ନୂଆଦିଲ୍ଲୀ,୨୭/୦୨: ମୋଟାପଣ ବା ପୃଥୁଳତା କେବଳ ଏକ ବ୍ୟକ୍ତିଗତ ସମସ୍ୟା ନୁହେଁ । ଏହା ଅର୍ଥନୀତି ପାଇଁ ଏକ ବଡ଼ ସତର୍କଘଣ୍ଟି । ଏହି ମୋଟାପଣ ଯୋଗୁ ୨୦୬୦ ସୁଦ୍ଧା ଭାରତୀୟ ଅର୍ଥବ୍ୟବସ୍ଥାକୁ ୭୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ । ଗ୍ଲୋବାଲ ଓବେସିଟି ଅବ୍ଜର୍ଭେଟୋରୀ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏଭଳି ଆଶଙ୍କା ପ୍ରକାଶ କରାଯାଇଛି ।
ନିକଟରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପୃଥୁଳତା ଉପରେ ଚିନ୍ତାବ୍ୟକ୍ତ କରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟାପଣ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଅର୍ଥବ୍ୟବସ୍ଥା ପାଇଁ ବିପଜ୍ଜନକ ବୋଲି ସେ କହିଥିଲେ ।
ଗ୍ଲୋବାଲ ଓବେସିଟି ଅବ୍ଜର୍ଭେଟୋରୀ ଅନୁସାରେ, ୨୦୧୯ରେ ଭାରତରେ ମୋଟାପଣର ଆର୍ଥିକ ବୋଝ ପାଖାପାଖି ୨୮୯୫ କୋଟି ଡଲାର ଥିଲା, ଯାହା ଦେଶର ମୋଟ ଘରୋଇ ଉତ୍ପାଦର ୧% । ଯଦି ସ୍ଥିତି ଏଭଳି ରୁହେ ତେବେ ଏ ବର୍ଷ ଏହା ୮୧୫୩ କୋଟି ଡଲାର ହେବାର ଆଶଙ୍କା ରହିଛି, ଯାହାକି ଜିଡିପିର ୧.୫୭% ହେବ । ଆଶଙ୍କା କରାଯାଉଛି ଯେ, ବର୍ଷ ୨୦୬୦ ସୁଦ୍ଧା ମୋଟାପଣ ଦ୍ୱାରା ଭାରତୀୟ ଅର୍ଥନୀତିକୁ ୮୩୮୬୦ କୋଟି ଡଲାର ବା ୭୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ । ଏହା ଦେଶର ଜିଡିପିର ୨.୫% ।
ଗତ ବର୍ଷ ଜୁଲାଇରେ ଜାରି ହୋଇଥିବା ଆର୍ଥିକ ସର୍ବେକ୍ଷଣ ୨୦୨୩-୨୪ରେ ଚେତାବନୀ ଦିଆଯାଇଥିଲା ଯେ, ଯଦି ଭାରତୀୟମାନେ ଫିଟ୍ ରହିବେ ନାହିଁ ତେବେ ଦେଶର ଡେମୋଗ୍ରାଫିକ୍ ଡିଭିଡେଣ୍ଟ ଅର୍ଥାତ୍ ଯୁବପିଢ଼ିଙ୍କ ସମ୍ପୂର୍ଣ୍ଣ ଫାଇଦା ଅର୍ଥନୀତିକୁ ମିଳିବ ନାହିଁ । ଅର୍ଥାତ୍ ଆମ ନାଗରିକମାନେ ସୁସ୍ଥ ନ ରହିଲେ ଏହାର ପ୍ରଭାବ ଦେଶର ବିକାଶ ଉପରେ ପଡ଼ିବ ।
