ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ସିଲଭର ସିଟି ଟ୍ରେଣ୍ଡ୍‌ ବ୍ୟାପୁଛି ଅନ୍ୟ ସହରକୁ: ଟାଇଟାନିକ୍‌ରୁ ଆରମ୍ଭ, ପହଞ୍ଚିଲାଣି ନାଥୁଲା ଓ ବୈଷ୍ଣୋଦେବୀରେ...

ଦଶହରା ଆସିନଥାଏ.. ଆସିବା  ଆସିବା ହେଉଥାଏ³ ଏତିକିବେଳେ  କଟକର ରାଜରାସ୍ତା ଉପରେ କେଉଁଠି  ବାହୁବଳୀ ଫିଲ୍ମର ମାହେଷ୍ମତୀ  ସାମ୍ରାଜ୍ୟ ଆକାଶକୁ ମୁଣ୍ଡ ଉଠାଏ  ତ’ ଆଉ କେଉଁଠି ରାସ୍ତାରେ ଦୁର୍ଗମ  ଅମରନାଥଙ୍କ ଗୁମ୍ଫାର ଭ୍ରମ ସୃଷ୍ଟି ହୁଏ ।  କେଉଁଠି ଟାଇଟାନିକ୍‌ ଜାହାଜ  ତ’ କେଉଁଠି ନାଥୁଲା ସୀମାନ୍ତ³  କେଉଁଠି ଲାଲ୍‌କିଲ୍ଲା ତ’ ପୁଣି କେଉଁଠି  ବୈଷ୍ଣୋଦେବୀଙ୍କ ମନ୍ଦିରର ଅବିକଳ ପ୍ରତିକୃତି  ସାଜିଥିବା ବିଶାଳକାୟ ତୋରଣମାନ ଦର୍ଶକଙ୍କୁ  ହତଭମ୍ଭ କରି ରାସ୍ତାରେ ମୁହୂର୍ତ୍ତେ ଅଟକାଇଦିଏ ।  ଉପରନ୍ତୁ ପୂଜା ମଣ୍ଡପଠୁ ମାଇଲ୍‌ ମାଇଲ୍‌  ଦୂରଯାଏ ଲମ୍ବି ପୂରା ପରିବେଶକୁ  ଝଲ୍‌ମଲ୍‌ କରୁଥାଏ ରଂଗିନ୍‌ ଆଲୋକର ରୋଶଣି³  ସହରବାସୀଙ୍କ ମନ ମୋହୁଥାଏ ସୁଦୃଶ୍ୟ ସାଜସଜ୍ଜା ।  କଟକ ଦଶହରାର ନିଆରାପଣ  କୁହାଯାଉଥିବା ଆଖିଖୋସା ତୋରଣ  ଓ ଆଖିଝଲସା ସାଜସଜ୍ଜା ଟ୍ରେଣ୍ଡ୍‌କୁ  ନେଇ ‘ପ୍ରମେୟ’ର ଏହି ସ୍ୱତନ୍ତ୍ର  ପ୍ରତିବେଦନ ।

