ନୂଆଦିଲ୍ଲୀ,୧୪।୧୦: ଦୁର୍ଗାପୂଜା ଏବଂ ଦୀପାବଳି ଆସିଲେ କର୍ମଚାରୀଙ୍କ ମନରେ ଏକ ପ୍ରକାର ଖୁସି ବଢିଯାଏ। ସେ ସରକାରୀ ହୁଅନ୍ତୁ କିମ୍ବା ବେସରକାରୀ କର୍ମଚାରୀ। କାରଣ ଅଫିସରୁ ବୋନସ୍ କିମ୍ବା କିଛି ଗିଫ୍ଟ ମିଳିଥାଏ। ବୋନସର ଏହି ଖୁସି ମଧ୍ୟରେ ଚେନ୍ନାଇର ଏକ କମ୍ପାନୀ ତା’ର କର୍ମଚାରୀଙ୍କୁ ଉପହାରରେ ଦେଇଛି କାର୍ ଓ ବାଇକ୍। କମ୍ପାନୀର ୧୦୪ ଜଣ କର୍ମଚାରୀଙ୍କୁ ଗାଡ଼଼ି ଗିଫ୍ଟ କରିଛି କମ୍ପାନୀ। ଅୟୁଦ୍ଧ ପୂଜା ଉପଲକ୍ଷେ ଚେନ୍ନାଇର ଏକ ଷ୍ଟ୍ରକ୍ଚଚରାଲ ଡିଜାଇନ କମ୍ପାନୀ କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଇଛି। ଉପହାରରେ ଯେଉଁ କାର ଦିଆଯାଇଛି ସେଥିରେ ଇନୋଭା, ଏକ୍ସଟର, କ୍ରେଟା, ଆଇ୨୦, ମର୍ସିଡିଜ୍ ବେଞ୍ଜ, ବ୍ରିଜା ଓ ଅର୍ଟିଗା ସହ ଅନ୍ୟ ବ୍ରାଣ୍ଡ ରହିଛି।
କମ୍ପାନୀର ମାଲିକ ଶ୍ରୀଧର କନ୍ନନ ଅଫିସରେ ଅୟୁଦ୍ଧ ପୂଜା ପାଳନ ପାଇଁ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କର୍ମଚାରୀ ଏବଂ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ଏହି ସମୟରେ କର୍ମଚାରୀଙ୍କୁ ସେ ଏହି ଉପହାର ପ୍ରଦାନ କରିଛନ୍ତି। କମ୍ପାନୀ ମାଲିକ କନ୍ନନଙ୍କ କହିବାନୁସାରେ, କମ୍ପାନୀ ୨୦୦୫ରେ ମାତ୍ର ଚାରିଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ବର୍ତ୍ତମାନ ୧୮୦ ଜଣ କାମ କରୁଛନ୍ତି।
ବର୍ତ୍ତମାନ ସୁଦ୍ଧା ୩୦ଜଣ କର୍ମଚାରୀଙ୍କୁ କାର୍ ଏବଂ ୭୪ ଜଣଙ୍କୁ ସ୍କୁଟି ଦିଆଯାଇଛି। ଅନ୍ୟମାନଙ୍କୁ ଆଗାମୀ ଦିନରେ ଗିଫ୍ଟ ଦିଆଯିବ।କମ୍ପାନୀର କହିବା ଅନୁସାରେ, ୯ ବର୍ଷରୁ ଅଧିକ ସମୟ ହେବ କର୍ମଚାରୀଙ୍କୁ କାର ଓ ୭ ବର୍ଷରୁ ଅଧିକ ସମୟ ହେବ ଅନ୍ୟ କର୍ମଚାରୀଙ୍କୁ ଦୁଇ ଚକିଆ ବାହନ ଗିଫ୍ଟରେ ଦିଆଯାଉଛି। କନ୍ନନ କହିଛନ୍ତି, ଆମ କମର୍ଚାରୀ ବହୁ ବର୍ଷ ହେବ ମୋ ସହ କାମ କରୁଛନ୍ତି। ସେମାନେ ମୋ ଉପରେ ଓ କମ୍ପାନୀ ଉପରେ ଭରସା କରନ୍ତି। ଏହି କାରଣରୁ କର୍ମଚାରୀଙ୍କୁ ତାଙ୍କ ବିବାହ କିମ୍ବା କୌଣସି ବଡ଼ କାମରେ ସହାୟତା ରାଶି ରୂପରେ ୫୦୦୦୦ ଟଙ୍କା ଦେଇ ସହାୟତା ପ୍ରଦାନ କରାଯାଇଥାଏ। ଯାହାକୁ ଏହି ବର୍ଷରୁ ବଢାଇ ୧ ଲକ୍ଷ କରି ଦିଆଯାଇଛି।