ନୂଆଦିଲ୍ଲୀ, ୨୮।୨: ସାଇବର ଅପରାଧୀଙ୍କ ବଡ଼ ଚାଲ । ଲୋକଙ୍କୁ ଲୁଟିବାକୁ ସରକାରଙ୍କ କାନ୍ଧରେ ପିସ୍ତଲ ରଖି ଗୁଳି ଚଳାଉଛନ୍ତି ଠକ । ସରକାର ଗରିବଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । ଅର୍ଥ ମନ୍ତ୍ରଣାଳୟ ଗରିବ ଙ୍କୁ ୪୬ହଜାର ୭୧୦ ଟଙ୍କା ଦେଉଛନ୍ତି । ଯଦି ଆପଣଙ୍କ ହ୍ୱାଟ୍ସଆପକୁ ବି ଏଭଳି ମେସେଜ୍ ଆସୁଛି ତେବେ ସାବଧାନ । ହ୍ୱାଟ୍ସଆପ୍ରେ ଏମିତି ମେସେଜ୍ ଆସିଲେ ଭୁଲରେ ବି କ୍ଲିକ୍ କରନ୍ତୁ ନାହିଁ । ନହେଲେ ଚୁଟ୍କିରେ ଉଡ଼ିଯିବ ସବୁତକ ଟଙ୍କା । ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ଠକେଇ କରିବାର ନୂଆ ଜାଲ ବିଛାଇଛନ୍ତି ସାଇବର ଲୁଟେରା । ସରକାର ଏନେଇ ସତର୍କ ସୂଚନା ଜାରି କରିଛନ୍ତି । ଲୋକଙ୍କୁ ଠକିବାକୁ ପ୍ରତିଦିନ ନୂଆ ନୂଆ ଚାଲ୍ ବିଛାଉଥିବା ସାଇବର୍ ଠକ ଏବେ ଲୋକଙ୍କୁ ଫସାଇବା ପାଇଁ ସରକାରୀ ଯୋଜନାର ଲୋଭ ଦେଖାଉଛନ୍ତି । ଲୋକଙ୍କୁ ସରକାରୀ ସହାୟତା ଦେବା ବାହାନାରେ ଲୋକଙ୍କଠୁ ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି ଏବଂ ଟଙ୍କା ଠକି ନେଉଛନ୍ତି । ଯାହାକୁ ନେଇ ସରକାରଙ୍କ ତରଫରୁ ଲୋକଙ୍କୁ ସଚେତନ କରାଯାଇଛି ।
ପ୍ରେସ୍ ଇନଫରମେସନ୍ ବ୍ୟୁରୋ ଏହିପରି କିଛି ମେସେଜର ସ୍କ୍ରିନସଟ୍ ନେଇ ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରିଛନ୍ତି । ସରକାରଙ୍କ ତରଫରୁ ଏପରି କୌଣସି ଯୋଜନା ପ୍ରଣୟନ କରାଯାଇନାହିଁ ବୋଲି ଦାବିକୁ ଖଣ୍ଡନ କରିବା ସହ ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରାଯାଇଛି । ସରକାର କହିଛନ୍ତି ଯେ, ଗରିବଙ୍କ ପାଇଁ ଆର୍ଥିକ ସହାୟତା ଦାବି କରି ହ୍ୱାଟ୍ସଆପରେ ଏକ ଲିଙ୍କ ସହିତ ଏକ ବାର୍ତ୍ତା ପଠାଯାଉଛି । ଏହା ବ୍ୟତୀତ, ମେସେଜ୍ ପଢ଼ୁଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ବିବରଣୀ ପଚରାଯାଉଛି । ଏହି ମେସେଜ୍ ସମ୍ପୂର୍ଣ୍ଣ ନକଲି । ଅର୍ଥ ମନ୍ତ୍ରଣାଳୟ ଏପରି କୌଣସି ଯୋଜନା ଘୋଷଣା କରିନାହିଁ । ହ୍ୱାଟ୍ସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏପରି ନକଲି ମେସେଜର ବନ୍ୟା ଆସିଛି । ଏପରି ମେସେଜ୍ ସମୟ ସମୟରେ ଭାଇରାଲ୍ ହୁଏ ଏବଂ ଅନେକ ଲୋକ ଏହାକୁ ବିଶ୍ୱାସ କରନ୍ତି ଏବଂ ନିଜକୁ କ୍ଷତି ପହଞ୍ଚାନ୍ତି । ନିକଟରେ, ସମାନ ପ୍ରକାରର ଆଉ ଏକ ବାର୍ତ୍ତା ଭାଇରାଲ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ୭୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ । ସରକାର ଏପରି ମେସେଜ୍ ପ୍ରତି ସତର୍କ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।
ଆଜିକାଲି ସାଇବର ଅପରାଧର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସାଇବର ଅପରାଧୀମାନେ ସରକାରୀ ଯୋଜନା କିମ୍ବା ଅନ୍ୟାନ୍ୟ ପ୍ରଲୋଭନମୂଳକ ପ୍ରତିଶ୍ରୁତି ବିଷୟରେ ମେସେଜ୍ ପଠାଇ ଲୋକମାନଙ୍କୁ ନିଜ ଫାଶରେ ଫସାଇବାକୁ ଚେଷ୍ଟା କରନ୍ତି । ଏହି ମେସେଜଗୁଡ଼ିକରେ ଥିବା ଲିଙ୍କଗୁଡ଼ିକ ଉପରେ କ୍ଲିକ୍ କରିବା ଦ୍ୱାରା ବହୁତ କ୍ଷତି ହୋଇପାରେ । ତେଣୁ, ସୋସିଆଲ ମିଡିଆରେ ଦେଖାଯାଉଥିବା ଲୋଭନୀୟ ବିଜ୍ଞାପନର ଶିକାର ହୁଅନ୍ତୁ ନାହିଁ ଏବଂ କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଆସୁଥିବା କୌଣସି ମେସେଜ୍ କିମ୍ବା ଇମେଲରେ ଦିଆଯାଇଥିବା କୌଣସି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ ।