଣ ଆଫ୍ରିକା ଗଲେ । ଇଂରେଜମାନେ ସେଠାରେ ଶାସନ କରୁଥିଲେ । କଳା ଓ ଗୋରାମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି ହୋଇଥିଲା । ଗୋରାମାନେ କଳା ଲୋକମାନଙ୍କୁ ଘୃଣା କରୁଥିଲେ । ଗାନ୍ଧୀଜୀଙ୍କୁ ଏହା ଭଲ ଲାଗିଲା ନାହିଁ । ସେ ସତ୍ୟାଗ୍ରହ କରିଥିଲେ । କଳା ଓ ଗୋରାଙ୍କ ମଧ୍ୟରେ ଥିବା ଭେଦଭାବକୁ ଦୂର କରିବାପାଇଁ ପ୍ରୟାସ କରିଥିଲେ ଏବଂ ସଫଳ ହୋଇଥିଲେ ।
ପଞ୍ଜାବର ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପରେ ପରେ ଗାନ୍ଧୀଜୀ ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନ ପାଇଁ ଡାକରା ଦେଲେ ଦେଶବାସୀଙ୍କ ହୃଦୟରେ ଅପୂର୍ବ ଜାଗରଣ ସୃଷ୍ଟି ହେଲା । ଲୋକେ ବିଦେଶୀ ପୋଷାକରେ ନିଆଁ ଲଗେଇ ଦେଲେ । ଲୋକେ ଘରେ ଘରେ ଅରଟ ଚଳାଇ ସୂତା କାଟିଲେ । ବିଦେଶୀ ବସ୍ତ୍ର ଛାଡ଼ି ହାତବୁଣା ଲୁଗା ପିନ୍ଧିଲେ । ଅରଟ ହେଲା ‘ସୁଦର୍ଶନ ଚକ୍ର' । ସେହି ଚକ୍ରରେ ଅତ୍ୟାଚାରୀ ବ୍ରିଟିଶ ସରକାର ବ୍ୟତିବ୍ୟସ୍ତ ହୋଇ ଗାନ୍ଧୀଜୀଙ୍କୁ ବନ୍ଦୀ କଲେ । ତଥାପି ଆନ୍ଦୋଳନ ବନ୍ଦ ହେଲାନାହିଁ । ସତ୍ୟ ଓ ଅହିଂସା ବଳରେ ଆନ୍ଦୋଳନ ଚାଲିଲା । ଗାନ୍ଧୀଜୀ କହିଲେ ସତ୍ୟ ହେଉଛି ମୋର ଲକ୍ଷ୍ୟ ଏବଂ ଅହିଂସା ହେଉଛି ମୋର ପଥ । ସମୁଦ୍ର ଜଳରୁ ଲୁଣ ମାରିବାକୁ ବ୍ରିଟିଶ ସରକାର ଲୋକଙ୍କୁ ବନ୍ଦ କରିଦେଲା । ଗାନ୍ଧୀଜୀ ଏଥିପାଇଁ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନ କଲେ । ଏହି ଆନ୍ଦୋଳନ ସାରା ଦେଶରେ ଚହଳ ପକାଇଦେଲା । ଗାନ୍ଧୀଜୀ ନିଜେ ଦାଣ୍ଡିଯାତ୍ରା କଲେ ଓ ଦାଣ୍ଡିଠାରେ ଲୁଣ ମାରିଲେ । ଲବଣ ସତ୍ୟାଗ୍ରହ ପରେ ପରେ ବ୍ରିଟିଶ ସରକାର ଲଣ୍ଡନଠାରେ ଗୋଲଟେବୁଲ ବୈଠକ ଆୟୋଜନ କଲେ । ଏହି ବୈଠକରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବିଷ୍ଟନ ଚର୍ଚିଲ ଗାନ୍ଧୀଙ୍କ ବେଶଭୁଷା ଦେଖି ତାଙ୍କୁ ‘ଲଙ୍ଗଳା ଫକୀର' କହି ଉପହାସ କଲେ । ଗାନ୍ଧୀଜୀ ଏଥିରେ ଦବିଗଲେ ନାହିଁ । ସେହି ଲଙ୍ଗଳା ଫକୀର ଦିନେ ସାରା ପୃଥିବୀକୁ ଚମକାଇ ଦେଲେ ।
