ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଢେଙ୍କାନାଳ ଗଣଦୁଷ୍କର୍ମ ଘଟଣା : ୬ଷ୍ଠ ଅଭିଯୁକ୍ତକୁ ଧରି ଥାନାରେ ପହଞ୍ଚିଲେ ଗ୍ରାମବାସୀ, ନିର୍ଦ୍ଦୋଷ କହି ଛାଡିଦେବାକୁ କଲେ ଗୁହାରି

ଢେଙ୍କାନାଳ, ୧୩/୦୯ : ଢେଙ୍କାନାଳ ଭାପୁର  ଅଞ୍ଚଳରେ ଗଣବଳାତ୍କାର ଘଟଣାରେ ଗୁରୁବାର ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଉକ୍ତ ଗାଁର କାଠିଆ ମହାରଣା (୨୨ ବର୍ଷ) । ଗ୍ରାମବାସୀ ତାକୁ ଧରି ଥାନାକୁ ଆଣିଥିଲେ, ସେ ନିର୍ଦ୍ଦୋଶ ବୋଲି  ଯୁକ୍ତି ବାଢ଼ିଥିଲେ । ମାତ୍ର ପୀଡ଼ିତା କାଠିଆ ସମ୍ପୃକ୍ତ ବୋଲି କହିବାରୁ ପୁଲିସ୍‌ ତାକୁ ଗିରଫ କରିଛି । ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା ବେଳେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି । ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିବା ପୁଲିସ୍‌ କହିଛି । 

ଘଟଣା ପଦାକୁ ଆସିବା ପରେ କାଠିଆ ଗାଁ ଛାଡ଼ି ଫେରାର୍‌ ହୋଇଯାଇଥିଲା। ପୁଲିସ ତାକୁ ଧରିବାକୁ ଚଢ଼ଉ ଜାରି ରଖିଥିଲା। ବୁଧବାର କାଠିଆର ବାପାଙ୍କୁ ପୁଲିସ୍‌ ଥାନାକୁ ଆଣି ପଚରାଉଚରା କରିଥିବା ବେଳେ କାଠିଆ ଆତ୍ମସମର୍ପଣ କରିବାକୁ କହିଥିଲା । ଗୁରୁବାର ଅପରାହ୍ଣ ୪ଟାରେ ଗାଁର ୪୦ରୁ ଅଧିକ ଲୋକ କାଠିଆକୁ ଧରି ଭାପୁର ଫାଣ୍ଡିରେ ପହଞ୍ଚିଥିଲେ । ହେଲେ କାଠିଆ ଉକ୍ତ ଘଟଣାରେ ସମ୍ପୃକ୍ତ ନାହିଁ । ସେ ଏପରି କାର୍ଯ୍ୟ କରି ନଥିବ ବୋଲି କାଠିଆର ବାପା, ମା’ଙ୍କ ସହ ଗ୍ରାମବାସୀ ପୁଲିସ୍‌କୁ କହିଥିଲେ। କାଠିଆକୁ ଛାଡ଼ିଦେବା ପାଇଁ ଗୁହାରି କରିଥିଲେ। ପୀଡ଼ିତାଙ୍କ ବୟାନ୍‌ ରେକର୍ଡ ସରିଥିବାରୁ ତାଙ୍କ କହିବା ଅନୁସାରେ ହିଁ ଅଭିଯୁକ୍ତଙ୍କୁ ଧରିବାକୁ ହେବ, ଛାଡ଼ି ହେବ ନାହିଁ ବୋଲି ପୁଲିସ୍‌ କହିଥିଲା । ହ୍ୱାଟସ୍‌ଆପ୍‌ରେ କାଠିଆର ଫଟୋ ପୀଡ଼ିତାଙ୍କ ପାଖକୁ ପଠାଇଥିଲା ପୁଲିସ୍‌ । କାଠିଆ ସମ୍ପୃକ୍ତ ଥିବା ପୀଡ଼ିତା କହିବାରୁ ପୁଲିସ୍‌ ତାକୁ ଛାଡ଼ି ନ ଥିଲା । ଭାପୁର ଫାଣ୍ଡିରୁ ସଦର ଥାନାକୁ ଆଣି ପଚରାଉଚରା କରିବା ସହ ଗିରଫ କରିଛି । 

