ନୂଆଦିଲ୍ଲୀ ୧୫/୦୮: ଶୁକ୍ରବାର ମୁକ୍ତିଲାଭ କରିଛି ସୁପର୍ଷ୍ଟାର ରଜନୀକାନ୍ତଙ୍କ ତାମିଲ ଫିଲ୍ମ ‘କୁଲି’ । ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ୱାର୍-୨’ ସହିତ ଏହାର ମୁହାଁମୁହିଁ ହୋଇଛି । ଟ୍ରେଡ୍ ୱେବ୍ସାଇଟ୍ ସ୍ୟାକ୍ନିଲ୍କ ଅନୁସାରେ, ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଭାରତରେ ୫୦ କୋଟି କଲେକ୍ସନ୍ କରିଥିଲା ‘କୁଲି’ । ଅନ୍ୟପକ୍ଷେ, ଋତ୍ୱିକ ରୋଶନ, ଜୁନିୟର୍ ଏନ୍ଟିଆର୍ ଓ କିଆରା ଆଡ଼ଭାନି ଷ୍ଟାରର୍ ‘ୱାର୍-୨’ ୩୫ କୋଟି କଲେକ୍ସନ୍ କରିଥିଲା । ତାମିଲ, ତେଲୁଗୁ ଓ ହିନ୍ଦୀରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମ ଦକ୍ଷିଣ ଭାରତୀୟ ଭାଷାରେ ଭଲ ପ୍ରଦର୍ଶନ କରିଥିଲା । ଅନ୍ୟପକ୍ଷେ, ‘କୁଲି’ ସନ୍ଧ୍ୟା ସୁଦ୍ଧା ତାମିଲ ଭାଷାରେ ୮୪ ପ୍ରତିଶତ, ତେଲୁଗୁରେ ୯୧ ପ୍ରତିଶତ ଏବଂ ହିନ୍ଦୀରେ ୨୧ ପ୍ରତିଶତ ଥିଏଟର ହାଉସ୍ଫୁଲ୍ କରିଥିଲା । ପଣ୍ଡିଚେରୀ, ସାଲେମ ଓ ୱାରଙ୍ଗଲରେ ଏହା ୯୯ ପ୍ରତିଶତ ପ୍ରଦର୍ଶନ କରିଛି । ଚେନ୍ନାଇ, କୋଇମ୍ବାଟୋର ଓ ହାଇଦ୍ରାବାଦରେ ଫିଲ୍ମର ପ୍ରଦର୍ଶନ ୯୭ ପ୍ରତିଶତ ଥିଲା ।
‘କୁଲି’ର ରିଲିଜ୍ ସହିତ ଅଗଷ୍ଟ ୧୫ ତାରିଖରେ ସିନେମା ଜଗତରେ ୫୦ ବର୍ଷ ପୂରଣ କରିଛନ୍ତି ରଜନୀକାନ୍ତ । କମଲ ହାସନ, ଋତ୍ୱିକ ରୋଶନ, ଶିବକାର୍ତ୍ତିକେୟନ, ଉଦୟନିଧି ଷ୍ଟାଲିନ, ମୋହନଲାଲ, ମାମୁଟି, ନାନୀ ଏବଂ ଅନ୍ୟ ସେଲିବ୍ରିଟିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ ‘କୁଲି’ ରିଲିଜ୍ ହେବା ପରେ ତାମିଲନାଡୁ ଓ ଦେଶର ଅନେକ ସ୍ଥାନରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଶୁକ୍ରବାର ସକାଳୁ ସିନେମା ହଲ୍ ବାହାରେ ଫ୍ୟାନ୍ଙ୍କ ଭିଡ଼ ଜମା ହୋଇଥିଲା । ଲୋକଙ୍କ ହାତରେ ଢୋଲ, ବ୍ୟାନର୍, ବାଣ ଓ କ୍ଷୀର ଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଲୋକେ ଢୋଲର ତାଳେ ତାଳେ ନାଚୁଥିବା ନଜର ଆସିଥିଲେ ।