ଆଲେଖ୍ୟ: ଗୋପାଳକୃଷ୍ଣ ସ୍ୱାଇଁ 

Durga Puja 2024: Get all updated News, Videos and Photos of Durga Puja

ଅଶୀ ଦଶକର ଶେଷ ଭାଗ । ସହରରେ ଚାନ୍ଦି  ମେଢ଼ ନିର୍ମାଣ ପାଇଁ ବିଭିନ୍ନ ପୂଜା କମିଟି ମଧ୍ୟରେ  ପ୍ରତିଯୋଗିତା ଆରମ୍ଭ ହୋଇଥାଏ । ଠିକ୍‌ ଏହି  ସମୟରେ କିଛି ପୂଜା କମିଟି ମଣ୍ଡପ ବାହାରର ସାଜସଜ୍ଜା  ଉପରେ ଗୁରୁତ୍ୱାରୋପ କଲେ । ବିଶେଷ କରି ତୋରଣ ନିର୍ମାଣ  କରି ଦଶହରାରେ ଲୋକଙ୍କୁ କିଛି ଗୋଟେ ନୂଆ ଦେଖାଇବା  ପାଇଁ ନିଆରା ଉଦ୍ୟମ ଚାଲିଲା । ସହରର କେନ୍ଦ୍ର ସ୍ଥଳ  କୁହାଯାଉଥିବା ବାଦାମବାଡ଼ି ପୂଜା କମିଟି ଆରମ୍ଭ କଲା  କପଡ଼ା ତୋରଣର ନୂଆ ଧାରା । ଆଖି ଖୋସି ହୋଇଗଲା  ଭଳି ସୁଉଚ୍ଚ ତୋରଣ, ସେଥିରେ ପୁଣି ଐତିହାସିକ  କୀର୍ତ୍ତିରାଜିକୁ ସ୍ଥାନ ଦିଆଗଲା । ବିଶେଷ  କରି ଟାଇଟାନିକ୍‌ ଜାହାଜର  ତୋରଣ ନିର୍ମାଣ କରି  ରାଜ୍ୟରେ ଆଲୋଡନ  ସୃଷ୍ଟି କଲା  ଶଙ୍କରପୁର-ବାଦାମବାଡ଼ି ପୂଜା ମଣ୍ଡପ ।  ଅନ୍ୟମାନେ ବି କ୍ରମେ ତୋରଣ ଧାରାରେ ନୂଆ କଥା ଯୋଡ଼ିଲେ ।  କିଏ ଦିଲ୍ଳୀର ଲାଲ୍‌କିଲ୍ଲା କଲା ତ ଆଉ କିଏ ନେପାଳର ପଶୁପତିନାଥ  ମନ୍ଦିର । ଏମିତିକ ଆମେରିକା ଓ ଫ୍ରାନ୍ସର କିଛି ରାଜପ୍ରାସାଦକୁ ମଧ୍ୟ  ଗେଟ୍‌ର ରୂପ ଦିଆଗଲା । ପ୍ରଥମେ କପଡ଼ା ଗେଟ୍‌ ଓ ପରେ ଗେଟରେ  ପ୍ଲାଏ, ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ଓ ଥର୍ମୋକୁଲ୍‌ ବା ସୋଲ ଲାଗିଲା । କିଛି  ବର୍ଷ ପରେ କଟକରେ ତୋରଣ ଏକ ଟ୍ରେଣ୍ଡ୍‌ରେ ପରିଣତ ହେଲା ।  

ମାଲ୍‌ଗୋଦାମ, ଖାନ୍‌ନଗର, ତୁଳସୀପୁର, ଶିଖରପୁର, ନୂଆପଡ଼ା ଭଳି  ଅଞ୍ଚଳରେ ବିଶାଳକାୟ ତୋରଣମାନ ନିର୍ମାଣ କରାଯାଇ କଟକର ଶାରଦୀୟ  ଦଶହରାକୁ ଏକ ନୂଆ ପରିଚୟ ପ୍ରଦାନ କରାଗଲା ।  ଖାଲି କପଡ଼ା କି ପ୍ଲାଏରେ ତିଆରି ତୋରଣ ନୁହେଁ,  ଲାଇଟ୍‌ ଗେଟ୍‌ର ନୂଆ ଟ୍ରେଣ୍ଡ୍‌ ମଧ୍ୟ ଗଲା ୩୦ ବର୍ଷରୁ  ଅଧିକ ସମୟ ହେବ କଟକରେ ଆରମ୍ଭ ହୋଇଛି ।  ରାଜ୍ୟ ବାହାରୁ ଯେମିତିକି, ପଶ୍ଚିମବଙ୍ଗ ଓ  ଝାଡ଼ଖଣ୍ଡ ଭଳି ରାଜ୍ୟର ପ୍ରତିଷ୍ଠିତ ବୈଦ୍ୟୁତିକ  ସାଜସଜ୍ଜା ସଂସ୍ଥାକୁ ଡାକି, ୬୦ରୁ ୭୦ ଫୁଟ୍‌  ଉଚ୍ଚର ଲାଇଟ୍‌ ଗେଟ୍‌ ନିର୍ମାଣ ହେଉଛି । ବିଶେଷ  କରି ଚାନ୍ଦିନୀଚୌକ୍‌ ଅଞ୍ଚଳରୁ ଆରମ୍ଭ ହୋଇଥିବା  ଲାଇଟ୍‌ ଗେଟ୍‌ ପରମ୍ପରା ଏବେ ସହରର ପ୍ରାୟ ସବୁ  ଛୋଟବଡ଼ ଅନୁଷ୍ଠାନ ଆପଣାଇଛନ୍ତି । କଟକରେ  ତୋରଣର ଆକର୍ଷଣ ଏମିତି କିମିଆ କରିଛି  ଯେ ଦଶହରା ପୂର୍ବରୁ ଅର୍ଥାତ୍‌ ଗଣେଶ ପୂଜାରୁ  ମଧ୍ୟ ବିରାଟ ଆକାରର ଗେଟ୍‌ ସବୁ ଦେଖିବାକୁ ମିଳୁଛି । କହିବାକୁ  ଗଲେ ପାରମ୍ପରିକ ପୂଜା,  ଚାନ୍ଦିମେଢ଼ ପରେ ଯଦି  କଟକ ଦଶହରାକୁ  ଭିନ୍ନ ଓ ସ୍ୱତନ୍ତ୍ର ପରିଚୟ  କେହି ଦେଇଛି,  ତାହା ହେଉଛି ସୁଉଚ୍ଚ ଆକର୍ଷଣୀୟ ତୋରଣ ।

