କଟକ,୨୨/୨ : ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ମୋ ବସରେ ଶନିବାର ଅପରାହ୍ନରେ ଅଚାନକ ଲାଗିଲା ନିଆଁ । ମୋ ବସର ଗେଟ ଲକ୍ ପଡି ଖୋଲି ନ ଥିଲା। ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସ ହୋଇ ଜୀବନ ବଞ୍ଚାଇବା ପାଇଁ ଝରକା ବାଟେ ସୁରକ୍ଷିତ ବାହାରି ଆସିଥିଲେ । ଫଳରେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧିରୁ ବଡ଼ ଅଘଟଣରୁ ରକ୍ଷା ପାଇଥିବା ଚର୍ଚ୍ଚା ହେଉଛି।
ସୂଚନା ମୁତାବକ, ମୋ ବସ୍ (ନଂ ଓଡି-୩୩ ୟୁ ୬୫୨୪)ଟି ଚୌଦ୍ୱାର ଥାନା ଅଧୀନ ଆଗ୍ରାହାଟରୁ ବାହାରି ଚୁଡାଖିଆ, କଳିଙ୍ଗ ଛକ ଓ ଗନ୍ଧିଛକରୁ ୩୫ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା। ବିରୂପା ନଦୀ ଅତିକ୍ରମ କରି ସାରିବା ପରେ ହଠାତ ଗାଡ଼ିରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଯାତ୍ରୀ ଚିତ୍କାର କରିବାରୁ ଡ୍ରାଇଭର ଗାଡ଼ିକୁ ପାର୍ଶ୍ଵରେ ଅଟକାଇ ଥିଲା। ସେତେବେଳକୁ ମୋ ବସରେ ପ୍ରଚଣ୍ଡ ଧୂଆଁ ବାହାରିଥିଲା। ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଗେଟ ବାଟେ ବାହାରିବା ପୁର୍ବରୁ ଗେଟଟି ସେନ୍ସର ଲକ୍ ହୋଇଯାଇଥିଲା । ଯାତ୍ରୀ କୌଣସି ଉପାୟ ନ ପାଇ ଝରକା ବାଟେ ବାହାରି ଯାଇଥିଲେ।