ନୂଆଦିଲ୍ଲୀ, ୨୧।୧୨: ପ୍ରତ୍ୟେକ ରାଜ୍ୟର ସ୍ୱତନ୍ତ୍ର ରୀତିନୀତି, ସଂସ୍କୃତି, ପରମ୍ପରା ରହିଛି । ଏହି କ୍ରମରେ ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ବିଶନଖେଡ଼ା ଗାଁରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ । ଗାଁରେ ପୁଅ ପିଲାଙ୍କ ବିବାହ ଯେ ପର୍ଯ୍ୟନ୍ତ ହୋଇନାହିଁ, ସେତେ ପର୍ଯ୍ୟନ୍ତ ସେମାନଙ୍କୁ କେଶ କାଟିବା ମନା । ଅର୍ଥାତ୍, କେଶ କାଟିଲେ ବି କେଶ ବା ଶିଖା ବଢ଼ାଇଥାନ୍ତି । ଏହି ପରମ୍ପରାକୁ ଏଠାକାର ଲୋକ ବର୍ଷ ବର୍ଷ ଧରି ସେମିତି ପାଳନ କରି ଆସୁଛନ୍ତି । ଗ୍ରାମବାସୀ ଦେବନାରାୟଣ ବାବାଙ୍କ ଜଣେ ସନ୍ଥଙ୍କୁ ସମ୍ମାନ ଜଣାଇ ଏହି ପରମ୍ପରା ପାଳନ କରୁଥିବା ବିଶ୍ୱାସ କରାଯାଏ । ତେଣୁ ୨୧ ବର୍ଷ କିମ୍ୱା ଯେ ପର୍ଯ୍ୟନ୍ତ ଯୁବକମାନେ ବିବାହ ନ କରିଛନ୍ତି, ସେମାନେ ଏଭଳି କେଶ ଚୂଳ ବଢ଼ାଇଥାନ୍ତି ।
ତେବେ ୨୧ ବର୍ଷ ପରେ କିମ୍ୱା ବିବାହ ପରେ ଯୁବକମାନେ ଚାହିଁଲେ ଚୂଳ କାଟିପାରିବେ, ନଚେତ୍ ରଖିପାରିବେ । ଏହି ଗାଁର ଜନସଂଖ୍ୟା ୮୦୦ । ସେହିପରି ଏହି ଗାଁର ଲୋକେ ଘରେ ଗାଈ, ମଇଁଷି ରଖନ୍ତି ସତ କିନ୍ତୁ କ୍ଷୀର ବିକ୍ରି କରିବା ନିୟମ ନାହିଁ । ଅବଶ୍ୟ ମଝିରେ କିଛି ଲୋକ କ୍ଷୀର ବିକ୍ରି କରିବାକୁ ପ୍ରୟାସ କରିଥିଲେ, କିନ୍ତୁ ଏହା ଦ୍ୱାରା ସେମାନଙ୍କ ଧନହାନି ହୋଇଥିଲା ବୋଲି କୁହାଯାଏ । କ୍ଷୀର ବିକ୍ରି କରିବା ଦ୍ୱାରା ବାବା ଦେବନାରାୟଣ କ୍ରୋଧ ପ୍ରକଟ କରନ୍ତି ବୋଲି ବିଶ୍ୱାସ କରାଯାଏ । ଗାଁରେ କାହାର କ୍ଷୀର ଆବଶ୍ୟକ ପଡ଼ିଲେ ଗ୍ରାମବାସୀ ତାକୁ ମାଗଣା ଦେଇଥାନ୍ତି । କ୍ଷୀର ବିକ୍ରି ନ କରି ଗାଁ ଲୋକ ଗୋସେବା ଓ ଗୋ' ରକ୍ଷା ମନୋଭାବ ପ୍ରଦର୍ଶିତ କରିଥାନ୍ତି । କେବଳ ସେତିକି ନୁହେଁ, ଗ୍ରାମବାସୀ ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ କି ପରସ୍ପର ମଧ୍ୟରେ ଝଗଡ଼ା ମଧ୍ୟ କରିନଥାନ୍ତି ।