ରାୱଲପିଣ୍ଡି,୨୭/୦୨: ଚଳିତ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ୍-ଏ’ରେ ଗୁରୁବାର ଆୟୋଜକ ପାକିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ୨ଟି ଲେଖାଏଁ ମ୍ୟାଚ୍ ପରାଜିତ ହୋଇ ସେମି ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିସାରିଛନ୍ତି । କେବଳ ସମ୍ମାନ ପାଇଁ ଉଭୟ ଦଳ ଜିତିବାକୁ ପ୍ରୟାସ କରିବେ ।
ଉଭୟ ଦଳ ସେମି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିବାରୁ ଏହି ମ୍ୟାଚ୍ କିଛି ଗୁରୁତ୍ୱ ରଖୁନାହିଁ । ତଥାପି ଦଳଗତ ପ୍ରଦର୍ଶନ କିମ୍ବା ବ୍ୟକ୍ତିଗତ ରେକର୍ଡ ଯାହା କିଛି ଫ୍ୟାନ୍ମାନଙ୍କୁ ଆକର୍ଷିତ କରିପାରେ । ଭାରତ ଓ ନ୍ୟୁଜିଲାଣ୍ଡ ଠାରୁ ଉଭୟ ଦଳ ପରାଜିତ ହୋଇଥିଲେ । ମାତ୍ର କିଛି ବ୍ୟକ୍ତିଗତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।
ଭାରତ ବିପକ୍ଷରେ ବାଂଲାଦେଶର ମଧ୍ୟକ୍ରମ ବ୍ୟାଟର ତୋହିଦ ହୃଦୟ ଶତକ ଅର୍ଜନ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଯୁବ ପେସ ବୋଲର ନାହିଦ ରାଣା ଘାତକ ପେସ୍ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା । ପାକିସ୍ତାନ ଖେଳାଳି ଏପର୍ଯ୍ୟନ୍ତ ସେଭଳି କିଛି ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି । ଅବଶ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାରିସ ରୌଫ ବେଶ୍ ଶୃଙ୍ଖଳିତ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା । ବ୍ୟାଟିଂରେ କେବଳ ସାଉଦ ସକିଲ ସଫଳ ହୋଇଛନ୍ତି । ତେଣୁ ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେବା ପୂର୍ବରୁ ଷ୍ଟାର ବ୍ୟାଟର ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ବ୍ୟାଟ୍ରୁ କିଛି ଦର୍ଶନୀୟ ଇନିଂସ ଦେଖିବାକୁ ଦର୍ଶନ ଆଶା ରଖିବେ । ସେହିପରି ବାଂଲାଦେଶର ଦୁଇ ଭେଟେରାନ ମୁସଫିକର ରହିମ ଓ ମହମୁଦୁଲ୍ଲାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଆଶା ବାନ୍ଧିଛନ୍ତି ।
ବର୍ଷା ଆଶଙ୍କା: ବର୍ଷା ଯୋଗୁଁ ରାୱଲପିଣ୍ଡିରେ ଗୋଟିଏ ମ୍ୟାଚ୍ ବାତିଲ ହୋଇସାରିଛି । ଗୁରୁବାର ମଧ୍ୟ ବର୍ଷା ପ୍ରଭାବ ପକାଇବାର ଆଶଙ୍କା ରହିଛି । ୩ ଦିନ ଧରି ପିଚ୍ ଘୋଡ଼ା ହୋଇ ରଖାଯାଇଛି । ତେଣୁ ଖେଳ ସମ୍ଭବ ହେଲେ ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବ । ଟସ ବିଜୟୀ ଦଳ ଫିଲ୍ଡିଂ କରିବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ପାକିସ୍ତାନ: ଇମାମ-ଉଲହକ୍/ଉସମାନ ଖାନ, ବାବର ଆଜମ, ସାଉଦ ସକିଲ, ମହମ୍ମଦ ରିଜୱାନ(ଅଧିନାୟକ), ସଲମାନ ଆଘା, ତୟାବ ତାହିର, ଖୁସଦିଲ ଶାହ, ସହିନ ଆଫ୍ରିଦି, ନସିମ ଶାହ, ହ୍ୟାରିସ୍ ରୌଫ, ଅବରାର ଅହମ୍ମଦ ।
ବାଂଲାଦେଶ: ତନଜିଦ ହାସାନ, ଦଜମୁଲ ହୋସେନ ଶାନ୍ତୋ(ଅଧିନାୟକ), ମେହଦି ହାସାନ ମିରାଜ, ତୋହିଦ ହୃଦୟ, ମୁସଫିକର ରହିମ, ମହମୁଦୁଲ୍ଲା, ଜାକର ଅଲି, ରିଶଦ ହୋସେନ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ନାହିଦ ରାଣା ।