ଭୁବନେଶ୍ୱର ୨୮/୦୨: ଅଭିନେତା ଉତ୍ତମ ମହାନ୍ତି ୧୯୭୭ରେ ମୁକ୍ତିଲାଭ କରିଥିବା ଅଭିମାନ ଚଳଚ୍ଚିତ୍ରରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ୨୦୦ରୁ ଅଧିକ ସିନେମାରେ ନାୟକ, ଚରିତ୍ର ଅଭିନେତା, ଭାଇ, ସ୍ୱାମୀ ଓ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ତାଙ୍କର ଦ୍ୱିତୀୟ ଫିଲ୍ମ ଥିଲା ପତିପତ୍ନୀ । ଏହାପରେ ରାମାୟଣ, ତପସ୍ୟା, ରାମ ବଳରାମ, ଆରତୀ, ଶଂଖମହୂରୀ, ସରପଞ୍ଚ ବାବୁ, ଦଣ୍ଡା ବାଳୁଙ୍ଗା ଭଳି ଚଳଚ୍ଚିତ୍ରରେ ଉତ୍ତମ ଦର୍ଶକଙ୍କ ମନ ଜିତିଥିଲେ । ୮୦ ଦଶକରେ ଉତ୍ତମ ପାଲଟି ଯାଇଥିଲେ ଓଲିଉଡ୍ର ସବୁଠାରୁ ଲୋକପ୍ରିୟ ତଥା ରୋମାଣ୍ଟିକ୍ ହିରୋ ।
ଅଭିଳାଷ, ରାମ ରହିମ, ଜାଇଫୁଲ, ଚକା ଭଉଁରୀ, ମମତା ମାଗେ ମୂଲ, ସମୟ ବଡ଼ ବଳବାନ, ପୂଜାଫୁଲ, ଶଙ୍ଖା ସିନ୍ଦୁର, ସହରୀ ବାଘ, ଜୋର ଯାର ମୂଲକ ତାର, ଭକ୍ତ ସାଲବେଗ, ପକା କମ୍ବଳ ପୋତ ଛତା, କପାଳ ଲିଖନ, ସୂନା ଚଢ଼େଇ, ତୁଣ୍ଡ ବାଇଦ, ଚକା ଆଖି ସବୁ ଦେଖୁଛି, ପରଦେଶୀ ଚଢ଼େଇ, ଦଇଦ ଦଉଡ଼ି, ପଞ୍ଚୁ ପାଣ୍ଡବ, ଦାଦାଗିରି, ପାଚେରୀ ଉଠିଲା ମଝି ଦୁଆରୁ, ଉଦଣ୍ଡୀ ସୀତା ଆଦି ସିନେମା ଉତ୍ତମଙ୍କୁ ଓଲିଉଡର ରୋମାଣ୍ଟିକ ସୁପରଷ୍ଟାରର ମାନ୍ୟତା ଦେଇଥିଲା । ପରବର୍ତ୍ତୀ ସମୟରେ ସେ ଚରିତ୍ର ଅଭିନେତା ଭାବେ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ । ଏ ଯୁଗର କୃଷ୍ଣ ସୁଦାମା, ରୋମିଓ ଦ ଲଭର ବୟ, ପାଗଳ କରିଛି ପାଉଁଜି ତୋର ଫିଲ୍ମ ତାଙ୍କୁ ସଫଳତାର ଆଉ ଏକ ଶୀର୍ଷ ସୋପାନରେ ପହଞ୍ଚାଇଥିଲା । ତେବେ ୨୦୨୨ରେ ରିଲିଜ୍ ହୋଇଥିବା ବିଦ୍ୟାରାଣ ଚଳଚ୍ଚିତ୍ରରେ ଶେଷ ଥର ପାଇଁ ସେ ନିଜ ପୁଅ ତଥା ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ସହ ବଡ଼ ପରଦାରେ ଆସିଥିଲେ ।
ଉତ୍ତମ ମହାନ୍ତି କେବଳ ଓଡିଆ ନୁହେଁ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ହିନ୍ଦି ଫିଲ୍ମ ‘ନୟା ଜହର’ରେ ସେ ଅଭିନୟ କରିଥିଲେ । ୧୯୯୧ ମସିହାରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା । ଯାହାକୁ ନିର୍ଦ୍ଦେଶନା ଦେଇଥିଲେ ଜ୍ୟୋତି ସରୂପ । ଉତ୍ତମଙ୍କ ସହ ମହାଭାରତର ଅର୍ଜୁନ ଭୂମିକାରେ ଆସିଥିବା ଅଭିନେତା ଅର୍ଜୁନ ଓ ଶତାବ୍ଦୀ ରାୟ, ନବୀନ ନିଶ୍ଚଳ ପ୍ରମୁଖ ଅଭିନୟ କରିଥିଲେ । ବରିଷ୍ଠ ଅଭିନେତା ସ୍ୱର୍ଗତ ସାଧୁ ମେହେରଙ୍କ ପରେ ସେ ଏକମାତ୍ର ଓଡ଼ିଆ ଅଭିନେତା ଭାବେ ଏକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ ।