ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ତାରକସିକୁ ଜିଆଇ ମାନ୍ୟତା ପରେ ବି ଅଣଦେଖା: ବୋର୍ଡ ଲାଗିଛି, ଗ୍ରାମ କେଉଁଟା?

କଟକ,୧୭/୦୬: କଟକ ରୁପା ତାରକସି ଜିଆଇ ମାନ୍ୟତା ପାଇବା ପରେ କାଠଯୋଡ଼ି ବେଲିଭ୍ୟୁ ଗୋଲେଇ ଛକଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ  ବିଭାଗ ତରଫରୁ ଏକ ସୂଚନା ଫଳକ ମରାଯାଇଛି ।  ଯେଉଁଥିରେ ଲେଖାଯାଇଛି, ରୁପା ତାରକସି  ଗ୍ରାମ, କଟକକୁ ରାସ୍ତା । ମାତ୍ର ବିଭାଗ ତରଫରୁ  ମରାଯାଇଥିବା ଏହି ଫଳକରେ କେଉଁ ଅଞ୍ଚଳକୁ ଗ୍ରାମ  ଭାବେ ଦର୍ଶାଯାଇଛି ତାହା କେହି ଜାଣନ୍ତି ନାହିଁ । ଯଦିଓ  ତୀର ଦର୍ଶାଯାଇଥିବା ଅଞ୍ଚଳ ଆଡ଼କୁ ଚାନ୍ଦିନୀଚୌକ,  ଅଲିଶାବଜାର, କାଫଲାବଜାର, ମାନସିଂହପାଟଣା,  ଶେଖ୍‌ବଜାର ଭଳି ତାରକସି କାରିଗରି କାମ  ଚାଲିଥିବା ଏକାଧିକ କାରଖାନା ରହିଛି । ତେଣୁ  ଏହାକୁ ଗ୍ରାମ ଭାବେ ଦର୍ଶାଯାଇଥିବା ଅନୁମାନ  କରାଯାଉଛି । କିନ୍ତୁ ଏସବୁ ଅଞ୍ଚଳକୁ ନେଇ କିଏ  କେବେ ତାରକସି ଗ୍ରାମ ତିଆରି କଲା, କିଏ ତାହାକୁ  ସ୍ୱୀକୃତି ଦେଲା, ସେ କଥା କେହି ଜାଣନ୍ତି ନାହିଁ ।  ତା’ଛଡ଼ା କେବଳ ତାରକସି ଗ୍ରାମ ଭାବେ ସୂଚନା  ଫଳକ ମାରିଦେଇ ବିଭାଗ କାମ ସାରିଦେଇଛି ।  

କୁହାଯାଏ, କଟକ ସହରର ନୂଆପଡ଼ା, କେଶରପୁର,  ମଙ୍ଗଳାବାଗ, ବଢେଇସାହି, ନାୟକ ସାହି, ବାସୁଳି  ସାହି, ମାଛୁଆବଜାର, ବଣିଆ ସାହି, ଥୋରିଆ  ସାହି, ଶେଖ୍‌ବଜାର, ଅଲିଶାବଜାର, କନିକାଛକ,  ମାନସିଂହପାଟଣା, ଚାନ୍ଦିନୀଚୌକ ଭଳି ସହରର  ପ୍ରାୟ ୩୫ଟି ସ୍ଥାନରେ ତାରକସି କାମ ହେଉଛି ।  ସହର ଉପକଣ୍ଠର କିଛି ଅଞ୍ଚଳରେ ମଧ୍ୟ ତାରକସି  କାମ ହେଉଥିବା ଜଣାପଡିଛି । କଟକ ରୁପା ତାରକସି  ଜିଆଇ ମାନ୍ୟତା ପାଇବା ପୂର୍ବରୁ ଏହାର ଇତିହାସ  ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରିବାକୁ ଏକ  କନ୍‌ସଲ୍‌ଟାନ୍ସି ଫାର୍ମକୁ ଦାୟିତ୍ୱ ଦିଆଯାଇଥିଲା । ଫାର୍ମର  ସୁପାରିସ କ୍ରମେ ତାମିଲନାଡୁର ଜିଆଇ ରେଜିଷ୍ଟ୍ରେସନ  ଉତ୍ପାଦର ନୋଡାଲ୍‌ ଅଫିସର୍‌ ପି. ସଞ୍ଜୟ ଗାନ୍ଧି  କଟକ ରୁପା ତାରକସିର ଏକ ୧୧୧ ପୃଷ୍ଠାର ରିପୋର୍ଟ  ଜିଆଇ ରେଜିଷ୍ଟ୍ରାର୍‌ଙ୍କ ନିକଟରେ ଦାଖଲ କରିଥିଲେ ।  ଯେଉଁଥିରେ କଟକ  ତାରକସିର ଇତିହାସ ଓ  ବର୍ତ୍ତମାନ ସମ୍ପର୍କରେ ବିସ୍ତୃତ  ଭାବେ ଉଲ୍ଲେଖ ରହିଥିଲା ।  

ଏହାର ପରବର୍ତ୍ତୀ  ପର୍ଯ୍ୟାୟରେ ଜିଆଇ  ତରଫରୁ ଏକ ଜର୍ଣ୍ଣାଲ୍‌  ପ୍ରକାଶିତ ହୋଇଥିଲା ।  ସେଥିରେ ଉଲ୍ଲେଖ  ରହିଥିବା ତଥ୍ୟ ଅନୁସାରେ,  ବକ୍ସିବଜାରରେ ସର୍ବାଧିକ ୨୮୧ ଜଣ କାରିଗର  ଅଛନ୍ତି । ଏକଥା ରିପୋର୍ଟରେ ଉଲ୍ଲେଖ ରହିଛି ।  ବକ୍ସିବଜାରରେ ସର୍ବାଧିକ ୧୧୦ଟି ଉତ୍ପାଦନ  କେନ୍ଦ୍ର ରହିଥିବା ବେଳେ ଚାନ୍ଦିନୀଚୌକଠାରୁ  ନୟାସଡ଼କ ପର୍ଯ୍ୟନ୍ତ ତାରକସିର ସର୍ବାଧିକ ୧୨୦ଟି  ରିଟେଲ୍‌ ସୋ’ ରୁମ୍‌ ରହିଛି । ତେଣୁ ତାରକସି  ଗ୍ରାମ କରିବା ପୂର୍ବରୁ ଏହାର ପ୍ରଚଳନ ଏବଂ  କାରଖାନା ସମ୍ପର୍କରେ ବିଭାଗ ପାଖରେ ସୂଚନା  ରହିଛି କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.