ନିଖୁଣ କାମକୁ ଗୁରୁତ୍ୱ

ପ୍ରଥମେ ପ୍ରଥମେ କିଛି ବର୍ଷ କେବଳ ଐତିହାସିକ  କୀର୍ତ୍ତିରାଜି ସହ ଦେଶ ବିଦେଶର କିଛି ପ୍ରସିଦ୍ଧ  ପ୍ରାସାଦ, ମନ୍ଦିର ଓ ସ୍ଥାପତ୍ୟକୁ ନେଇ ଗେଟ୍‌ ନିର୍ମାଣ  ଚାଲିଥିଲା । ପରେ କିନ୍ତୁ ବିଷୟବସ୍ତୁ ବା ଗେଟ୍‌ର  ଡିଜାଇନ୍‌ ବଦଳାଗଲା । ଅନେକ କ୍ରିଏଟିଭ୍‌ ଡିଜାଇନ୍‌  ବନାଗଲା । ଲୋକେ ଚିତ୍ରରେ ବା ଫିଲ୍ମରେ ଦେଖୁଥିବା  ଦୃଶ୍ୟକୁ ବା କୌଣସି ସୂତ୍ରରୁ ପଢୁଥିବା, ଜାଣୁଥିବା  ଆକର୍ଷଣୀୟ ମୂର୍ତ୍ତି, ସ୍ଥାପତ୍ୟ, କଳା, ଛବିକୁ ଜୀବନ୍ତ କରି ତୋରଣରେ ପ୍ରତିଫଳିତ କରିବାକୁ ଉଦ୍ୟମ କରାଗଲା ।  କେତେବେଳେ ଦୁର୍ଗମ ପର୍ବତରେ ଥିବା ନାଥୁଲା  ବର୍ଡର୍‌ ବା ସୀମାନ୍ତ ଅଞ୍ଚଳର ଚିତ୍ର, କେତେବେଳେ  ଅମରନାଥ ଗୁମ୍ପାର ଆକର୍ଷଣୀୟ ଦୁର୍ଗମ ରାସ୍ତାର ନକସା,  ପୁଣି କେବେ ବୈଷ୍ଣୋଦେବୀଙ୍କ ମନ୍ଦିର ତ’ ଆଉ କେତେବେଳେ ସାତଟି ଶୈବପୀଠକୁ ଗୋଟିଏ ପାହାଡ଼  ଉପରେ ରଖି ନୂଆ ଡିଜାଇନ୍‌ର ଗେଟ୍‌ ନିର୍ମାଣ ହେଲା ।  

