ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ନୂଆ ଶିକ୍ଷାବର୍ଷ ଆରମ୍ଭ, ୧୧୦୦ ଅଧ୍ୟାପକ ପଦବି ଖାଲି, ପାଠ ପଢ଼ାଇବ କିଏ ?

ଭୁବନେଶ୍ୱର, ୦୩/୦୭ : ସମୟ ଗଡ଼ୁଛି । ସୁପ୍ରିମ୍‌କୋର୍ଟରେ ମାମଲା ଆଳରେ ସରକାରୀ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ହୋଇପାରୁନି । ଶିକ୍ଷାବର୍ଷ ଆରମ୍ଭ ହେଲାଣି । ମାତ୍ର ବିଶ୍ୱବିଦ୍ୟାଳୟରେ କେବେ ଅଧ୍ୟାପକ ନିଯୁକ୍ତି ହେବ ତାର ସ୍ପଷ୍ଟ ଉତ୍ତର ମିଳୁନି । ନୂଆ ସରକାର ଆସିଛି, ଶିକ୍ଷାବିତ୍‌ଙ୍କଠୁ ଆରମ୍ଭ କରି ଶିକ୍ଷାର୍ଥୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆଶା ଏ ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର ହେବ । ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦବି ପୂରଣ ହେବ । ବିଶ୍ୱବିଦ୍ୟାଳୟରେ ନୂଆ ଗବେଷଣା ହେବ । ନିକଟରେ ଗଣମାଧ୍ୟମକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା ସମସ୍ତଙ୍କ ମନରେ ଆଶା ସଞ୍ଚାର କରିଛି । 

ନିଯୁକ୍ତି ସଂକ୍ରାନ୍ତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟରେ ନୂଆ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ହୋଇପାରୁନି । ୪ ବର୍ଷ ହେଲା ଏହି ଆଇନକୁ ନେଇ ଓଡ଼ିଶା ସରକାର ଓ ୟୁଜିସି ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇପାରୁନି । ଏବେ ସରକାର ବଦଳିଛି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିଛି । ଆଶା କରାଯାଉଛି, ନିଶ୍ଚିତ ଭାବେ ଏହି ସମସ୍ୟାର ସମାଧାନ ହେବ । ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ୧୧୦୦ରୁ ଅଧିକ ଅଧ୍ୟାପକ ପଦବି ଖାଲି ପଡ଼ିଛି । ପ୍ରତିବର୍ଷ କିଛି କିଛି ଅଧ୍ୟାପକ ଅବସର ନେଉଛନ୍ତି । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ ପଦବି ସୃଷ୍ଟି କରାଯାଇନାହିଁ । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଅଧ୍ୟାପକ ନିଯୁକ୍ତ ହୋଇନାହାନ୍ତି । 

ଉତ୍କଳ ବିଶ୍ୱବିଦ୍ୟାଳୟରେ ମଞ୍ଜୁରି ପ୍ରାପ୍ତ ପଦବି ମଧ୍ୟରୁ ୧୧୧ ଖାଲିପଡ଼ିଛି । ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୭୭, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୮୩, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୩, ରେଭେନ୍ସାରେ ୧୫୬, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ୬୪, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୧୮, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ୪୩, ଗଙ୍ଗାଧର ବିଶ୍ୱବିଦ୍ୟାଳୟରେ ୭୨ ଅଧ୍ୟାପକ ପଦ ଖାଲି ପଡ଼ିଛି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ୧୨୬ ଅଧ୍ୟାପକ ପଦବି ମଞ୍ଜୁର ହୋଇଛି, ଅଛନ୍ତି ମାତ୍ର ୧୧ଜଣ । କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ୧୧୨ ପଦବି ମଧ୍ୟରୁ ମାତ୍ର ୪ଜଣ ଅଛନ୍ତି । କେବଳ ଏତିକି ନୁହେଁ, ନୂଆ କରି ୨୦୨୩ରେ ହୋଇଥିବା ଧରଣୀଧର ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଓଡ଼ିଆ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ହୋଇଛି । ଏଠାରେ ବି ସ୍ଥାୟୀ ଅଧ୍ୟାପକ ନାହାନ୍ତି । ଅନ୍ୟ ବିଶ୍ୱବିଦ୍ୟାଳୟ ଓ କଲେଜରୁ ଡେପୁଟେସନ୍‌ରେ ଆସି ପାଠ ପଢ଼ାଉଛନ୍ତି । ସମ୍ପୂର୍ଣ୍ଣ ଭାବେ ଅତିଥି ଅଧ୍ୟାପକଙ୍କ ଭରସାରେ ବିଶ୍ୱବିଦ୍ୟାଳୟ ଚାଲିଛି । 

୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇସାରିଛି । ଖୁବ୍‌ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ସେହିପରି ପିଜି ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜିଠାରୁ ଏକକ ପ୍ରବେଶିକା ପରୀକ୍ଷା ହେବ । ଏହି ଆଧାରରେ ନାମଲେଖା ହେବ । ପାଠପଢ଼ା ଆପାତତଃ ଅଗଷ୍ଟ ମାସରୁ ଆରମ୍ଭ ହେବ । ପୁଣି ଅତିଥି ଅଧ୍ୟାପକ କିମ୍ବା ବିନା ଅଧ୍ୟାପକରେ ପାଠପଢ଼ା ହେବ । ନିକଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସରକାରୀ ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ଧରି ଅଧ୍ୟାପକ ନିଯୁକ୍ତି ହୋଇପାରୁନି । ନିଯୁକ୍ତି ଅଧାରେ ଝୁଲି ରହିଛି । ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ଏହି ଅଧ୍ୟାପକ ନିଯୁକ୍ତି ନେଇ ବ୍ୟକ୍ତିଗତ ସ୍ତରରେ ବାରମ୍ବାର ସଚିବଙ୍କୁ ନେଇ ସମୀକ୍ଷା କରିଛି । ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ । ଏଥିସହ ଅଧ୍ୟାପକ ଓ ଅଣଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.