ନୂଆଦିଲ୍ଲୀ,୨୭/୦୨: କେନ୍ଦ୍ର ସରକାର ଦେଶର ସମସ୍ତ ନାଗରିକଙ୍କ ପାଇଁ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ ଆଣିବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏଥିରେ ଅଣ-ସଂଗଠିତ  କ୍ଷେତ୍ରର କର୍ମଚାରୀମାନଙ୍କୁ ସାମିଲ କରାଯିବ । ଏବେ ନିର୍ମାଣ ସାଇଟ୍‌ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀ, ଘରୋଇ ଷ୍ଟାଫ ଏବଂ ଗିଗ୍‌ ୱାର୍କରଙ୍କୁ ସରକାରଙ୍କ ପକ୍ଷରୁ ଚାଲୁ ରହିଥିବା ପେନ୍‌ସନ ସ୍କିମ୍‌ଗୁଡ଼ିକର ଫାଇଦା ମିଳୁନାହିଁ । କିନ୍ତୁ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ ଆସିବା ଦ୍ୱାରା ଏମାନେ ବି ସୁବିଧା ପାଇବାକୁ ସକ୍ଷମ ହେବେ । ଏହି ସ୍କିମ୍‌ ଦ୍ୱାରା  ସମସ୍ତ ବେତନଭୋଗୀ କର୍ମଚାରୀ ଏବଂ ସେଲ୍‌ଫ ଏମ୍ପ୍ଲୟଡ୍‌ଙ୍କୁ  ଲାଭ ମିଳିବ । ସରକାର ଏଥିପାଇଁ ଏବେ ଦସ୍ତାବିଜ୍‌ ପ୍ରସ୍ତୁତ  କରୁଛନ୍ତି । ଏହା ପରେ ଅଂଶୀଦାରମାନଙ୍କଠାରୁ ପ୍ରସ୍ତାବ ନିଆଯିବ । 

ଗଣମାଧ୍ୟମ ରିପୋର୍ଟ ଅନୁସାରେ,ଏହା  ବର୍ତ୍ତମାନର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନଠାରୁ ଭିନ୍ନ ହେବ କାରଣ ନୂଆ ସ୍କିମ୍‌ରେ ସରକାର ଭିନ୍ନ ଭିନ୍ନ ସ୍କିମ୍‌ଗୁଡ଼ିକୁ  ଏକତ୍ର କରି ଗୋଟିଏ ୟୁନିଭର୍ସାଲ ସ୍କିମ୍‌ ଆଣିବେ ।  ଏହାକୁ ଏକ ସୁରକ୍ଷିତ ବିକଳ୍ପ ଭାବେ ଦେଖାଯାଇପାରିବ ।  

ସୂତ୍ର ଅନୁସାରେ, ନ୍ୟାସ୍‌ନାଲ ପେନ୍‌ସନ ସ୍କିମ୍‌ ଉପରେ ୟୁନିଭର୍ସାଲ ପେନ୍‌ସନ ସ୍କିମ୍‌ର କୌଣସି ପ୍ରଭାବ ପଡ଼ିବ  ନାହିଁ। ଅଣସଙ୍ଗଠିତ କ୍ଷେତ୍ରଲାଗି ଅଟଳ ପେନ୍‌ସନ ଯୋଜନା କାର୍ଯ୍ୟକାରି ହେଉଛି । ଏ ସ୍କିମ୍‌ରେ ବ୍ୟକ୍ତିଙ୍କୁ ୬୦ ବର୍ଷ ପୂରଣ  ହେବା ପରେ ମାସକୁ ୧୦୦୦ରୁ ୫୦୦୦ ଟଙ୍କା ମିଳିଥାଏ ।  ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ଯୋଜନା ବି ଚାଲିଛି ।  

ଏଥିରେ ସଡ଼କପାର୍ଶ୍ୱ ଉଠାଦୋକାନୀ, ଘରୋଇ ସହାୟକ ଏବଂ  ଶ୍ରମିକଙ୍କୁ ସରକାର ଆର୍ଥିକ ସହାୟତା ଦେଇଥାନ୍ତି । ସେହିଭଳି ଚାଷୀମାନଙ୍କ ପାଇଁ ପୃଥକ ଭାବେ ଏକ ସ୍କିମ୍‌ ପ୍ରଧାନମନ୍ତ୍ରୀ  କିଷାନ ମାନଧନ ଯୋଜନା ଚାଲିଛି । ଏଥିରେ ନିବେଶକଙ୍କୁ  ୬୦ ବର୍ଷ ହେବା ପରେ ସରକାର ପ୍ରତିମାସ ୩,୦୦୦ ଟଙ୍କାର  ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ନିକଟରେ କେନ୍ଦ୍ର  ସରକାର ନୂଆ ପେନ୍‌ସନ ଯୋଜନା ୟୁନିଫାଏଡ୍‌ ପେନ୍‌ସନ  ସ୍କିମ୍‌(ୟୁପିଏସ୍‌)କୁ ମଞ୍ଜୁରି ଦେଇଛନ୍ତି ।

 ଏହା ଅଧୀନରେ ଯଦି  ଜଣେ କର୍ମଚାରୀ ୨୫ ବର୍ଷ ଚାକିରି କରିଛନ୍ତି ତେବେ ଅବସର ପୂର୍ବରୁ ଚାକିରିର ଅନ୍ତିମ ୧୨ ମାସର ମୂଳ ଦରମାର ୫୦%  ରାଶିକୁ ପେନ୍‌ସନ ଆକାରରେ ଦିଆଯିବ । ଯଦି କୌଣସି  କର୍ମଚାରୀ ୧୦ ବର୍ଷ ପରେ ଚାକିରି ଛାଡ଼ିଦିଅନ୍ତି ତେବେ ତାଙ୍କୁ  ପ୍ରତିମାସ ୧୦ ହଜାର ଟଙ୍କାର ପେନ୍‌ସନ ମିଳିବ । ଏହାଦ୍ୱାରା  ପ୍ରାୟ ୨୩ ଲକ୍ଷ କର୍ମଚାରୀଙ୍କୁ ଫାଇଦା ମିଳିବ । ଏ ସ୍କିମ୍‌ ୨୦୨୫  ଏପ୍ରିଲ ୧ରୁ ଲାଗୁ କରାଯିବ ।