ଲାହୋର,୨୬/୦୨ : ଚଳିତ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ବି’ରେ ଆଜି ଗୁରୁତ୍ୱପୂର୍ଣ୍ଣ ମୁକାବିଲା। ଏହି ମ୍ୟାଚ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଇଂଲଣ୍ଡ ଓ ଆଫଗାନିସ୍ତାନ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ମୋଟ ଉପରେ କହିବାକୁ ଗଲେ ଏହା ଟୁର୍ଣ୍ଣାମେଣ୍ଟର ଅଘୋଷିତ ନକ୍ ଆଉଟ୍ ମ୍ୟାଚ୍ । କାରଣ ଏହି ମ୍ୟାଚ୍ରେ ପରାଜିତ ଦଳ ସେମି ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିବ । ଇଂଲଣ୍ଡ ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଠାରୁ ପରାଜିତ ହୋଇଥିଲେ । ଗତକାଲି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବାତିଲ ହୋଇଥିଲା ଓ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ । ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ୩ ପଏଣ୍ଟ ଲେଖାଏଁ ଅର୍ଜନ କରିସାରିଛନ୍ତି । ପଏଣ୍ଟ ଖାତା ଖୋଲିନଥିଲେ ହେଁ ଇଂଲଣ୍ଡ ଓ ଆଫଗାନିସ୍ତାନ ନିକଟରେ ସେମିକୁ ପ୍ରବେଶ କରିବାର ସୁଯୋଗ ରହିଛି ।
ଇଂଲଣ୍ଡ ଆଜି ଆଫଗାନିସ୍ତାନ ଓ ଶେଷ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଲେ ୪ପଏଣ୍ଟ ସହ ସେମିରେ ପ୍ରବେଶ କରିପାରିବ । ଆଫଗାନିସ୍ତାନ ମଧ୍ୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ହରାଇ ପାରିଲେ ସେମିରେ ସ୍ଥାନ ପକ୍କା କରିପାରିବ । ରେକର୍ଡ ଓ ତାରକା ଖେଳାଳିଙ୍କ ଭିଡ଼କୁ ଦେଖିଲେ ଇଂଲଣ୍ଡ ବିଜୟ ଦାବିଦାର ମନେ ହେବ । କିନ୍ତୁ ଗତ ଦିନିକିଆ ବିଶ୍ୱକପ୍ (୨୦୨୩)ରେ ଆଫଗାନିସ୍ତାନ ଠାରୁ ପରାଜିତ ହୋଇଥିଲା ଇଂଲଣ୍ଡ । ଏଥର ଇଂଲଣ୍ଡ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଇଂଲଣ୍ଡ ଚିତ୍ତାକର୍ଷକ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ମାତ୍ର ବୋଲରମାନେ ଦୀଶାହୀନ ବୋଲିଂ କରିବାରୁ ଦଳ ପରାଜିତ ହୋଇଥିଲା । ଅବଶ୍ୟ ଆଫଗାନିସ୍ତାନ ବିପକ୍ଷରେ ଇଂଲଣ୍ଡ ପେସ ବାହିନୀ ଲୟକୁ ଫେରିବା ଆଶା କରାଯାଉଛି । ଏପଟେ ବ୍ରାଇଡନ କାର୍ସ ଆହତ ହେବାରୁ ଦଳର ଚିନ୍ତା ବଢ଼ିଯାଇଛି । ତାଙ୍କ ସ୍ଥାନରେ ଜାମି ଓଭରଟନ ଖେଳିବା ଏକ ପ୍ରକାର ନିଶ୍ଚିତ ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନ ଶ୍ରେଷ୍ଠ ଏକାଦଶ ସହ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଉଭୟ ବିଭାଗରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ପରାଜିତ ହୋଇଥିଲା । ଇଂଲଣ୍ଡ ବିପକ୍ଷରେ ସବୁ ତ୍ରୁଟି ସୁଧାରିବାକୁ ହେବ । ବିଶେଷ କରି ବ୍ୟାଟରମାନେ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିଲେ ଆଫଗାନିସ୍ତାନ ପୁଣି ଥରେ ବିପର୍ଯ୍ୟୟ ଘଟାଇ ପାରିବ । ଗଦ୍ଦାଫି ଷ୍ଟାଡ଼ିୟମ୍ରେ ଦ୍ୱିତୀୟ ଭାଗରେ ବ୍ୟାଟିଂ କଲେ ବିଜୟ ସହଜ ହୋଇପାରିବ । ମାତ୍ର ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କଲେ ଜିତି ପାରିବ । ବ୍ୟାଟିଂ ତୁଳନାରେ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ । ତେଣୁ ରସିଦ ଖାନ୍, ନୂର ଅହମ୍ମଦ ଓ ମହମ୍ମଦ ନବିଙ୍କ ଭଳି ସ୍ପିନରମାନେ ଇଂଲଣ୍ଡ ବ୍ୟାଟରଙ୍କ ଧୂଳି ଚଟାଇ ପାରିବେ ।
ରନ୍ ପର୍ବ: ଗଦ୍ଦାଫି ଷ୍ଟାଡ଼ିୟମ୍ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୫୧ ରନ କରିଥିଲା ଓ ଅଷ୍ଟ୍ରେଲିଆ ୧୫ଟି ବଲ ବାକି ଥାଇ ୩୫୨ ରନ୍ର ବିଶାଳ ଲକ୍ଷ୍ୟ ହାସଲ କରିନେଇଥିଲା । ତେଣୁ ଏଠାରେ ଟସ ଜିତି ଫିଲ୍ଡିଂ କରିବା ଉପଯୁକ୍ତ ନିଷ୍ପତ୍ତି ହେବ ।