ସର୍ଭେ ଅନୁସାରେ, ଯଦି ଭାରତକୁ ନିଜର ଡେମୋଗ୍ରାଫିକ୍ ଡିଭିଡେଣ୍ଟ୍ ବା ଯୁବପିଢ଼ିଙ୍କ ଫାଇଦା ଉଠାଇବାର ଅଛି ତେବେ ଏଥିପାଇଁ ଏହା ଜରୁରୀ ଯେ, ଲୋକଙ୍କ ସ୍ୱାସ୍ଥ୍ୟ ମାନକଗୁଡ଼ିକ ସନ୍ତୁଳିତ ଏବଂ ବିବିଧ ଆହାର ଆଡ଼କୁ ସ୍ଥାନାନ୍ତର ହେଉ । ସର୍ଭେରେ ମୋଟାପଣକୁ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦର୍ଶାଯାଇଥିଲା । ସର୍ଭେ ଅନୁସାରେ, ଭାରତର ବୟସ୍କ ଲୋକମାନଙ୍କ ମଧ୍ୟରେ ମୋଟାପଣ ଏକ ଗମ୍ଭୀର ସମସ୍ୟା ପାଲଟିଛି ।
ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ଅନୁସାରେ, ୧୮ରୁ ୬୯ ବୟସ ବର୍ଗର ପୁରୁଷଙ୍କ ମଧ୍ୟରେ ମେଦବହୁଳତା ହାର ୨୨.୯% ହୋଇଯାଇଛି, ଯାହା ପୂର୍ବ ସର୍ଭେରେ ୧୮.୯% ଥିଲା । ମହିଳାଙ୍କ ମଧ୍ୟରେ ଏହା ୨୦.୬%ରୁ ବଢ଼ି ୨୪.୦% ହୋଇଛି । କମ୍ ଶାରୀରିକ କସରତ ଏହାର ଏକ ବଡ଼ କାରଣ । ଏହାସହିତ ଲୋକଙ୍କ ଖାଦ୍ୟପେୟ ଅଭ୍ୟାସରେ ବି ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ୟାକେଟ୍ ବନ୍ଦ ଏବଂ ପ୍ରୋସେସ୍ଡ ଖାଦ୍ୟ ଖାଇବା ଦ୍ୱାରା ମୋଟାପଣ ବଢ଼ିଥାଏ ।
ଆର୍ଥିକ ସର୍ବେକ୍ଷଣ ୨୦୨୪-୨୫ରେ ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟକୁ ନେଇ ଚିନ୍ତାବ୍ୟକ୍ତ କରାଯାଇଛି । ଏଥିରେ ଚିନି, ଲୁଣ ଏବଂ ଅସୁସ୍ଥକର ଫ୍ୟାଟ୍ ଉପରେ କଡ଼ା ନିୟମ ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ଖାଦ୍ୟ ପ୍ୟାକେଟ୍ରେ ଚେତାବନୀ ଲେବଲ୍ ଲଗାଇବା ଏବଂ ବିଶେଷକରି ପିଲାମାନଙ୍କ ପାଇଁ ଜଙ୍କ୍ ଫୁଡ୍ ବିଜ୍ଞାପନ ଉପରେ ରୋକ୍ ଲଗାଇବାକୁ କୁହାଯାଇଛି । ସ୍କୁଲ୍, ହସ୍ପିଟାଲ ଏବଂ ସର୍ବସାଧାରଣ ସ୍ଥାନରେ ଏଭଳି ଖାଦ୍ୟକୁ ହଟାଇ ମିଲେଟ୍, ଫଳ ଏବଂ ପରିପରିବା ଭଳି ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟକୁ ଶସ୍ତାରେ ଉପଲବ୍ଧ କରାଇବା ପାଇଁ ପରାମର୍ଶ ଦିଆଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏବଂ ଇଣ୍ଡିଆନ୍ କାଉନ୍ସିଲ୍ ଫର୍ ରିସର୍ଚ୍ଚ ଅନ୍ ଇଣ୍ଟର୍ନ୍ୟାସ୍ନାଲ ଇକୋନୋମିକ୍ ରିଲେସନ୍ସ (ଆଇସିଆର୍ଆଇଆର୍)ର ଏକ ରିପୋର୍ଟ ଅନୁସାରେ, ଭାରତରେ ଅଲ୍ଟ୍ରା-ପ୍ରୋସେସ୍ଡ ଖାଦ୍ୟ କ୍ଷେତ୍ରର ୨୦୧୧ରୁ ୨୦୨୧ ପର୍ଯ୍ୟନ୍ତ ଖୁଚୁରା ବିକ୍ରି ମୂଲ୍ୟରେ ବାର୍ଷିକ ୧୩.