ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଶ୍ରୀମନ୍ଦିର ଅଣସର ଦଶମୀ ଅବସରରେ ଶ୍ରୀଜିଉଙ୍କ ଦଶମୂଳ ପ୍ରସ୍ତୁତି ଓ ଚକା ବିଜେ ନୀତି

ପୁରୀ, ୧/୭ : ଆଜି ଅଣସର ଦଶମୀ ତିଥିରେ ଶ୍ରୀଜିଉମାନଙ୍କୁ ଦଶମୂଳ ମୋଦକ ଲାଗି ହୋଇ ସାରିବା ପରେ ଚକା ବିଜେ ହେବେ ଶ୍ରୀମହାପ୍ରଭୁ। ଆୟୁର୍ବେଦିକ ପଦ୍ଧତି ଓ ଶାସ୍ତ୍ର ଅନୁସାରେ ଶ୍ରୀଜିଉଙ୍କ ନିମନ୍ତେ ଦଶମୂଳ ମୋଦକ ପ୍ରସ୍ତୁତ ହୋଇଥାଏ। ଏହା ଏକାଦଶୀ ଦିନ ଶ୍ରୀଜିଉଙ୍କ ପାଖେ ସମର୍ପଣ ହୋଇଥାଏ। ଶ୍ରୀମନ୍ଦିରର ରାଜବୈଦ୍ୟ ସେବକମାନେ ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ଏହି ସେବା କରିଥାନ୍ତି। ଏହି ମହୌଷଧି ପ୍ରସ୍ତୁତି ନିମନ୍ତେ - ଶାଳପନ୍ନି, ଗମ୍ଭାରୀ, ଫଣଫଣା, କୃଷ୍ଣ ପନ୍ନି, ଅଗବଥୁ, ବେଲ, ଅଙ୍କରାନ୍ତି, ଗୋଖରା, ଲବିଂ କୋଳି, ନବାଙ୍କୁରୀକୁ ପ୍ରଥମେ ଶୁଖା ଯାଇଥାଏ। ପରେ ଏହାକୁ କୁଟା ଯାଇ ଗୁଣ୍ଡ କରାଯାଇଥାଏ। ଏହି ଗୁଣ୍ଡକୁ ଗାମୁଛାରେ ଛାଣି ନୂତନ କାଠ ଚୁଲିରେ କଡେଇ ବସଯାଇ ଖୁଆ, ଶର୍କରା, ସର, ମହୁ, ଘିଅ, ଭାଙ୍ଗ ଆଦି ପକାଯାଇ ଏହାକୁ ପାଗ କରାଯାଏ। ପାଗ ପରେ ଏହାକୁ କଦଳୀ ପତ୍ର ଉପରେ ରଖି ଥଣ୍ଡା କରାଯାଇଥାଏ। ଥଣ୍ଡା ହେଲା ପରେ ଏହାକୁ ଗୋଲାକାର ମୋଦକ କରି ୩ଟି କୁଡୁଆରେ ରଖା ଯାଇଥାଏ। ଏହା ଉପରେ କର୍ପୂର ଦେଇ ତାଳପତ୍ର ଭୋଗେଇରେ ରଖି ଶ୍ରୀମନ୍ଦିର ଗାରଦରେ ଦାଖଲ କରାଯାଇଥାଏ।

          ନୀଳାଦ୍ରି ମହୋଦୟ ଶାସ୍ତ୍ରରେ ମହାପ୍ରଭୁଙ୍କ ଅଣସର କାଳୀନ ଗୋପନ ସେବା ସଂପର୍କରେ ରହିଥିବା ମାର୍ଗ ଦର୍ଶକ ମୁତାବକ, ବିଶ୍ୱାବସୁ ତଥା ବିଦ୍ୟାପତି ବଂଶଧାରମାନେ ଶ୍ରୀଅଙ୍ଗ ସେବାରେ ଲାଗିବେ। ଏହି ସେବା ପାଇଁ ବିଭିନ୍ନ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ ଔଷଧ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବଡଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଓ ଶୁଦ୍ଧସୁଆର ସେବକମାନେ ଯୋଗାଇଥିବା ଓଷୁଅ ବା ଖଳି।