ଏସବୁ ତିଆରି କରାଯିବା ବେଳେ ଗଛଲତା, ଝରଣା,  ପଶୁପକ୍ଷୀ ଯେପରି ଜୀବନ୍ତ ଲାଗିବ ସେଥିପାଇଁ ନିଖୁଣ  କାରିଗରି ଉପରେ ଗୁରୁତ୍ୱ ଦିଆଯାଏ । ଖାଲି ସେତିକି  ନୁହେଁ ବିଗତ ଦିନମାନଙ୍କରେ ସେନା ଓ ଶ୍ରଦ୍ଧାଳୁଙ୍କ  ପୋଷାକରେ କିଛି ଲୋକ ମଧ୍ୟ ବର୍ଡର୍‌ ଦୃଶ୍ୟ ଚିତ୍ରାୟିତ  ହୋଇଥିବା ଗେଟ୍‌ ଉପରେ ଠିଆ ହୋଇ ରହିଥିଲେ ।  ବନ୍ଧୁକଧାରୀ ସିପାହୀ ଓ ଭକ୍ତମାନେ ତୋରଣ ଉପରେ  ଆତଯାତ ହୋଇଥିଲେ । ଏସବୁ ଦୃଶ୍ୟ ତୋରଣକୁ  ଜୀବନ୍ତ କରି ତୋଳିଥିଲା । ସମସ୍ତଙ୍କ ମନ ମୋହିଥିଲା ।

ପଶ୍ଚିମବଙ୍ଗରୁ ହଜାରେ କାରିଗର

ପୂର୍ବରୁ କଟକ ଓ ଏହାର ଆଖପାଖର କାରିଗର  ଗେଟ୍‌ କରୁଥିଲେ । ମାତ୍ର ବିଭିନ୍ନ ପୂଜା କମିଟି  ନୂଆ କିଛି କରିବାର ଇଚ୍ଛା କରିବାରୁ ଟେଣ୍ଟ୍‌ହାଉସ୍‌  ମାଲିକମାନେ ପଶ୍ଚିମବଙ୍ଗ କାରିଗରଙ୍କୁ ସାମିଲ  କରିବା ଆରମ୍ଭ କଲେ । ଚବିଶପ୍ରଗଣା, ନଦିଆ,  ମୁର୍ସିଦାବାଦ୍‌ର କାରିଗର ନିଜେ ନୂଆ ନୂଆ ଡିଜାଇନ୍‌  କରି ଗେଟ୍‌ ନିର୍ମାଣ କରୁଛନ୍ତି । ଖାଲି ସେତିକି  ନୁହେଁ, ଅନ୍ୟ ସାଜସଜ୍ଜା ସହିତ ଏଲ୍‌ଇଡି ଗେଟ୍‌ ଓ  ଲାଇଟ୍‌ ଲଗାଇବା କାମ ମଧ୍ୟ ପଶ୍ଚିମବଙ୍ଗ କାରିଗର  ଅତି ନିଖୁଣତାର ସହିତ କରୁଛନ୍ତି । ଆନୁମାନିକ  ଭାବେ ଚଳିତ ବର୍ଷ କଟକରେ ପ୍ରାୟ ୧ ହଜାରରୁ  ଅଧିକ ପଶ୍ଚିମବଙ୍ଗ କାରିଗର କାମ କରୁଛନ୍ତି।

ଟ୍ରେଣ୍ଡ୍‌ ଅନ୍ୟ ସହରକୁ ବ୍ୟାପୁଛି

ଦଶହରାରେ କଟକରେ ହେଉଥିବା ସୁଉଚ୍ଚ ତୋରଣ ରାଜ୍ୟବାସୀଙ୍କ ମନକୁ ଜିଣିପାରିଛି ।  ସ୍ଥାନ ଅଭାବରୁ କଟକରେ ତୋରଣର ଆକାର ଅବଶ୍ୟ ବଢ଼ିପାରୁନି । ବହୁ କମିଟି  ଇଚ୍ଛା କରି ମଧ୍ୟ ତାହା କରିପାରୁ ନାହାନ୍ତି । ମାତ୍ର ଶାରଦୀୟ ଦଶହରାରେ କଟକ  ସହର ତୋରଣ ନିର୍ମାଣର ଯେଉଁ ପରମ୍ପରା ଓ ଟ୍ରେଣ୍ଡ୍‌ ଆରମ୍ଭ କରିଥିଲା ତାହା ରାଜ୍ୟର  ଅନ୍ୟ ଅଞ୍ଚଳକୁ ପ୍ରଭାବିତ କରିଛି ଓ କ୍ରମେ ଉକ୍ତ ଟ୍ରେଣ୍ଡ  ବିଭିନ୍ନ ସହରକୁ ପ୍ରସାରିତ ହେଉଛି ।  ଫଳରେ ଏବେ ରାଜ୍ୟର  ଅନେକ ସ୍ଥାନରେ ବୃହତ  ତୋରଣ ନିର୍ମାଣ  କରାଯାଉଛି । 