୩୭% ବୃଦ୍ଧି ଘଟିଛି । ପାରିବାରିକ ଉପଯୋଗ ବ୍ୟୟ ସର୍ବେକ୍ଷଣ ୨୦୨୨- ୨୩ର ତଥ୍ୟରୁଜଣାପଡ଼ିଛି ଯେ, ଗ୍ରାମୀଣ ପରିବାର ନିଜ ଖାଦ୍ୟ ବଜେଟ୍ର ପାଖାପାଖି ୯.୬% ପ୍ରୋସେସ୍ଡ ଖାଦ୍ୟ ପଦାର୍ଥରେ ଖର୍ଚ୍ଚ କରନ୍ତି ଏବଂ ସହରୀ ପରିବାର ଏଥିରେ ପ୍ରାୟ ୧୦.୬୪% ଖର୍ଚ୍ଚ କରନ୍ତି ।
ଏସବୁ ଚେତାବନୀ ସତ୍ତେ୍ୱ ଭାରତରେ ମୋଟାପଣରୁ ବର୍ତ୍ତିବା ପାଇଁ କୌଣସି ଠୋସ୍ ରାଷ୍ଟ୍ରୀୟ ରଣନୀତି ନାହିଁ । ତେବେ ପିଲାମାନେ ଏବଂ ଦୁର୍ବଳ ବର୍ଗଙ୍କ ପୋଷଣ ପାଇଁ ନୀତି ରହିଛି କିନ୍ତୁ ସମସ୍ତ ବୟସ ବର୍ଗର ଲୋକମାନଙ୍କ ମଧ୍ୟରେ ମୋଟାପଣରୁ ବର୍ତ୍ତିବା ପାଇଁ କୌଣସି ବ୍ୟାପକ ଯୋଜନା ନାହିଁ । ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆର୍ଥିକ ବୋଝ ଆହୁରି ବଢ଼ିପାରେ ।
ରାଷ୍ଟ୍ରୀୟ ପୋଷଣ ସଂସ୍ଥାନରେ କାର୍ଯ୍ୟ କରିଥିବା ବୈଜ୍ଞାନିକ ଏ.ଲକ୍ଷ୍ମୈୟା କୁହନ୍ତି, ମୋଟାପଣର ଆର୍ଥିକ ପ୍ରଭାବ କେବଳ ଚିକିତ୍ସା ବାବଦ ଖର୍ଚ୍ଚ ମଧ୍ୟରେ ସୀମିତ ନୁହେଁ । ସେ କହିଲେ ଯେ, ନିଯୁକ୍ତି ଓ ସୁଯୋଗ ହ୍ରାସ ଏବଂ ସାମାଜିକ ସହାୟତା ବି କମିବା କାରଣରୁ ସୃଷ୍ଟ ଚିନ୍ତା ବି ଏହି ଆର୍ଥିକ ବୋଝକୁ ବଢ଼ାଇଥାଏ ।
ମୋଟାପଣ କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ଏହା ରାଷ୍ଟ୍ରୀୟ ସମୃଦ୍ଧିକୁ ବି ପ୍ରଭାବିତ କରିଥାଏ । ଯଦି ଭାରତ ଏହାର ଡେମୋଗ୍ରାଫିକ୍ ଡିଭିଡେଣ୍ଟଙ୍କ ସମ୍ପୂର୍ଣ୍ଣ ଫାଇଦା ଉଠାଇବାକୁ ଚାହେଁ ତେବେ ଏହା ପାଖରେ ଏକ ସୁସ୍ଥ ଏବଂ ଉତ୍ପାଦକ କାର୍ଯ୍ୟବଳ ରହିବା ଜରୁରୀ ।
ଆର୍ଥିକ ସର୍ବେକ୍ଷଣ ସ୍ପଷ୍ଟ କହୁଛି ଯେ, ଯଦି ଆମେ ଏବେ ମୋଟାପଣ ଉପରେ ନିୟନ୍ତ୍ରଣ ଆଣିବା ନାହିଁ ତେବେ ନିଜ ଆର୍ଥିକ କ୍ଷମତାର ସମ୍ପୂର୍ଣ୍ଣ ଲାଭ ଉଠାଇପାରିବା ନାହିଁ । ବିଶେଷଜ୍ଞଙ୍କ କହିବାନୁସାରେ, ଆଗକୁ ଚିପ୍ସ କିଣୁଥିଲେ କିମ୍ବା ବ୍ୟାୟାମ ବନ୍ଦ କରୁଥିଲେ ମନେ ରଖିବାକୁ ପଡ଼ିବ ଯେ, ମୋଟାପଣ କେବଳ ବ୍ୟକ୍ତିଗତ ସମସ୍ୟା ନୁହେଁ ବରଂ ସମ୍ପୂର୍ଣ୍ଣ ଅର୍ଥନୀତି ପାଇଁ ବଡ଼ ସମସ୍ୟା ପାଲଟିପାରେ ।