*ଆର୍ୟୁବେଦ ଶାସ୍ତ୍ର ଉପରେ କାହିଁକି ଭରସା କରନ୍ତି ମହାପ୍ରଭୁ

            ସ୍ନାନ ପୂର୍ଣ୍ଣମୀ ଦିନ ସର୍ବାଙ୍ଗ ସ୍ନାନ ପରେ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ଲାଗି ଦଶମୂଳ ମହୌଷଧି ଲାଗି କରାଯାଏ। ପବିତ୍ର ଏକାଦଶୀ ତିଥି ଅବସରରେ ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ପତି ମହାପାତ୍ର ସେବକ ଏହାକୁ ଲାଗି କରିବେ। ଏହି ମହୌଷଧି ଶ୍ରୀଅଙ୍ଗରେ ଉପଚାର କରାଯିବା ପରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ଏଥିସହିତ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ମଧ୍ୟ ଅନୁଷ୍ଠିତ ହେବ। ଶ୍ରୀଜୀଉମାନେ ରକ୍ତବସ୍ତ୍ର ପରିଧାନ କରିବେ ଓ ମହାପ୍ରଭୁଙ୍କୁ ତୁଳସୀ ଲାଗି ହେବେ। ସ୍ନାନ ପୂର୍ଣ୍ଣିମୀ ପରଠାରୁ ଅସୁସ୍ଥ ହୋଇପଡିବା ପରେ ମହାପ୍ରଭୁଙ୍କୁ ନୀତିରେ ତୁଳସୀ କିମ୍ୱା ଧଳା ଫୁଲ ବ୍ୟବହାର ହେଉନଥିଲା। 

            ଦଇତାପତି ସେବକଙ୍କ ଉଦ୍ୟମ କ୍ରମେ ମହାପ୍ରଭୁ କ୍ରମଶଃ ସୁସ୍ଥ ହୋଇ ଉଠନ୍ତି। ପୂର୍ବରୁ ବଡ଼ ଓଡ଼ିଆ ମଠ ଫୁଲୁରି ତେଲ ଯୋଗାଇ ଦିଅନ୍ତି, ଯାହା ମହାପ୍ରଭୁଙ୍କ ଠାରେ ଲାଗି କରାଯାଏ। ସେହିଭଳି ଶୁଦ୍ଧ ସୁଆର ସେବକ ମହାପ୍ରଭୁଙ୍କୁ ଔଷଧ ଯୋଗାଇ ଦିଅନ୍ତି। ଏହି କ୍ରମରେ ମହାପ୍ରଭୁ ଚକାବିଜେ ହେବା ପରେ ସୁସ୍ଥ ହେଉଥିବା ଲକ୍ଷଣ ପ୍ରକାଶ ପାଏ। ଏବଂ ପ୍ରଭୁଙ୍କ କବିରାଜ ତୁରନ୍ତ ଶ୍ରୀମନ୍ଦିରକୁ ଦଶମୂଳ ବା ମୋଦକ ବିଜେ କରାନ୍ତି। 

     ଆଷାଢ଼ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରର ଅନବସର ଗୃହରେ  ତିନୋଟି ମୁଗୁନି ପଥରର ଚକା ଅଣସର ପିଣ୍ଡିରେ ରଖାଯାଇ ବିଗ୍ରହଙ୍କୁ ଏକ ଚକା ଉପରେ ବିଜେ କରାଯାଏ। ପାରମ୍ପରିକ ରୀତି ମତେ ଦଶମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଆରୋଗ୍ୟ ହେବା ନିମନ୍ତେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ମୋଦକ ସେବନ କରିବାକୁ ଦିଆଯାଇଥାଏ। ରାଜବୈଦ୍ୟମାନେ ପ୍ରସ୍ତୁତ କରିଥିବା ଦଶମୂଳ ମୋଦକକୁ ପତି ମହାପାତ୍ର ସେବକ ଠାକୁରମାନଙ୍କୁ ଭୋଗ କରିବା କରିବା ପରେ ଅଣସର ଘରେ ଶୋଇରହିଥିବା ଜୀଉମାନେ ଉଠି ଚକା ଉପରକୁ ବିଜେ କରିଥାନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.