ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମିଲ୍କି ୱେରେ ନିଃସଙ୍ଗ ବ୍ଲାକ୍‌ହୋଲ, ପୃଥିବୀଠୁ ୫ ହଜାର ଆଲୋକ ବର୍ଷ ଦୂରରେ ଠାବ

Published By : Krishna Priya | April 22, 2025 7:44 AM

ନୂଆଦିଲ୍ଲୀ ୨୨/୦୪: ବୈଜ୍ଞାନିକମାନେ ଆମ ଆକାଶଗଙ୍ଗା ମିଲ୍କି ୱେରେ ଏକ ନିଃସଙ୍ଗ ବ୍ଲାକ୍‌ହୋଲ ଆବିଷ୍କାର କରିଛନ୍ତି । କୌଣସି ନକ୍ଷତ୍ର ଏହି ବ୍ଲାକ୍‌ହୋଲକୁ ପରିକ୍ରମା କରୁନାହିଁ । ଅଧ୍ୟୟନର ତଥ୍ୟ ଆଷ୍ଟ୍ରୋଫିଜିକାଲ ପତ୍ରିକାରେ ପ୍ରକାଶ ପାଇଛି । ଅନେକ ବର୍ଷ ପୂର୍ବେ ଗବେଷକ ଟିମ୍‌ ଆବିଷ୍କାର କରିଥିବା ଏହି ତାରକୀୟ ବସ୍ତୁର ପରିଚୟକୁ ସଦ୍ୟ ଅଧ୍ୟୟନ ଲୋକଲୋଚନକୁ ଆଣିଛି ।

୨୦୨୨ ମସିହାରେ ବାଲ୍‌ଟିମୋର୍‌ ସ୍ଥିତ ସ୍ପେସ୍‌ ଟେଲିସ୍କୋପ୍‌ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ନକ୍ଷତ୍ରବିଜ୍ଞାନୀ କୈଳାସ ସାହୁ ଓ ତାଙ୍କ ସାଥୀମାନେ ସାଗିଟାରିଅସ୍‌ ନକ୍ଷତ୍ରମଣ୍ଡଳରେ ଘୂରୁଥିବା ଏକ ଅନ୍ଧାରୁଆ ବସ୍ତୁ ଆବିଷ୍କାର କରିଥିଲେ । କିନ୍ତୁ ସେତେବେଳେ ସେମାନଙ୍କ ଅଧ୍ୟୟନକୁ ନେଇ ବିବାଦ ଉପୁଜିଲା । କାରଣ କିଛି ବୈଜ୍ଞାନିକ ଦାବି କଲେ ଯେ ଏହି ପିଣ୍ଡ ବାସ୍ତବରେ ଏକ ନ୍ୟୁଟ୍ରନ୍‌ ନକ୍ଷତ୍ର ।

ତେବେ ବୈଜ୍ଞାନିକମାନେ ଏହା ଉପରେ ଅଧ୍ୟୟନ ଜାରି ରଖିଲେ ଏବଂ ଆରମ୍ଭରୁ ସେମାନେ ଯାହା ଦାବି କରିଥିଲେ ଯେ ଏହା ଏକ ନିଃସଙ୍ଗ ବ୍ଲାକ୍‌ହୋଲ, ତା’ରି ଆଧାରରେ ଅଧିକ ପ୍ରମାଣ ପାଇଲେ । ସେମାନଙ୍କର ପ୍ରାରମ୍ଭିକ ପ୍ରୟାସ ପାଇଁ ୨୦୧୧ରୁ ୨୦୧୭ ମସିହା ମଧ୍ୟରେ ତଥ୍ୟ ଉପରେ ନଜର ପକାଇବା ପରେ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ଗବେଷକମାନେ ୨୦୨୧ ଓ ୨୦୨୨ ମସିହା ମଧ୍ୟରେ ହବଲ୍‌ ସ୍ପେସ୍‌ ଟେଲିସ୍କୋପ୍‌ ଓ ଗାଇଆ ସ୍ପେସ୍‌ ପ୍ରୋବ୍‌ର ତଥ୍ୟକୁ ଅବଲୋକନ କଲେ ।