ରଜନୀକାନ୍ତଙ୍କ ବିଶାଳ ପୋଷ୍ଟର୍ରେ ଫୁଲମାଳା ପକାଇଥିଲେ । ଅନେକ ସ୍ଥାନରେ ରଜନୀଙ୍କ ପୋଷ୍ଟର୍କୁ କ୍ଷୀରରେ ଅଭିଷେକ କରୁଥିବା ଦେଖିବାକୁ ମିଳିଥିଲା । ଥିଏଟର ଭିତରେ ବି ଉତ୍ସାହର ମାହୋଲ ଥିଲା । ରଜନୀକାନ୍ତଙ୍କ ଏଣ୍ଟ୍ରି ସିନ୍ରେ ଅନେକ ଲୋକ ଫିଲ୍ମକୁ ଅଟକାଇ ତାଳି ମାରି ସେଲିବ୍ରେଟ୍ କରିଥିଲେ । ଭିଡିଓରେ ଲୋକେ ଏସ୍କେଲେଟର୍ରେ ମଧ୍ୟ ନାଚୁଥିବା ଦେଖିବାକୁ ମିଳିଥିଲା । କେବଳ ଭାରତ ନୁହେଁ, ବିଦେଶରେ ବି ରଜନୀକାନ୍ତଙ୍କର ଜବରା ଫ୍ୟାନ୍ ଅଛନ୍ତି । ସିଙ୍ଗାପୁରରେ ଫାର୍ମର୍ କନ୍ଷ୍ଟ୍ରକ୍ସନ ପ୍ରାଇଭେଟ୍ ଲିଃ. ନାମକ କମ୍ପାନି ଫିଲ୍ମ ଦେଖିବା ପାଇଁ ନିଜର ସମସ୍ତ କର୍ମଚାରୀଙ୍କୁ ଛୁଟି ଦେଇଛି । ସେତିକି ନୁହେଁ, କର୍ମଚାରୀଙ୍କୁ ମାଗଣା ଟିକଟ୍ ଓ ଖାଦ୍ୟ ମଧ୍ୟ ବାଣ୍ଟିଛି ।
ସେହିପରି ଆଉ ଏକ କମ୍ପାନି ‘କୁଲି’ ରିଲିଜ୍ ଅବସରରେ କର୍ମଚାରୀଙ୍କୁ ହାଫ୍ ଡେ ଛୁଟି ଦେଇଛି । ‘କୁଲି’ରେ ନାଗାର୍ଜୁନ, ଉପେନ୍ଦ୍ର, ସୌବିନ ଶାହୀର, ସତ୍ୟରାଜ, ଶ୍ରୁତି ହାସନ୍, ରିବା ମୋନିକା ଜନ୍, ଜୁନିୟର ଏମ୍ଜିଆର୍ ପ୍ରମୁଖ ଅଭିନୟ କରିଛନ୍ତି । ବଲିଉଡ୍ ଅଭିନେତା ଆମିର ଖାନ୍ଙ୍କର ଛୋଟ ଭୂମିକା ମଧ୍ୟ ରହିଛି । ତେଲୁଗୁ ସୁପର୍ଷ୍ଟାର ଜୁନିୟର ଏନ୍ଟିଆର୍ ଓ ଋତ୍ୱିକ ରୋଶନଙ୍କ ଫିଲ୍ମ ‘ୱାର୍-୨’ର ପ୍ରଦର୍ଶନ ‘କୁଲି’ ପାଇଁ ଫିକା ପଡ଼ିଛି । ତେବେ ସାଉଥ୍ରେ ଏନ୍ଟିଆର୍ଙ୍କ ଫ୍ୟାନ୍ଙ୍କ ମଧ୍ୟରେ ଫିଲ୍ମକୁ ନେଇ ଖାସ୍ ଉତ୍ସାହ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଫ୍ୟାନ୍ ‘ୱାର୍-୨’ ରିଲିଜ୍କୁ ନେଇ ଉତ୍ସବ ପାଳନ କରିଛନ୍ତି । ‘ୱାର୍-୨’ରେ ପୁଣି ଥରେ ଷ୍ଟାଇଲିଶ୍ ଓ ପାୱାରଫୁଲ୍ ଲୁକ୍ରେ ନଜର ଆସିଛନ୍ତି ଋତ୍ୱିକ । ଜୁନିୟର ଏନ୍ଟିଆର୍ ମେଜର ବିକ୍ରମ ଭୂମିକାରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି । କିଆରାଙ୍କୁ କମ୍ ସ୍କ୍ରିନ୍ ମିଳିଥିଲେ ମଧ୍ୟ ସେ ନିଜର ଦମ୍ ଦେଖାଇଛନ୍ତି ।