ଆଜି ଡାକ୍ତରୀପରୀକ୍ଷା ପରେ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି । କାଠିଆର ବଡ଼ ଭାଇ ବିରଞ୍ଚି ମହାରଣା (୩୨ ବର୍ଷ) ପୂର୍ବରୁ ଗିରଫ ହୋଇଥିଲା । ସେହିଭଳି ଉକ୍ତ ଗାଁର ସୋମନାଥ ପରିଡ଼ା(୨୭ ବର୍ଷ), ବାବୁଲି ନାଏକ(୪୦ ବର୍ଷ) ଓ ଅବିନାଶ ପରିଡ଼ା(୨୪ ବର୍ଷ)ଙ୍କ ସମେତ ଜଣେ ୧୬ ବର୍ଷର ନାବାଳକ ଧରାପଡ଼ିଛନ୍ତି। ଅନ୍ୟଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଥିବା ବେଳେ ସମସ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି ବୋଲି ପୁଲିସ୍‌ କହିଛି । ପୀଡ଼ିତାଙ୍କ ବୟାନ ଆଧାରରେ ଯଦି ଆଉ କେହି ଅଭିଯୁକ୍ତ ଥାଆନ୍ତି ତେବେ ସେମାନଙ୍କୁ ଧରାଯିବ । ଖୁବ୍‌ଶୀଘ୍ର ଚାର୍ଜସିଟ୍‌ ଦାଖଲ କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାକୁ ପ୍ରୟାସ ଚାଲିବ ବୋଲି ପୁଲିସ କହିଛି । 

ସୂଚନାଯୋଗ୍ୟ, ପୀଡ଼ିତା ଓ ତାଙ୍କ ବାପା ଗାଁରେ ଥିବା ମହିଳା ସମିତି ଗୃହର ସିଡ଼ି ତଳେ ଦୀର୍ଘ ବର୍ଷ ଧରି ରହୁଥିଲେ । ଅଭିଯୁକ୍ତମାନେ ରାତିରେ ଅସହାୟତାର ସୁଯୋଗ ନେଇ ଯୁବତୀଙ୍କୁ ଛାତ ଉପରକୁ ଟେକି ନେଇ ଗଣବଳାତ୍କାର କରୁଥିଲେ । ଗର୍ଭବତୀ ହେବା ପରେ ସଖୀ କେନ୍ଦ୍ରର କର୍ମଚାରୀ ଖବର ପାଇ ଗତ ୫ ତାରିଖରେ ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ । ପରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଥିଲା।

ଦିନ ୪ଟାରେ ବଳାତ୍କାର  କରିଥିଲା କାଠିଆ 

ଖାଲି ରାତି ନୁହେଁ, ଦିନ ସମୟରେ ବି ବଳାତ୍କାରର ଶିକାର ହେଉଥିଲେ ପୀଡ଼ିତା । ଅସହାୟ ବାପା କିମ୍ବା ପୀଡ଼ିତା କିଛି ପ୍ରତିବାଦ କରିପାରୁନଥିଲେ । ଗାଁ ଲୋକ ବି ଘଟଣାକୁ ନେଇ ଚୁପ୍‌ ରହିଥିଲେ । ଯାହା ଅଭିଯୁକ୍ତଙ୍କୁ ଅଧିକ ସାହସ ଦେଉଥିଲା ।  ଗିରଫ ହୋଇଥିବା କାଠିଆ ଅପରାହ୍ଣ ୪ଟା ସମୟରେ ପୀଡ଼ିତାଙ୍କୁ ଉଠାଇ ନେଇ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା ଘଟଣା ପଦାକୁ ଆସିଛି । ଖୋଦ୍‌ ପୀଡ଼ିତା ଏନେଇ ପୁଲିସକୁ ସମସ୍ତ ସୂଚନା ଦେଇଛନ୍ତି। 