ଉଲ୍ଲେଖଯୋଗ୍ୟ, ସଦ୍ୟ ଅଧ୍ୟୟନ ପୂର୍ବରୁ ଆଜି ପର୍ଯ୍ୟନ୍ତ ଆବିଷ୍କୃତ ସମସ୍ତ ବ୍ଲାକ୍‌ହୋଲକୁ ଏକ ସାଥୀ ନକ୍ଷତ୍ର ସହିତ ଚିହ୍ନଟ କରାଯାଇଛି । ବ୍ଲାକ୍‌ହୋଲ୍‌ ସମସ୍ତ ଆଲୋକ ଅବଶୋଷଣ କରିଥାନ୍ତି, ତେଣୁ ଯଦି ମାଧ୍ୟାକର୍ଷଣ ଲେନ୍ସିଂ ପ୍ରଭାବ ଯୋଗୁ ସାଥୀର ଉପସ୍ଥିତି ନ ଥାଏ, ଏଗୁଡ଼ିକୁ ଚିହ୍ନଟ କରିବା କଷ୍ଟକର । ତଥାପି ବୈଜ୍ଞାନିକ ସାହୁ ଓ ତାଙ୍କ ଟିମ୍‌ ଏହି ନିଃସଙ୍ଗ ବ୍ଲାକ୍‌ହୋଲକୁ ଚିହ୍ନଟ କଲେ । ଦୂରରେ ସ୍ଥିତ ଏକ ନକ୍ଷତ୍ର ସାମ୍ନାରୁ ଅତିକ୍ରମ କରିବା ସମୟରେ ଏହାକୁ ସେମାନେ ଚିହ୍ନଟ କଲେ, କାରଣ ଏହା ଦ୍ୱାରା ବ୍ଲାକ୍‌ହୋଲର ଆଲୋକ ବଢ଼ିଥିଲା ଏବଂ କ୍ଷଣିକ ପାଇଁ ଏହା ଆକାଶରେ ନିଜର ସ୍ଥିତିକୁ ବଦଳାଇଥିଲା । ସେମାନେ ଜାଣିବାକୁ ପାଇଲେ ଯେ ଏହି ପିଣ୍ଡ ଆମ ସୂର୍ଯ୍ୟଠୁ ହାରାହାରି ୭ ଗୁଣ ବିଶାଳ, ଯାହା ଏକ ନ୍ୟୁଟ୍ରନ୍‌ ନକ୍ଷତ୍ର ନୁହେଁ ବୋଲି ଦର୍ଶାଉଥିଲା । 

ଏହି ନିଃସଙ୍ଗ ବ୍ଲାକ୍‌ହୋଲ ପୃଥିବୀଠୁ ୫ ହଜାର ଆଲୋକ ବର୍ଷ ଦୂରରେ ଅବସ୍ଥିତ । ୨୭ ହଜାର ଆଲୋକ ବର୍ଷ ଦୂର, ମିଲ୍କି ୱେର କେନ୍ଦ୍ରରେ ଅବସ୍ଥିତ ସୁପର୍‌ମାସିଭ୍‌ ବ୍ଲାକ୍‌ହୋଲ ‘ସାଗିଟାରିଅସ୍‌ ଏ’ର ଏହା ଖୁବ୍‌ ନିକଟରେ ଅବସ୍ଥିତ । ସଦ୍ୟ ତଥ୍ୟ ଆଧାରରେ ସାହୁ ଓ ତାଙ୍କ ଟିମ୍‌ ୨୦୨୭ରେ ଲଞ୍ଚ୍‌ ହେବାକୁ ଥିବା ନାନ୍ସି ଗ୍ରେସ୍‌ ରୋମାନ୍‌ ସ୍ପେସ୍‌ ଟେଲିସ୍କୋପ୍‌ ମାଧ୍ୟମରେ ଏହି ଘଟଣାର ଅଧିକ ଉଦାହରଣ ଖୋଜିବାକୁ ଆଶା ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.