ନୂଆଦିଲ୍ଲୀ: ପୂର୍ବ କଙ୍ଗୋରେ ଇସଲାମିକ୍ ଷ୍ଟେଟ୍ (IS) ସମର୍ଥିତ ବିଦ୍ରୋହୀ ମାନେ ଆଜି (ରବିବାର) ଏକ ଚର୍ଚ୍ଚ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରି ୨୧ ଜଣଙ୍କୁ ହତ୍ୟା କରିଛନ୍ତି। ଜଣେ ସ୍ଥାନୀୟ କର୍ମୀ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ପୂର୍ବ କଙ୍ଗୋର କୋମାଣ୍ଡା ଅଞ୍ଚଳରେ ରାତି ପ୍ରାୟ ୧ ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ଏକ କ୍ୟାଥୋଲିକ୍ ଚର୍ଚ୍ଚ ପରିସରରେ ଏହି ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀ ମାନେ 'ଆଲଏଡ୍ ଡେମୋକ୍ରାଟିକ୍ ଫୋର୍ସ' (ADF)ର ସଦସ୍ୟ ଥିଲେ। ଏହି ଆକ୍ରମଣରେ ଅନେକ ଘର ଏବଂ ଦୋକାନ ମଧ୍ୟ ପୋଡ଼ି ଯାଇଛି।
କୋମାଣ୍ଡାର ଜଣେ ନାଗରିକ କହିଛନ୍ତି ଯେ,କମ୍ପ୍ଲେକ୍ସ ଭିତରେ ଏବଂ ବାହାରେ ୨୧ ରୁ ଅଧିକ ଲୋକଙ୍କୁ ଗୁଳି କରାଯାଇଥିଲା। ଏପର୍ଯ୍ୟନ୍ତ ତିନୋଟି ପୋଡା ମୃତଦେହ ମିଳିଛି ଏବଂ ଅନେକ ଘର ପୋଡ଼ି ଦିଆଯାଇଛି। କିନ୍ତୁ ସର୍ଚ୍ଚ ଅପରେସନ୍ ଏବେ ବି ଚାଲିଛି।
କଙ୍ଗୋ ସେନାର ଇତୁରି ପ୍ରଦେଶର ମୁଖପାତ୍ର ଲେଫ୍ଟନାଣ୍ଟ ଜୁଲ୍ସ ନଙ୍ଗୋଙ୍ଗୋ ଆକ୍ରମଣକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ସକାଳେ ଆମେ ପାଇଥିବା ସୂଚନା ଅନୁଯାୟୀ, କିଛି ସଶସ୍ତ୍ର ଲୋକ କୋମାଣ୍ଡା ନିକଟରେ ଏକ ଚର୍ଚ୍ଚରେ ପ୍ରବେଶ କରି ପ୍ରାୟ ୧୦ ଜଣଙ୍କୁ ହତ୍ୟା କରିଥିଲେ। ଏହା ବ୍ୟତୀତ କିଛି ଦୋକାନ ପୋଡ଼ି ଦିଆଯାଇଥିଲା।
ସେ କହିଛନ୍ତି, ଆମେ ଅତ୍ୟନ୍ତ ନିରାଶ। ଏପରି ଆକ୍ରମଣ ଏପରି ଏକ ସହରରେ ଘଟିବା ବିଶ୍ୱାସଯୋଗ୍ୟ ନୁହେଁ ଯେଉଁଠାରେ ସମସ୍ତ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ। ବର୍ତ୍ତମାନ କିଛି ଲୋକ ଏହି ଅଞ୍ଚଳରୁ ପଳାୟନ କରିବା ଆରମ୍ଭ କରିଛନ୍ତି ଏବଂ ବୁନିଆ ଆଡକୁ ଯାଉଛନ୍ତି।