ନୂଆଦିଲ୍ଲୀ,୨୮/୦୨: କେନ୍ଦ୍ରୀୟ ଟିକସରୁ ରାଜ୍ୟଗୁଡ଼ିକର ଭାଗ କମିପାରେ । ଏବେ ଏହି ଟିକସରେ ରାଜ୍ୟଗୁଡ଼ିକର ଭାଗ ୪୧% ରହିଛି । ତେବେ ଏହାକୁ ୪୦%କୁ କମାଇବା ଲାଗି କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି । ଏଭଳି ଏକ ପ୍ରସ୍ତାବ ଏବେ କେନ୍ଦ୍ର ଅର୍ଥ ଆୟୋଗଙ୍କ ନିକଟକୁ ପଠାଯିବ । ଏହା ଚୂଡାନ୍ତ ମଞ୍ଜୁରୀ ଲାଭ କଲେ ଲାଗୁ ହେବ । ତେବେ ଏହା ଆଗାମୀ ଦିନରେ କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ପ୍ରଭାବିତ କରିବ ବୋଲି କୁହାଯାଉଛି ।
ଏବେ ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାରଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ଏଥିଯୋଗୁ ଟିକସ ଭାଗରେ ଏଭଳି ପରିବର୍ତ୍ତନ କରିବାକୁ ସରକାର ଚାହୁଁଥିବା ପ୍ରକ୍ରିୟା ସହ ଜଡ଼ିତ ୩ ଜଣ ଅଧିକାରୀ କହିଛନ୍ତି । ଟିକସ ଭାଗବଣ୍ଟା ସହ କେନ୍ଦ୍ରରାଜ୍ୟ ବିତ୍ତୀୟ ସମ୍ପର୍କର ବିଭିନ୍ନ ଦିଗ ଉପରେ ଅର୍ଥ ଆୟୋଗକୁ ଏକ ପ୍ରସ୍ତାବ ଦିଆଯିବ । ଏ ନେଇ ଗଠିତ କମିଟିର ମୁଖ୍ୟ ବିଶିଷ୍ଟ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିଆ ରହିଛନ୍ତି । ଅକ୍ଟୋବର ୩୧ ସୁଦ୍ଧା ବିଭିନ୍ନ ଦିଗ ଉପରେ ଆଲୋଚନା ପରେ କମିଟି ଏହାର ସୁପାରିସ ରଖିବ । ୨୦୨୬-୨୭ ଆର୍ଥିକ ବର୍ଷରୁ ଏହାକୁ ଲାଗୁ କରାଯାଇପାରେ ।
ରାଜ୍ୟଗୁଡ଼ିକର ଟିକସ ଭାଗ ୪୦%କୁ କମାଇବା ନେଇ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମାର୍ଚ୍ଚ ଶେଷ ସୁଦ୍ଧା ମଞ୍ଜୁରୀ ଦେବା ପରେ ଏହାକୁ ଅର୍ଥ କମିଶନଙ୍କ ନିକଟକୁ ପଠାଯିବ । ରାଜ୍ୟଗୁଡ଼ିକର ଟିକସ ଭାଗ ୧% କମିଲେ ରାଜକୋଷକୁ ୩୫ ହଜାର କୋଟି ସଞ୍ଚୟ ହେବ । ଟିକସ ଆଦାୟ ବଢ଼ିଲେ ଏହା ଅଧିକ ରହିପାରେ । ଏ ନେଇ ଅର୍ଥ ମନ୍ତ୍ରଣାଳୟ ଏବଂ ଅର୍ଥ ଆୟୋଗଙ୍କ ସ୍ପଷ୍ଟୀକରଣ ଲୋଡ଼ା ଯାଇଥିଲେ ମଧ୍ୟ ଏହା ମିଳିପାରିନି । ୧୯୮୦ରେ କେନ୍ଦ୍ର ଟିକସରେ ରାଜ୍ୟଗୁଡ଼ିକର ଅଂଶ ୨୦% ଥିବା ବେଳେ ଏହା ୪୧%କୁ ବଢ଼ିଛି । ତେବେ ଆର୍ଥିକ ମାନ୍ଦାବସ୍ଥା ପରଠୁ କେନ୍ଦ୍ରକୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି । କେନ୍ଦ୍ରର ବିତ୍ତୀୟ ନିଅଣ୍ଟ ଚଳିତ ଆର୍ଥିକ ବର୍ଷ ଜିଡିପିର ୪.୮% ରହିବ । ସେହିଭଳି ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ଦେଶର ଜିଡିପିର ୩% ।
ଅର୍ଥନୀତି ଲାଗି ସରକାରଙ୍କ ମୋଟ ଖର୍ଚ୍ଚରେ ରାଜ୍ୟଗୁଡ଼ିକର ଅଂଶ ୬୦% ରହୁଛି । ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସାମାଜିକ ଭିତ୍ତିଭୂମିରେ ରାଜ୍ୟ ନିବେଶ କରୁଥିବା ବେଳେ କେନ୍ଦ୍ର ସରକାର ଭିତ୍ତିଭୂମିରେ ଖର୍ଚ୍ଚ କରିଥାନ୍ତି । ଜିଏସ୍ଟି ପରେ ଏବେ ରାଜ୍ୟଗୁଡ଼ିକ ନିକଟରେ ରାଜସ୍ୱ ଆଦାୟର ସ୍ରୋତ କମ୍ ରହିଛି । କୋଭିଡଠାରୁ କେନ୍ଦ୍ର ସରକାର ସେସ୍ ଏବଂ ସରଚାର୍ଜରୁ ବିପୁଳ ଅର୍ଥ ଆଦାୟ କରୁଛନ୍ତି । ମୋଟ ଟିକସରେ ଏହା ପୂର୍ବରୁ ୧୦ରୁ ୧୨% ଥିବା ବେଳେ ଏବେ ୧୫%କୁ ବଢ଼ିଛି ।
ଏଭଳି ସ୍ଥିତିରେ ରାଜ୍ୟଗୁଡିକୁ କମ୍ ଅର୍ଥ ଆସିଲେ ସେମାନଙ୍କୁ ମଧ୍ୟ ଖର୍ଚ୍ଚ ବେଳେ ଚିନ୍ତା କରିବାକୁ ପଡ଼ିବ । ମାଗଣା ଯୋଜନାଗୁଡ଼ିକ ଉପରେ ବିଚାର କରିବା ସହ ଏହା ଉପରେ ରୋକ ଲଗାଇବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଉଛି