କଟକ,୦୮/୦୨: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ରେ ଆସୁଥିବା ବେଳେ ବାଟରେ ଜଗି ବସିଥିଲା ଯମ । ଆଖି ପିଛୁଳାକେ ଧକ୍କା ଦେଇ ଚାଲିଗଲା ଟ୍ରକ୍ । ଦୁର୍ଘଟଣାରେ ବାପ ଏବଂ ପୁଅଙ୍କର ଉଡ଼ିଗଲା ପ୍ରାଣବାୟୁ । ଉଜୁଡ଼ି ଗଲା ହସ ଖୁସିର ସଂସାର । କଟକ ଶିଖରପୁର ଅଞ୍ଚଳର ଜାତୀୟ ରାଜପଥରେ ଘଟିଛି ଏଭଳି ଏକ ଘଟଣା ।
ସୂଚନା ମୁତାବକ, ଶିଖରପୁର ଅଞ୍ଚଳର ଜାତୀୟ ରାଜପଥରେ ଏକ ପରିବାର ବାଇକ୍ରେ ଯାତ୍ରା କରୁଥିଲା । ବାଇକ୍ରେ ସ୍ଵାମୀ ସ୍ତ୍ରୀ ଓ ତାଙ୍କର ୫ ବର୍ଷର ପୁଅ କେନ୍ଦ୍ରାପଡ଼ାରୁ କଟକ ଆସୁଥିଲେ । ଏହି ସମୟରେ ବାଇକ୍ଟିକୁ ଧକ୍କା ଦେଇଥିଲା ଟ୍ରକ୍ । ଟ୍ରକ୍ଟି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିଲା । ଦୁର୍ଘଟଣାରେ ବାପ ପୁଅ ଅତି ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ । ଏହା ଦେଖି ସ୍ଥନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ଅତି ଗୁରୁତର ଅବସ୍ଥାରେ ଦୁହିଁଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ଫେରାର ଥିବା ଡ୍ରାଇଭରକୁ ଖୋଜି ଘଟଣାର ତଦନ୍ତ ଚଳାଇଛି ପୋଲିସ ।