ଭୁବନେଶ୍ୱର, ୦୩/୦୭ : ସ୍ମାର୍ଟ ହେଉଛି ଭୁବନେଶ୍ୱର। ହେଲେ ପ୍ଲାଷ୍ଟିକ ବ୍ୟାଗ୍ କିମ୍ବା ପଲିଥିନ୍ ମୁକ୍ତ ହୋଇପାରୁନି । ଏବେବି ଭୁବନେଶ୍ୱରରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଓ ପଲିଥିନ୍ର ଖୋଲା ବ୍ୟବହାର ହେଉଛି । ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାର ଉପରେ ରାଜ୍ୟସରକାର ରୋକ ଲଗାଇଛନ୍ତି । ପ୍ରଦୂଷଣ ବୋର୍ଡ ମଧ୍ୟ ବ୍ୟାଗର ନକାରାତ୍ମକ ଦିଗ ଉପରେ ସଚେତନ କରାଇଆସୁଛି । ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଚଢ଼ଉ କରି ପଲିଥିନ୍ ଜବତ କରୁଛି । ଫାଇନ ଆଦାୟ ହେଉଛି । ହେଲେ ଯଥା ପୂର୍ବଂ ତଥା ପରଂ ଭଳି ପଲିଥିନ୍ ବ୍ୟବହାର ଚାଲିଛି ।
୨୦୧୮ ଗାନ୍ଧି ଜୟନ୍ତୀରୁ ରାଜଧାନୀକୁ ପ୍ଲାଷ୍ଟିକ୍- ପଲିଥିନମୁକ୍ତ ସହର ଘୋଷଣା କରାଯାଇଥିଲା । ୨୦୨୩ ଏପ୍ରିଲ୍ ୧୫ରେ ହାଟଗୁଡ଼ିକୁ ପଲିଥିନ୍ ଥଳି ବ୍ୟବହାରମୁକ୍ତ କରିବାକୁ ଖୋଦ୍ ବିଏମ୍ସି ଘୋଷଣା କରିଥିଲା । ରସୁଲଗଡ ସ୍ଥିତ କୋଚିଲେଇ ହାଟରୁ ମେୟର ସୁଲୋଚନା ଦାସ ସଚେତନତା ଆରମ୍ଭ କରିଥିଲେ । ପରେ ବିଏମସି ଏନେଇ ବ୍ୟବସାୟୀ ସଂଘ ସହ ଆଲୋଚନା କରି ୧୫ ଦିନ ଗ୍ରାହକମାନଙ୍କୁ ସଚେତନ କରିବାକୁ କହିଲା । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ହେଁ ପୁନଶ୍ଚ ପଲିଥିନ୍ ବ୍ୟାଗ ଛାଇଗଲାଣି । ଗତବର୍ଷ ସୁଦ୍ଧା ବିଏମସି ପ୍ରାୟ ୫ମେଟ୍ରିକ ଟନ୍ ନିଷିଦ୍ଧ ପଲିଥିନ୍ ବ୍ୟାଗ୍ ଜବତ କରିଥିଲା ।
ଅପରପକ୍ଷେ, ସ୍ୱଚ୍ଛ ସର୍ବେକ୍ଷଣ-୨୦୨୪ ଆରମ୍ଭ ହୋଇଛି । ଯାହାର ବିଷୟବସ୍ତୁ ରହିଛି, ରିଡ୍ୟୁସ୍, ରିୟୁଜ୍ ଓ ରିସାଇକେଲ୍ । ପଲିଥିନ୍ ବ୍ୟବହାର ହ୍ରାସ, ପୁନଃବ୍ୟବହାର ଓ ପୁନଃଚକ୍ରଣ କିଭଳି କରାଯାଉଛି ବା କଣ ବ୍ୟବସ୍ଥା କରାଯାଇଛି ତାହାକୁ ନେଇ ମୂଲ୍ୟାୟନ କରିବ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୪।