୧୯୪୨ ମସିହାରେ ଗାନ୍ଧୀଜୀ ଭାରତବର୍ଷରେ ଇଂରେଜମାନଙ୍କୁ "ଭାରତ ଛାଡ଼’ ପାଇଁ ଆହ୍ୱାନ ଦେଲେ । ଏହି ଆନ୍ଦୋଳନ ଖୁବ୍ ଜୋରଦାରିଆ ହେଲା । ଇଂରେଜ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ଭାରତବର୍ଷରେ ଆନ୍ଦୋଳନକୁ ଦବାଇ ପାରିଲେନାହିଁ । ଶେଷକୁ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ୱାଧୀନ ହେଲା । ଭାରତବର୍ଷରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ଲାଭ କଲା । ଗାନ୍ଧୀଜୀ ମୌଳିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ । ଇଂରେଜମାନେ ଯେଉଁ ଶିକ୍ଷା ପଦ୍ଧତି ଚଳାଇଥିଲେ, ଗାନ୍ଧୀଜୀ ତାହାକୁ ବିରୋଧ କଲେ । ଗାନ୍ଧୀଜୀଙ୍କର ମୌଳିକ ଶିକ୍ଷା ଦ୍ୱାରା ଜଣେ ସ୍ୱାବଲମ୍ବନଶୀଳ ହୋଇପାରିବ । ମାତ୍ର ସେହି ଶିକ୍ଷାପଦ୍ଧତି ବେଶୀ ଦିନ ତିଷ୍ଠି ପାରିଲାନାହିଁ । ସ୍ୱାଧୀନତା ପରେ ତାହା ବନ୍ଦ ହୋଇଗଲା । ୧୯୪୮ ମସିହା ଜାନୁଆରୀ ମାସ ୩୦ ତାରିଖ । ସାବରମତୀ ଆଶ୍ରମରେ ସବୁଦିନ ପରି ସନ୍ଧ୍ୟା ନଇଁ ଆସିଥାଏ । ଗାନ୍ଧୀଜୀ ପ୍ରାର୍ଥନା ସଭାକୁ ଗଲେ ସମବେତ କଣ୍ଠରୁ ଭାସି ଆସୁଥାଏ ‘ରଘୁପତି ରାଘବ ରାଜା ରାମ, ପତିତ ପାବନ ସୀତା ରାମ ।' ଗାନ୍ଧୀଜୀ ସମସ୍ତଙ୍କ ଅଭିବାଦନ ଗ୍ରହଣ କରୁଥାନ୍ତି । ହଠାତ୍ ନାଥୁରାମ ଗୋଡସ୍ ନାମକ ଜନୈକ ଯୁବକ ଆଗକୁ ଆସିଲେ । ଗାନ୍ଧୀଜୀଙ୍କୁ ପ୍ରଣାମ କଲେ । ତା'ପରେ ବନ୍ଧୁକ ବାହାର କରି ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଲେ । "ହେ ରାମ୍’ କହି ଗାନ୍ଧୀଜୀ ଟଳିପଡ଼ିଲେ । ସବୁଦିନ ପାଇଁ ପୃଥିବୀରୁ ଆଲୋକ ଲିଭିଗଲା । ମହାତ୍ମା ଗାନ୍ଧୀ ଅହିଂସାର ଅଦ୍ଭୂତପୂର୍ବ ପ୍ରୟୋଗାତ୍ମକ ପ୍ରଣାଳୀରେ ଆବିଷ୍କାର କରିଥିବାରୁ ତାଙ୍କୁ ଅହିଂସା ଆନ୍ଦୋଳନର ଜନ୍ମଦାତା କୁହାଯାଏ ।
ଗାନ୍ଧୀଜୀଙ୍କର ଅହିଂସା ଆନ୍ଦୋଳନରେ ଜନମାନସ ଏପରି ଉଦ୍ବୁଦ୍ଧ ହୋଇଥିଲେ ଯେ ଅହିଂସା କହିଲେ ଲୋକେ ଗାନ୍ଧୀଜୀଙ୍କ ପ୍ରବର୍ତ୍ତିତ ଅହିଂସା ମାର୍ଗ ବୋଲି ବୁଝୁଥିଲେ । ମହାତ୍ମା ଗାନ୍ଧୀ ଅହିଂସା ଆନ୍ଦୋଳନର ବା ଅହିଂସାର ଗଣ ପ୍ରୟୋଗରେ ପୂର୍ଣ୍ଣ ସାଫଲ୍ୟ ଲାଭ କରିବା ପରେ ବିଶ୍ୱର ଅନ୍ୟାନ୍ୟ ଭୂଖଣ୍ଡରେ ତାଙ୍କରି କୌଶଳ ପ୍ରୟୋଗ କରାଯାଇଛି । ମହନୀୟତା ହେଉଛି, ମହାତ୍ମା ଗାନ୍ଧୀ ଅହିଂସାର ଗଣପ୍ରୟୋଗ ଆବିଷ୍କାର ପୂର୍ବକ ବିପର୍ଯ୍ୟୟ ରାଜନୈତିକ ଜୀବନ, ଶଙ୍କାଗ୍ରସ୍ତ ସମାଜିକ ଜୀବନ ଏବଂ ମୋହଗସ୍ତ ଆଧ୍ୟାତ୍ମିକ ଜୀବନରେ ସକଳ ଦୂରତା ଓ ଦୃଷ୍ମତା ଅପସାରଣର ରାଜମାର୍ଗ ଉନ୍ମୋଚନ କରିପାରିଥିଲେ । ଅହିଂସା ମାଧ୍ୟମରେ ସେ ଗଣତନ୍ତ୍ରର ପ୍ରତିଷ୍ଠା ନିମିତ୍ତ ଆହ୍ୱାନ ଦେଇ ମାନବ ଜାତିର ଚିରନମସ୍ୟ ।