ପୀଡ଼ିତା, ଅଭିଯୁକ୍ତଙ୍କ ଏଚ୍‌ଆଇଭି ପରୀକ୍ଷା କରାଇଛି ପୁଲିସ

ପୀଡ଼ିତା ନିୟମିତ ଗଣବଳାତ୍କାର ଶିକାର ହୋଇଆସୁଥିଲେ । ଯାହାର ଇଚ୍ଛା ଯେତେବେଳେ ହେଲା, ସେ ପାଶବିକ ଅତ୍ୟାଚାର କରୁଥିଲା । ପୀଡ଼ିତାଙ୍କ ବୟାନ ଅନୁଯାୟୀ ପୁଲିସ ୮ଜଣଙ୍କ ନାଁରେ ମାମଲା ରୁଜୁ କରିଥିବାବେଳେ ଅଭିଯୁକ୍ତଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିବାରେ ସମ୍ଭାବନା ରହିଛି । ଗଣବଳାତ୍କାର ସ୍ଥଳ ଛାତ ଉପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ ଛାନ୍‌ଭିନ୍‌ କରିଥିବା ବେଳେ କୌଣସି ବ୍ୟବହୃତ ପ୍ରତିରୋଧକ ପାଇନଥିବା ଜଣାଯାଇଛି । ଦୀର୍ଘଦିନ ଧରି  ବିନା ପ୍ରତିରୋଧକରେ ଏତେ ଜଣ ବଳାତ୍କାର କରିବା ଏଚ୍‌ଆଇଭି/ଏଡ୍‌ସର ଆଶଙ୍କା ସୃଷ୍ଟି କରିଛି । ଏଣୁ ପୁଲିସ ପୀଡ଼ିତାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କର ଏଚ୍‌ଆଇଭି ପରୀକ୍ଷା କରାଇଛି । ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ପୂର୍ବରୁ ଡାକ୍ତରୀ ପରୀକ୍ଷା ସମୟରେ ଏଚ୍‌ଆଇଭି ପରୀକ୍ଷା ନିମନ୍ତେ ରକ୍ତ ନମୁନା ଦିଆଯାଇଥିବା ଜଣାଯାଇଛି । ଏହି ରିପୋର୍ଟ ପ୍ରକାଶ କରିବାର ନିୟମ ନଥିବାରୁ ପୁଲିସ ଏହାକୁ  ଗୋପନ ରଖିବ ସତ, ମାତ୍ର ଯଦି ପଜିଟିଭ୍‌ ଆସେ ତେବେ ଏହା ବଡ଼ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିବ ବୋଲି ଜଣାଯାଇଛି।

