ନୂଆଦିଲ୍ଲୀ, ୨୧/୧୨ : ଆସନ୍ତା ୧୦ ଦିନ ଯାଏଁ ଥରାଇବ ହାଡ଼ଭଙ୍ଗା ଜାଡ଼। ଅସ୍ତବ୍ୟସ୍ତ ହୋଇପଡିବ ଜନଜୀବନ। ଶୀତରେ ଥରିବେ ଦେଶବାସୀ। ଆଗାମୀ ୨ ଦିନ ଅନୁଭୂତ ହେବ ପ୍ରବଳ ଥଣ୍ଡା। ଦିନ ୯ଟା ଯାଏଁ ଢାଙ୍କି ହୋଇ ରହିବ କୁହୁଡ଼ି। ଆଲର୍ଟ ଜାରି କଲା ଆଇଏମଡି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୭.୫ ଡିଗ୍ରୀକୁ ଖସିଥିଲା। ଆଗାମୀ ଦୁଇ ଦିନ ଯାଏଁ ଶୀତ ଆହୁରି ବଢିବ। ଘନ କୁହୁଡ଼ିର ବି ସମ୍ଭାବନା ରହିଛି। ଏଥିପାଇଁ ଦିଲ୍ଲୀକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେପଟେ କାଶ୍ମୀରରେ ଶୀତ ଲହରୀ ଚରମ ସୀମାରେ ପହଞ୍ଚିଛି। ଶ୍ରୀନଗରରେ ଗୁରୁବାର ରାତି ଏପର୍ଯ୍ୟନ୍ତର ସବୁଠୁ ଥଣ୍ଡା ରାତି ଥିଲା। ସେଠାରେ ନ୍ୟୁନତମ ତାପମାତ୍ରା ୦ ରୁ ୬.୨ ଡିଗ୍ରୀ ସେଲସିୟସ୍ ରେକର୍ଟ କରାଯାଇଥିଲା। ପ୍ରବଳ ଥଣ୍ଡା ଯୋଗୁଁ ଏହି ଅଞ୍ଚଳରେ ଜଳାଶୟ ଏବଂ ଡାଲ୍ ହ୍ରଦରେ ବରଫ ଜମି ଯାଇଥିଲା।
ଦକ୍ଷିଣ କାଶ୍ମୀରର ପହଲଗାମରେ ନ୍ୟୁନତମ ତାପମାତ୍ରା ୦ ରୁ ୮.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଗୁଲମାର୍ଗରେ ମଧ୍ୟ ନୂନତମ ତାପମାତ୍ରା ୦ ରୁ ୬ ଡିଗ୍ରୀ ରେକର୍ଡ ହୋଇଥିଲା। ତେବେ ଡିସେମ୍ଵର ୨୭ ଏବଂ ୨୮ରେ ପାହାଡିଆ ଅଞ୍ଚଳରେ ତୁଷାରପାତ ହେବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି ହୋଇଛି।