୨୦ ହଜାରର ବଜେଟ୍‌ ଏବେ ୨୦ ଲକ୍ଷ 

ଦିନ ଥିଲା ଯେତେବେଳେ କପଡ଼ା ତୋରଣ  ନିର୍ମାଣ ପାଇଁ ପୂଜା କମିଟି ସର୍ବାଧିକ ୨୦ କିମ୍ବା  ୩୦ ହଜାର ଖର୍ଚ୍ଚ କରୁଥିଲେ । ଅଳ୍ପ ସଂଖ୍ୟାର କାରିଗର ଓ ସୀମିତ ସମ୍ବଳ ମଧ୍ୟରେ ଗେଟ୍‌  ନିର୍ମାଣ କରାଯାଉଥିଲା । ଧିରେ ଧିରେ ଗେଟର୍‌  ଆକାର ଓ ଡିଜାଇନ୍‌ ଯେମିତି ବଢିଲା, ବଜେଟ୍‌  ବି ସେହି ପରିମାଣରେ ବଢ଼ିବାକୁ ଲାଗିଲା ।  ଏବେ ବଡ଼ ଗେଟ୍‌ ନିର୍ମାଣରେ ସର୍ବନିମ୍ନ ୨୦  ଲକ୍ଷ ଖର୍ଚ୍ଚ ହେଉଛି । କାରିଗରଙ୍କ ପାରିଶ୍ରମିକ  ବୃଦ୍ଧି ଓ ଲାଗୁଥିବା ଜିନିଷର ଦର ବଢ଼ିବାରୁ  ନିର୍ମାଣକାରୀ ସଂସ୍ଥା ଦର ଦଢ଼ାଇଛନ୍ତି।

ତିନି ମାସ ଆଗରୁ ଚାଲେ ପ୍ରସ୍ତୁତି

ସୁଉଚ୍ଚ ତୋରଣ ନିର୍ମାଣ କରିବା ପାଇଁ ଅଧିକ ସମୟର ଆବଶ୍ୟକତା  ପଡ଼େ । ତେଣୁ କମିଟି ଏନେଇ ପୂଜାର ପ୍ରାୟ ୩ ମାସ ପୂର୍ବରୁ ପ୍ରସ୍ତୁତି  କରନ୍ତି । ଏଥର ନିର୍ମାଣ କାମ କେଉଁ ସଂସ୍ଥାକୁ ଦିଆଯିବ, କେତେ ବଜେଟ୍‌  ଭିତରେ ହେବ, ଡିଜାଇନ୍‌ କ’ଣ ହେବ ଓ କାମ କେବେଠୁ ଆରମ୍ଭ ହେବ.. ଏଭଳି କିଛି ବିଷୟ ଉପରେ ଦୀର୍ଘ ଆଲୋଚନା ପରେ ଗଣେଶ ପୂଜା  ପୂର୍ବରୁ ଚୂଡ଼ାନ୍ତ ରୂପରେଖ ସ୍ଥିର ହୁଏ । ଏହା ପରେ ପ୍ରଶାସନଠାରୁ ଅନୁମତି  ଆଣି ଗେଟ୍‌ ନିର୍ମାଣ ଆରମ୍ଭ କରାଯାଏ । ଅନ୍ୟପକ୍ଷରେ ଗେଟ୍‌ କରିବା  ପାଇଁ କେବଳ ଯୋଜନା ପ୍ରସ୍ତୁତି ବା ଟଙ୍କା ଯୋଗାଡ଼ ମୁଖ୍ୟ ପ୍ରସଙ୍ଗ ନୁହେଁ ।  ଗେଟ୍‌କୁ ଆକର୍ଷଣୀୟ ଓ ନିଖୁଣ କରିବା ଦାୟିତ୍ୱ କାରିଗରଙ୍କ ଉପରେ ।  ତେଣୁ ଟେଣ୍ଟ୍‌ ହାଉସ୍‌ ବା ନିର୍ମାଣକାରୀ ସଂସ୍ଥା ବଛାବଛା କାରିଗରଙ୍କୁ ଆଣି  କାମ ଆରମ୍ଭ କରିଥାଏ । ପ୍ରଥମେ ଗେଟ୍‌ ନିର୍ମାଣ କାମ ରାଜ୍ୟ ଭିତରର  କାରିଗରମାନେ କରୁଥିଲେ । ପରେ ରାଜ୍ୟ ବାହାରର କାରିଗର ଆସି  ଗେଟ୍‌ ନିର୍ମାଣ କରୁଛନ୍ତି । ତେବେ ଏହି କାରିଗର ପ୍ରାୟ ଦେଢ଼ ମାସ କାଳ  କଟକରେ ରହନ୍ତି । ପ୍ରାୟ ମାସେ ପର୍ଯ୍ୟନ୍ତ ସେମାନେ ଗେଟ୍‌ ନିର୍ମାଣ କରନ୍ତି ।  ପରେ ଆଉ ୧୫ ଦିନରୁ ଅଧିକ ସମୟ ଗେଟ୍‌ ଖୋଲିବାରେ ଲାଗେ ।