ମୃତ ଅଭିଯୁକ୍ତ ବୁଲୁକୁ ନେଇ ସସ୍‌ପେନ୍ସ 

୭ ଜଣ ଅଭିଯୁକ୍ତ ଏହି ଘଟଣାରେ ସଂପୃକ୍ତ  ଥିବାର ପ୍ରଥମେ ପୁଲିସ ପ୍ରକାଶ କରିଥିଲା ।  ଗାଁ’ରେ କିନ୍ତୁ ଜଣେ ମୃତକଙ୍କୁ ମିଶାଇ ୮ ଜଣ ଏହି ପାଶବିକ ଅତ୍ୟାଚାର କରିଥିବା ଚର୍ଚ୍ଚା ହେଉଛି । ମୃତ ଅଭିଯୁକ୍ତ ବୁଲୁ ମହାରଣାକୁ ନେଇ ସସ୍‌ପେନ୍ସ ଦେଖାଦେଇଛି । ବୁଲୁ ମହାରଣା ବୋଲି ଗାଁରେ ସେଭଳି କେହି ଲୋକ ନଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ଯଦି ବି ତାଙ୍କର ମୃତ୍ୟୁ ହୋଇଥାଏ ତେବେ କିଛି ମାସ କିମ୍ବା ବର୍ଷ ମଧ୍ୟରେ ହୋଇଥିବ । ଯାହା ସମ୍ପର୍କରେ ଗ୍ରାମବାସୀ ଜାଣିବା କଥା । ମାତ୍ର ଗାଁରେ ସେଭଳି ନାମଧାରୀ କେହି ନଥିଲେ କିମ୍ବା ନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ସେ ବ୍ୟକ୍ତି କିଏ ଓ କେଉଁଠିକାର? ପୁଲିସ କେଉଁ ଆଧାରରେ ତାଙ୍କୁ ମୃତ କହୁଛି ବୋଲି ପ୍ରଶ୍ନ ଉଠିଛି । ନା ତାଙ୍କୁ ନପାଇ ମୃତ ବୋଲି ପୁଲିସ ଦର୍ଶାଉଛି ? ମୃତକ ବୁଲୁକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । 

ସ୍କୁଲ୍‌ ଶୌଚାଳୟରେ  ବାଳାତ୍କାର କରିଥିଲା ନାବାଳକ ଅଭିଯୁକ୍ତ, ବର୍ଷେ ତଳେ ଭାଇରାଲ ହୋଇଥିଲା ଭିଡିଓ 

ଗଣବଳାତ୍କାରରେ ୧୬ ବର୍ଷର ନାବାଳକଙ୍କ ସମ୍ପୃକ୍ତି ଓ ସପ୍ତମ ଶ୍ରେଣୀରୁ ଲିପ୍ତ ଥିବା କଥା ସମସ୍ତଙ୍କୁ ଚକିତ କରିଛି । ତାହାଠାରୁ ବି ଆହୁରି ବଡ଼ କଥା ସାମ୍ନାକୁ ଆସିଛି । ନାବାଳକ ଜଣକ ପୀଡ଼ିତାଙ୍କୁ ନେଇ ସ୍କୁଲ ଶୌଚାଳୟରେ ବଳାତ୍କାର କରିଛି । ଯାହାର ଭିଡିଓ କ୍ଲିପ୍‌ ବର୍ଷେ ତଳେ ଗାଁରେ ଭାଇରାଲ ହୋଇଥିଲା । ପୀଡ଼ିତା ରହୁଥିବା ମହିଳା ସମିତି ଘର ସମ୍ମୁଖରେ ହିଁ ସ୍କୁଲ୍‌ ରହିଛି । ଏଣୁ ନାବାଳକ ସେଠାକୁ ନେଇ ଏପରି କାର୍ଯ୍ୟ କରିଥିଲା ବୋଲି ଜଣାଯାଇଛି । ଭିଡିଓ କିଏ ଉତ୍ତୋଳନ କରି ଭାଇରାଲ୍‌ କରିଥିଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ପୁଲିସ ହାତରେ ମଧ୍ୟ ଉକ୍ତ ଭିଡିଓ କ୍ଲିପ୍‌ ଲାଗିଥିବା ଜଣାଯାଇଛି। 