ପରିବେଶ ଉପରେ ପ୍ଲାଷ୍ଟିକ୍ର ନକାରାତ୍ମକ ପ୍ରଭାବ ପଡୁଛି । ପ୍ଲାଷ୍ଟିକ୍ ଜୈବ ବିଘଟନଶୀଳ ନୁହେଁ । ସଂପ୍ରତି ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବ୍ୟାଗ୍ ଏକ ହଜାର ବର୍ଷ ଯାଏ ମାଟିରେ ରହିବାର ଆଶଙ୍କା ଥାଏ । ଏବେ ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକ୍ ବ୍ୟାଗ୍ ଏକ ପ୍ରମୁଖ କାରଣ ପାଲଟିଛି । ଯାହା ପରିବେଶ ତଥା ସ୍ୱାସ୍ଥ୍ୟ ସଙ୍କଟକୁ ଡାକୁଛି । ତେଣୁ ପ୍ଲାଷ୍ଟିକ୍ ଜନିତ ପ୍ରଦୂଷଣ ଦୂର କରିବା ଉଦ୍ଦେଶ୍ୟରେ ବିଶେଷ କରି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରି ପୁନର୍ବ୍ୟବହାରକ୍ଷମ ବ୍ୟାଗ୍ ଆପଣାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ବ୍ୟକ୍ତିବିଶେଷ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସରକାରଙ୍କ ପ୍ରଚେଷ୍ଟାରେ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ରୋକାଯାଇପାରିବ । ୨୦୦୮ରେ "ଜିରୋ ୱେଷ୍ଟ୍ ୟୁରୋପ' ସଂଗଠନର ସଦସ୍ୟଙ୍କ ଦ୍ୱାରା ପ୍ରଥମେ ଏହି ଦିବସ ପାଳନର ପରିକଳ୍ପନା କରାଯାଇଥିଲା ଏବଂ ୨୦୧୦ରେ "ବ୍ୟାଗ୍ ଫ୍ରି ୱାର୍ଲ୍ଡ’ ସଂଗଠନର ସ୍ଥାପନା ପରଠାରୁ ଏହି ଦିବସ ପାଳନ ହେଉଛି ।
କ’ଣ କହୁଛନ୍ତି ପରିବେଶବିତ୍
ପ୍ରତିବର୍ଷ ବିଶ୍ୱରେ ୩ଶହରୁ ୪ଶହ ନିୟୂତ ଟନ୍ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ ହେଉଛି । ସେଥିରୁ ୧୦ରୁ ୧୫ ପ୍ରତିଶତ ପୁନଃଚକ୍ରଣ ହେଉଛି । ବାକି ବିଘଟନ ହେଉନଥିବାରୁ ପରିବେଶକୁ କ୍ଷତି କରୁଛି । ଜଳ ଓ ସ୍ଥଳଭାଗରେ ରହୁଥିବା ପ୍ରାଣୀ ଏଥିରେ ପ୍ରଭାବିତ ହେଉଛନ୍ତି । ଆମ ଅଜାଣତରେ ପ୍ଲାଷ୍ଟିକରୁ ଆସୁଥିବା ମାଇକ୍ରୋ ପ୍ଲାଷ୍ଟିକ ବା ନାନୋ ପ୍ଲାଷ୍ଟିକ ଆମ ନିଶ୍ୱାସରେ ଆସି ଶରୀରକୁ ପ୍ରବେଶ କରୁଛି । ଫଳରେ ଆମେ ରୋଗାକ୍ରାନ୍ତ ହେଉଛେ । ଗୋରୁଗାଈ ପ୍ଲାଷ୍ଟକ ବ୍ୟାଗକୁ ଖାଦ୍ୟ ଭାବି ଖାଉଛନ୍ତି । ଜଙ୍ଗଲରେ ବଣଭୋଜି ବେଳେ ଏହା ସେଠାରେ ଫିଙ୍ଗାଯାଉଛି । ଯଦ୍ୱାରା ଜଙ୍ଗଲ ବି ପ୍ରଭାବିତ ହେଉଛି । ଏହାକୁ ନଜରରେ ରଖି ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ନିଷେଧ କରାଯାଇଛି । ତେଣୁ ସରକାର ଏହାକୁ ଆହୁରି କଡାକଡି କରିବା ସହ ସାମାଜିକକର୍ମୀମାନେ ସଚେତନ କରାନ୍ତୁ । ପ୍ଲାଷ୍ଟିକ୍ ବଦଳରେ କପଡା ବ୍ୟାଗର ବ୍ୟବହାର କରାଯାଉ। -ଜୟକୃଷ୍ଣ ପାଣିଗ୍ରାହୀ, ପରିବେଶବିତ୍