ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ସିଦ୍ଦରାମେୟାଙ୍କୁ "ମୁଡା' ଅଡ଼ୁଆ

୨।୧୦: ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରେ ରାଜନୀତି ଜଟିଳ ମୋଡ଼ ନେଇଛି । ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ପାଇଁ ନିଜେ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ସମସ୍ୟାର କାରଣ ହୋଇଛନ୍ତି । ତାଙ୍କ ନାମରେ ମନି ଲଣ୍ଡରିଂ ମାମଲାର ଆରୋପ ଲାଗିଛି । ମୈଶୁର ଡେଭଲପ୍‌ମେଣ୍ଟ ଅଥରିଟି (ମୁଡା) ଜମି ଓ ଘର ଆବଣ୍ଟନ ନେଇ ତାଙ୍କ ପରିବାର ନାମରେ ଆରମ୍ଭ ହୋଇଛି ମାମଲା । ନିଜେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ କେଳେଙ୍କାରୀରେ ଲିପ୍ତ ନଥିବା କୁହାଯାଉଥିଲେ ସୁଦ୍ଧା ତାଙ୍କ ସହଧର୍ମିଣୀ ବି.ଏମ୍‌. ପାର୍ବତୀ ଏବଂ ଶାଳକ ମଲ୍ଲିକାର୍ଜୁନ ସ୍ୱାମୀ ଏବଂ ଦେବରାଜୁଙ୍କୁ ନେଇ ମନି ଲଣ୍ଡରିଂ ମାମଲା ଆରମ୍ଭ ହୋଇଛି । ଶାଳକ ସ୍ୱାମୀ ଜମି କ୍ରୟ କରି ପାର୍ବତୀଙ୍କୁ ଉପହାର ସୂତ୍ରରେ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହଧର୍ମିଣୀ ଓ ଅନ୍ୟମାନଙ୍କୁ ପକ୍ଷ କରି ମାମଲା ଚଳାଯାଇଥିବାରୁ କାହିଁକି ସିଦ୍ଦରାମେୟା ଇସ୍ତଫା ଦେବେନାହିଁ ବୋଲି ପ୍ରତିପକ୍ଷ ଶିବିରରୁ ଦାବି ଉଠାଯାଉଛି । କର୍ଣ୍ଣାଟକରେ ଲୋକାୟୁକ୍ତ ବ୍ୟବସ୍ଥା ସକ୍ରିୟ ରହିଛି । ଲୋକାୟୁକ୍ତଙ୍କ ନିକଟରେ ସେପ୍ଟେମ୍ବର ୨୭ରେ ଏଫ୍‌ଆଇଆର୍‌ ଦାଖଲ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲୋକାୟୁକ୍ତଙ୍କ ସୂଚନା ଆଧାରରେ ମନି ଲଣ୍ଡରିଂ ମାମଲା ଆରମ୍ଭ କରିଥିବାରୁ ବିରୋଧୀ ରାଜନୈତିକ ଶିବିର ସିଦ୍ଦୁଙ୍କ ଇସ୍ତଫା ଦାବି କରିଛନ୍ତି । 

ବିଶେଷ କରି ଭାରତୀୟ ଜନତା ପାର୍ଟି ପ୍ରମୁଖ ବିରୋଧୀ ଦଳ ଥିବାରୁ ତାହା ସିଦ୍ଦୁଙ୍କ ମୁଣ୍ଡ ଦାବି କରୁଛି । ମାମଲା ରୁଜୁ ହେବା ପୂର୍ବରୁ ଓ ପରବର୍ତ୍ତୀ ସମୟ ରାଜ୍ୟ ସରକାରଙ୍କ ପାଇଁ ଅସ୍ୱାଭାବିକ ହୋଇପଡ଼ିଛି । ଏପରି ହୋଇଛି ଯେ, ଜମି କେଳେଙ୍କରୀରେ ଜଡ଼ିତ ଥିବା ନେଇ ଆପାତ ତଥ୍ୟ ପ୍ରମାଣ ଥିବା ସତ୍ତେ୍ୱ କଂଗ୍ରେସ ନେତାମାନେ ମୁହଁ ଭୁରୁଡ଼ି ମାରି ଦୋଷୀ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ସ୍ୱତନ୍ତ୍ର ଆବେଦନ ଉପରେ ମାମଲା ନେଇ କର୍ଣ୍ଣାଟକ ହାଇକୋର୍ଟ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍‌ଙ୍କ ଅନୁମୋଦନ ପରେ ସିଦ୍ଦରାମେୟାଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ଚଳାଯିବାକୁ ରାଜ୍ୟପାଳଙ୍କର ସବୁଜ ସଙ୍କେତ ତାଙ୍କ ରାଜନୈତିକ ଭବିଷ୍ୟତ ପାଇଁ ସମସ୍ୟା କରିପାରେ ବୋଲି କୁହାଯାଉଛି । "ମୁଡା' ମାମଲା ୧୪ଟି ଜାଗା ଆବଣ୍ଟନ ଉପରେ ଦଖଲ ଓ ଦୁର୍ନୀତି ଅଭିଯୋଗ ପାଇଁ ବହୁଦିନ ପର୍ଯ୍ୟନ୍ତ ଲାଗିରହିଛି । ଏବେ ହାଇକୋର୍ଟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ରାଜ୍ୟପାଳଙ୍କ ଅନୁମୋଦନ ବିରୋଧୀଙ୍କ ଶିବିରକୁ ସିଦ୍ଦୁଙ୍କ ଉପରକୁ ତୀର ନିକ୍ଷେପ ପାଇଁ ମଉକା ଯୋଗାଇ ଦେଇଛି । 

