ଭୁବନେଶ୍ୱର,୨୮/୦୨: ମାର୍ଚ୍ଚ ୬ରୁ ୯ ଯାଏ ସ୍ଥାନୀୟ ବରମୁଣ୍ଡା ପଡ଼ିଆ ଠାରେ ତୃତୀୟ ଅନ୍ତର୍ଜାତୀୟ ଖଣି ଓ ଭିତ୍ତିଭୂମି ଏକ୍ସପୋ ଅନୁଷ୍ଠିତ ହେବ । ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ । ୪ ଦିନ ଧରି ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟରେ ଦେଶ ବିଦେଶର ଖଣି, ନିର୍ମାଣ, ଭିତ୍ତିଭୂମି ଶିଳ୍ପ ଅଂଶୀଦାରମାନେ ଯୋଗଦେବେ ବୋଲି ଆୟୋଜକ ଫ୍ୟୁଚରେକ୍ସ ଗ୍ରୁପ ପକ୍ଷରୁ ସୂଚନା ମିଳିଛି । ଉଦ୍ଭାବନ ସହଯୋଗ ଏବଂ ବ୍ୟବସାୟିକ ସୁଯୋଗ ସୃଷ୍ଟିକୁ ନଜରରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।
୧୦୦ ଦେଶର ପ୍ରତିନିଧି, ୩୦୦ରୁ ଊଦ୍ଧ୍ୱର୍ ବିଶ୍ୱସ୍ତରୀୟ କମ୍ପାନି ଏଠାରେ ଯୋଗଦେବେ । ୭ ହଜାରରୁ ଊଦ୍ଧ୍ୱର୍ ପଞ୍ଜୀକରଣ ଏବେ ସୁଦ୍ଧା ହସ୍ତଗତ ହୋଇଛି । ୩୫ରୁ ଊଦ୍ଧ୍ୱର୍ ବିଶିଷ୍ଟ ବକ୍ତା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ମୋଟ ୫ ଲକ୍ଷ ବର୍ଗଫୁଟ ପରିମିତ ସ୍ଥାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଏ ଉପଲକ୍ଷେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନାଲ୍କୋର ପୂର୍ବତନ ସିଏମ୍ଡି ତପନ କୁମାର ଚାନ୍ଦ ଖଣି କ୍ଷେତ୍ରର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ଆୟୋଜକ ଫ୍ୟୁଚରେକ୍ସ ଗ୍ରୁପର ଏମ୍ଡି ସ୍ୱାମୀ ପ୍ରେମ୍ ଅନ୍ୱେଶୀ କହିଲେ, ଚଳିତ ବର୍ଷ ଏହି ସମ୍ମିଳନୀରେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ସମାଧାନ ପ୍ରଦର୍ଶନ କରିବେ ଅଂଶୀଦାର । କାର୍ଯ୍ୟକ୍ରମର ସହଯୋଗୀ ଭାବେ ପିଏଚ୍ଡି ଚାମ୍ବର ଅଫ୍ କମର୍ସ, ସ୍କିଲ୍ କାଉନସିଲ ଅଫ୍ ମାଇନିଂ ଏବଂ ଓସ୍ମି ରହିଛନ୍ତି ।