ଲାହୋର,୨୮/୦୨: ଚଳିତ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ବି’ରେ ଶୁକ୍ରବାର ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ଗତ ଆଫଗାନିସ୍ତାନ-ଇଂଲଣ୍ଡ ମ୍ୟାଚ୍ ଭଳି ଏହି ମ୍ୟାଚ୍ ମଧ୍ୟ ଅଘୋଷିତ ନକ୍ ଆଉଟ୍ । ଆଫଗାନିସ୍ତାନ ଏହି ମ୍ୟାଚ୍ ଜିତିଲେ ସେମିରେ ପ୍ରବେଶ କରିପାରିବ । ପରାଜୟ ସତ୍ତେ୍ୱ ଅଷ୍ଟ୍ରେଲିଆର ସେମି ଆଶା ଉଜ୍ଜୀବିତ ରହିଥିବ । ଏହି ଗ୍ରୁପ୍ର ଶେଷ ଲିଗ୍ ମ୍ୟାଚ୍ରେ ଇଂଲଣ୍ଡ ଟେବୁଲ ଟପ୍ପର ଦକ୍ଷିଣ ଆଫ୍ରିକାକୁ ବଡ଼ ବ୍ୟବଧାନରେ ହରାଇ ପାରିଲେ ଅଷ୍ଟ୍ରେଲିଆର ସେମି ଖେଳିବା ସମ୍ଭାବନା ସୃଷ୍ଟି ହୋଇପାରିବ । ଏଭଳି ସ୍ଥଳେ ରନ୍ ରେଟ୍ ନିର୍ଣ୍ଣାୟକ ସାଜିବ ।
ରାୱଲପିଣ୍ଡି ଭଳି ଆଜି ଲାହୋରରେ ମଧ୍ୟ ବର୍ଷା ଆଶଙ୍କା ରହିଛି। ବର୍ଷା ଯୋଗୁଁ ମ୍ୟାଚ ବାତିଲ ହେଲେ ଅଷ୍ଟ୍ରେଲିଆ ସିଧା ସେମି ଫାଇନାଲକୁ ଉନ୍ନୀତ ହେବ ଓ ଆଫଗାନିସ୍ତାନ ଆଶା ମଉଳିଯିବ । ଆଫଗାନିସ୍ତାନ ସୀମିତ ଓଭର କ୍ରିକେଟ୍ରେ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଉଥିବାରୁ କ୍ରିକେଟ୍ ପ୍ରେମୀ ମଧ୍ୟ ଏହି ମ୍ୟାଚ୍କୁ ନେଇ ବେଶ୍ ଉତ୍ସାହିତ ରହିଛନ୍ତି ।
ଆଜି ମ୍ୟାଚ୍ ଗତ ଦିନିକିଆ ବିଶ୍ୱକପ୍ର ସେହି ମ୍ୟାଚ୍କୁ ମନେ ପକାଇ ଦେଉଛି । ଆଫଗାନିସ୍ତାନ ଉକ୍ତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ବିନିମୟରେ ୨୯୧ରନ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୯୧ ରନ୍ରେ ୭ଟି ୱିକେଟ୍ ହରାଇ ସାରିଥିଲା । ଗ୍ଲେନ ମ୍ୟାକ୍ସୱେଲ୍ ୩୩ରନ କରିଥିବାବେଳେ ତାଙ୍କର ଏକ କ୍ୟାଚ ହାତଛଡ଼ା କରିଥିଲେ ମୁଜିବ ଉର ରେହମାନ । ଏହାପରେ ମ୍ୟାକ୍ସୱେଲ ବିସ୍ଫୋରକ ବ୍ୟାଟିଂ କରି ଆଫଗାନିସ୍ତାନଠାରୁ ମ୍ୟାଚ ଛଡ଼ାଇ ନେଇଥିଲେ । ସେ ଅପରାଜିତ ୨୦୧ ରନ୍ ସଂଗ୍ରହ କରିଥିଲେ ।
ଆଫଗାନିସ୍ତାନ ଏହି ପରାଜୟକୁ ଭୁଲି ନାହିଁ । ପ୍ରତିଶୋଧ ନେବାର ଉପଯୁକ୍ତ ସମୟ ଆସିଛି । ଇଂଲଣ୍ଡ ବିପକ୍ଷରେ ବିଜୟ ପରେ ଦଳର ମନୋବଳ ମଧ୍ୟ ଦ୍ୱିଗୁଣିତ ରହିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଭଳି ପ୍ରଥମେ ବ୍ୟାଟିଂ ସୁଯୋଗ ପାଇଲେ ଆଫଗାନିସ୍ତାନର ବିଜୟ ସମ୍ଭବ ହୋଇପାରିବ । କାରଣ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ଅଟକାଇବା ଭଳି ବୋଲିଂ ବିଭାଗ ଆଫଗାନିସ୍ତାନ ନିକଟରେ ରହିଛି । ଆଫଗାନିସ୍ତାନକୁ ହାଲ୍କା ଭାବିବା ଅଷ୍ଟ୍ରେଲିଆ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ । କାରଣ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ୨୧ ରନ୍ରେ ହରାଇ ଆଫଗାନିସ୍ତାନ ସେମିରେ ପ୍ରବେଶ କରିଥିଲା । ଆଜି ମଧ୍ୟ ଦଳ ଏଭଳି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ଦଳରେ ଅଭିଜ୍ଞ ପେସ୍ ବାହିନୀ ନାହାନ୍ତି । ନୂଆ ବୋଲରଙ୍କ ନିକଟରେ ଦକ୍ଷତା ରହିଥିଲେ ହେଁ ଅର୍ନ୍ତଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ନାହିଁ । ଇବ୍ରାହିମ ଜାଡ୍ରାନ ଶତକ ଅର୍ଜନ କରି ଫର୍ମରେ ରହିଥିବା ପ୍ରମାଣ କରିଛନ୍ତି । ବର୍ତ୍ତମାନ ରହମନୁଲ୍ଲା ଗୁରବାଜଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ ।
ବର୍ଷା ଆଶଙ୍କା: ଗଦ୍ଦାଫି ଷ୍ଟାଡ଼ିୟମ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ଟସ୍ ସେଭଳି ଗୁରୁତ୍ୱପୂର୍ଣ୍ଣ ନୁହେଁ । ତଥାପି ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରିବା ସମ୍ଭାବନା ଅଧିକ । ବର୍ଷା ନହେଲେ ଏକ ଦମ୍ଦାର ମ୍ୟାଚ୍ ଦେଖିବାକୁ ମିଳିବ ।
ସମ୍ଭାବ୍ୟ ଦଳ
ଅଷ୍ଟ୍ରେଲିଆ: ମାଥ୍ୟୁ ସର୍ଟ, ଟ୍ରେଭିସ ହେଡ୍, ଷ୍ଟିଭେନ ସ୍ମିଥ (ଅଧିନାୟକ), ମାର୍ନସ ଲାବୁସାନ, ଜୋସ ଇଂଲିଶ, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟାକ୍ସୱେଲ୍, ସିନ ଆବୋଟ/ସ୍ପେନସର ଜନସନ, ବେନ ଡାର୍ସିୟସ, ନାଥାନ ଏଲିସ, ଆଡାମ ଜାମ୍ପା ।
ଆଫଗାନିସ୍ତାନ: ଇବ୍ରାହିମ ଜାଡ୍ରାନ, ରହମନୁଲ୍ଲା ଗୁରବାଜ, ସଦ୍ଦିକୁଲା ଅଟଳ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ, ମହମ୍ମଦ ନବି, ଗୁଲବଦ୍ଦିନ ନାଇବ, ରସିଦ ଖାନ, ନୂର ଅହମ୍ମଦ, ଫଜଲହକ୍ ଫାରୁକି ।