ଏକଥା ସତ୍ୟ ଯେ, ମୁଖ୍ୟମନ୍ତ୍ରୀ ମୁଡା ମାମଲା ନେଇ ତାଙ୍କ ବିରୋଧରେ ରାଜନୈତିକ ଅଭିସନ୍ଧି ରଖି ବିରୋଧୀମାନେ ଗୋଟି ଚଳାଉଛନ୍ତି ବୋଲି ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କଂଗ୍ରେସ ଦଳ କହିଛି । ଭୁଲ୍‌ ତ୍ରୁଟି ହୋଇଥିଲେ ସୁଧାରିବା ସକାଶେ ଅନେକ ରାସ୍ତା ଥିବା ସତ୍ତେ୍ୱ କାହିଁକି ଏଭଳି କରାଯାଇ ସରକାରକୁ ବଦ୍‌ନାମ କରିବା ପାଇଁ ଷଡ଼ଯନ୍ତ୍ର ହେଉଛି ବୋଲି ପ୍ରଶ୍ନ କରିଛନ୍ତି ସେ । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରାଯାଇ ମାମଲା ଚଳାଯିବା ସମ୍ଭବତଃ ଏହା ପ୍ରଥମ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାମରେ ମାମଲା ଚଳାଯାଇ ତାଙ୍କୁ କାରାରୁଦ୍ଧ କରାଯାଇଥିଲା । ସେହିଭଳି ଆମ୍‌ ଆଦ୍‌ମି ପାର୍ଟିର ଅରବିନ୍ଦ କେଜରୀୱାଲଙ୍କୁ ତଦନ୍ତ ସଂସ୍ଥା ମାମଲା ଚଳାଇ ଗିରଫ କରିନେଇଥିଲେ । କେଜରୀୱାଲ ଏହାପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ଦ୍ୱାରା ଜାମିନ୍‌ ମଂଜୁର ପରେ ସେ ସର୍ତ୍ତମୂଳକ ଜାମିନ୍‌ ପାଇଛନ୍ତି । କର୍ଣ୍ଣଟକ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ବିଜେପି ସିଦ୍ଦରାମେୟାଙ୍କୁ "ମୁଡା' ଜମି ସ୍କାଣ୍ଡାଲରେ ଅକଳରେ ପକାଇବାକୁ ଅବଶ୍ୟ ଚେଷ୍ଟା ଚଳାଇବ, ସେଥିରେ କାହାରି ସନ୍ଦେହ ଥାଇନପାରେ । ହରିଆଣା ଓ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହେଉଛି । କାଶ୍ମୀରରେ ଦଶବର୍ଷ ପରେ ହେଉଛି ନିର୍ବାଚନ । କଂଗ୍ରେସ ଓ ବିଜେପି ସହ ଅନ୍ୟ ଦଳଗୁଡ଼ିକ ଭିତରେ ନ୍ୟାସନାଲ୍‌ କନଫରେନ୍‌ସ ଓ ପିଡିପି ପାଇଁ ଏହି ନିର୍ବାଚନ ବହୁତ କିଛି ମାନେ ରଖୁଛି । 

ସେପଟେ ଝାରଖଣ୍ଡରେ ନିର୍ବାଚନ ବାଜା ବାଜିବା ଆରମ୍ଭ କଲାଣି । ଶୁଣାଯାଉଛି, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କୁ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଚେହେରା କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ସେହି ପରିପ୍ରେକ୍ଷୀରେ କର୍ଣ୍ଣାଟକରେ ବିଜେପିର ପ୍ରଭାବ ଓ ପ୍ରତିପତ୍ତିର ପରୀକ୍ଷା ସିଦ୍ଦରାମେୟାଙ୍କ ସ୍ଥିତି ଉପରେ ନିର୍ଭର କରୁଛି ବୋଲି ଟିକାକାର ମତ ରଖୁଛନ୍ତି । ମହାରାଷ୍ଟ୍ରରେ ମଧ୍ୟ ନିର୍ବାଚନ ପାଇଁ ବେଳ ଆଖର ହେଉଛି । ସେଠାରେ ଉଦ୍ଧବ ଗୋଷ୍ଠୀ ନା ସିନେ୍ଧ ଗୋଷ୍ଠୀର ଜିତାପଟ ହେବ, ତାହା ଆଉ ଏକ ପ୍ରଶ୍ନ । ଏହାକୁ ଅନ୍ୟ ଅର୍ଥରେ ଆଉ ଏକ ମିନି ନିର୍ବାଚନ କୁହାଯାଇପାରିବ । ତାହାର ଫଳାଫଳ ଉପରେ ସମସ୍ତଙ୍କର ରହିବ ଉତ୍ସୁକ ନଜର । ଦେଶର ଜନସାଧାରଣଙ୍କ ମତରେ ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ହେଉ । ଦେଶରୁ ଦୁର୍ନୀତି ହଟିଲେ ସମାଜ ସଂସ୍କାରିତ ହେବ ଏବଂ ଏହା ଦେଶ ଓ ଦେଶବାସୀଙ୍କ ପାଇଁ ହିତକର । କିନ୍ତୁ ଦିନକୁ ଦିନ ଜନଜୀବନରେ ରହିଥିବା ବ୍ୟକ୍ତିତ୍ୱମାନଙ୍କ ପଛରେ ଥିବା ଦୁର୍ନୀତିର ଚେର ଏତେ ବ୍ୟାପକ ହେବା ପରିଲକ୍ଷିତ ହେଉଛି ଯେ ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.