୫୦ ଟ୍ରକ୍‌ ବାଉଁଶ ଲାଗେ କାମରେ

ଦଶହରାର ପ୍ରାୟ ମାସକ ପୂର୍ବରୁ ସହରରେ ତୋରଣ ତିଆରି ହେବାକୁ ଥିବା ସ୍ଥାନରେ  ବାଉଁଶ ଗଦା ହୁଏ । ଏହି ବାଉଁଶ ଗଦା ଦେଖି ଲୋକେ ବୁଝିନିଅନ୍ତି ପାର୍ବଣ ପାଖେଇ  ଆସୁଛି । ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଏ.. କଟକରେ ଏଥର କେଉଁ କମିଟି କେଉଁ ପ୍ରକାର  ଗେଟ୍‌ କରୁଛି । ବାଦାମବାଡ଼ି ଏଥର କେତେ ବଡ଼ ଗେଟ୍‌ ନିର୍ମାଣ କରିବ, ଖାନନଗରରେ କି  ଡିଜାଇନର ଗେଟ୍‌ କରିବ ଆଦି ପ୍ରସଙ୍ଗକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା, ଉତ୍ସାହ ବଢ଼ିବାକୁ  ଲାଗେ । ଅନ୍ୟପକ୍ଷରେ କଟକ ଦଶହରାରେ ତୋରଣ ଓ ବିଭିନ୍ନ ସାଜସଜ୍ଜା ପାଇଁ ପ୍ରତିଥର ୫୦  ଟ୍ରକ୍‌ରୁ ଅଧିକ ବାଉଁଶ ଆସେ । ପ୍ରାୟ ୧୨ରୁ ୧୫ ଟ୍ରକ୍‌ ବାଉଁଶ ଗଣେଶ ପୂଜା ବେଳୁ ଆସିଥିବା ବେଳେ  ବାକି ଦଶହରାକୁ ଆସେ । ଏସବୁ ବାଉଁଶ ପ୍ରାୟ ମୟୂରଭଞ୍ଜ ଜିଲ୍ଲାରୁ ଆସେ । ଏଥର ବି ସେତିକି ଆସିଛି ।  ଗୋଟିଏ ଟ୍ରକ୍‌ରେ ୮ଶହ ଖଣ୍ଡ ବାଉଁଶ ରହିଛି । ଗୋଟିଏ ବାଉଁଶର ଲମ୍ବ ପ୍ରାୟ ୧୦ରୁ ୧୧  ମିଟର ହେବ । ଅର୍ଥାତ୍‌ ୪୦ ହଜାର ଖଣ୍ଡ ବାଉଁଶକୁ ଯଦି ଲମ୍ବାରେ ପଛକୁପଛ  ସଜାଇ ରଖାଯାଏ ତାହା କଟକରୁ କୋଲକାତା ଯାଉଥିବା ୪୨୦  କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଭଳି ଲମ୍ବିଯିବ ବୋଲି ଗେଟ୍‌ କାମ କରୁଥିବା  କାରିଗରମାନେ  କହନ୍ତି।


  • Durga Puja 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.