ସାମାଜିକ ସଙ୍ଗଠନର ନିରବତା ନେଇ ପ୍ରଶ୍ନବାଚୀ

ପ୍ରାୟ ୩ ବର୍ଷ ଧରି ଅସହାୟ ଯୁବତୀଙ୍କୁ ଗଣବଳାତ୍କାର ହେଉଥିଲା । ଗାଁ ଲୋକଙ୍କ ଠାରୁ ଆଶା, ଅଙ୍ଗନବାଡ଼ି କର୍ମୀ, ଜନପ୍ରତିନିଧି ସମସ୍ତେ ଜାଣି ବି ଚୁପ୍‌ ରହିଥିଲେ। ପୀଡ଼ିତା ୭ ମାସର ଗର୍ଭବତୀ ହେବା ପରେ ଘଟଣା ସାମ୍ନାକୁ ଆସିଛି । ସମସ୍ତେ ଜାଣି ଚୁପ୍‌ ରହିବା ଘଟଣା ମଣିଷପଣିଆକୁ ନେଇ ପ୍ରଶ୍ନଉଠିଛି । ମାତ୍ର ଏହାଠାରୁ ଆହୁରି ପରିତାପର ବିଷୟ କିଛି ଦିନ ପୂର୍ବରୁ କୋଲକାତା ଡାକ୍ତରୀ ଛାତ୍ରୀ  ବଳାତ୍କାର ଘଟଣାରେ ଯେଭଳି ନ୍ୟାୟ ଦାବି କରାଯାଇଥିଲା ସେପରି ଢେଙ୍କାନାଳ ଘଟଣାରେ ଦେଖାଯାଉନାହିଁ । ପ୍ରମୁଖ ରାଜନୈତିକ ଦଳର ନେତା ଓ କାର୍ଯ୍ୟକର୍ତ୍ତା ନିରବ ମୁଦ୍ରାରେ ବସିଛନ୍ତି । ବିଧାନସଭା ସରିଯାଇଥିଲେ ହେଁ, ବିରୋଧୀ ଏ ପ୍ରସଙ୍ଗ ଉଠାଇଲେ ନାହିଁ । ସାମାଜିକ ସଂଗଠନ ଗୁଡ଼ିକ ବି ନିରବତା ଅବଲମ୍ବନ କରିଛନ୍ତି । ଯାହାକୁ ନେଇ ସହରରେ ଆଲୋଚନା ଜୋର୍‌ ଧରିଛି । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଅସହାୟ ଯୁବତୀଙ୍କୁ ଗଣବଳାତ୍କାର ଖବର ଗତ  ୮ ତାରିଖରେ ‘ପ୍ରମେୟ’ରେ ପ୍ରଥମେ ପ୍ରକାଶ ପାଇବା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ୍ସରେ ସଠିକ୍‌ ତଦନ୍ତ ପାଇଁ ଏସ୍‌ପିଙ୍କୁ ନର୍ଦ୍ଦେଶ ଦେଇଥିବା ଜଣାଇଥିଲେ । ଆପ୍‌ ଓ କଂଗ୍ରେସ  ନେତା ପୀଡ଼ିତାଙ୍କ ଗାଁରେ ପହଞ୍ଚିବା ସହ ନ୍ୟାୟ ଦାବି କରିଥିଲେ । ମାତ୍ର ଏହାପରେ ସବୁ ନିରବ । ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡିର ନେତା କେବଳ ଗଣମାଧ୍ୟମକୁ ପ୍ରେସ୍‌  ରିଲିଜ ପଠାଇ ଦେଇ ଦାୟିତ୍ୱ ସାରିଦେଇଛନ୍ତି ।  କିଛିଦିନ ପୂର୍ବେ କଲିକତାରେ ଡାକ୍ତରୀ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାରେ ଢେଙ୍କାନାଳରେ ଜୋରଦାର୍‌ ପ୍ରତିବାଦ ସ୍ୱର ଶୁଭିଥିଲା । ଏକାଧିକ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ କ୍ୟାଣ୍ଡେଲ ଶୋଭାଯାତ୍ରା କରି ନ୍ୟାୟ ଦାବି କରିଥିଲେ । ଢେଙ୍କାନାଳରେ ଅସହାୟ ଯୁବତୀଙ୍କୁ ଗଣବଳାତ୍କାର ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସଂଗଠନ ଗୁଡ଼ିକ ଚୁପ୍‌ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.