ନୂଆଦିଲ୍ଲୀ: ସଂସଦରେ ଠେଲାପେଲା ମାମଲାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ବିଜେପି ଏବଂ କଂଗ୍ରେସ ମଧ୍ୟରେ ତୁତୁମେଁମେଁ ଲାଗି ରହିଛି । ରାହୁଲ ଗାନ୍ଧୀ ହତ୍ୟା ଉଦ୍ୟମ କରିଥିବା ନେଇ ପୋଲିସରେ ବିଜେପି ଅଭିଯୋଗ କରିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୋଲିସ ମାମଲା ମଧ୍ୟ ରୁଜୁ କରିଛି । ସେପଟେ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବିଜେପି ସାଂସଦ ଦୁର୍ବ୍ୟବହାର କରିଥିବା ନେଇ ସଂସଦ ମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରିଛି କଂଗ୍ରେସ ।
ସେହିଭଳି କଂଗ୍ରେସ ୩ ଜଣ ସାଂସଦ କେସି ବେଣୁଗୋପାଳ, ମଣିକମ୍ ଟାଗୋର ଏବଂ କୋଡିକୁନ୍ନିଲ ସୁରେଶ ବିଜେପି ବିରୋଧରେ ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି । ଲୋକସଭାର ବିରୋଧୀ ଦଳ ନେତାଙ୍କୁ ବିଜେପି ସାଂସଦମାନେ ଠେଲାପେଲା କରିଥିବା ନେଇ ଓମ୍ ବିର୍ଲାଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି କଂଗ୍ରେସ ସାଂସଦ । ସଂସଦ ପରିସରରେ ଆଜି ଘଟିଥିବା ଠେଲାପେଲା ମାମଲାରେ ୩ ସାଂସଦ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସେମାନେ ଲେଖିଛନ୍ତି, ଇଣ୍ଡି ମେଣ୍ଟର ସାଂସଦମାନେ ଶାନ୍ତିର ସହ ଆନ୍ଦୋଳନ କରୁଥିଲେ ଏବଂ ମକର ଦ୍ବାର ନିକଟରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିପୂର୍ତ୍ତି ନିକଟକୁ ଯାଉଥିଲେ । ଆମେ ମକର ଦ୍ବାର ଦେଇ ସଂସଦ ଭିତରକୁ ପ୍ରବେଶ କରୁଥିବା ବେଳେ ଆନ୍ଦୋଳନରତ ବିଜେପି ସାଂସଦମାନେ ଆମକୁ ଅଟକାଇଥିଲେ । ଏହି ସମୟରେ ରାହୁଲ ଗାନ୍ଧୀଙ୍କୁ ସେମାନେ ଠେଲାପେଲା କରିଥିଲେ ବୋଲି ପତ୍ରରେ ଲେଖିଛନ୍ତି କେସି ବେଣୁଗୋପାଳ, ମଣିକମ୍ ଟାଗୋର ଏବଂ କୋଡିକୁନ୍ନିଲ ସୁରେଶ । ଏହା ସହ ବିଜେପି ସାଂସଦମାନେ ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ମର୍ଯ୍ୟାଦାକୁ ହାନି ପହଞ୍ଚାଇଛନ୍ତି ଏବଂ ଏହା ସଂସଦର ଗାରିମା ପ୍ରତି ଅସମ୍ମାନ ବୋଲି ସେମାନେ ଅଭିଯୋଗ ମଧ୍ୟ କରିଛନ୍ତି ।