ନୂଆଦିଲ୍ଲୀ: ପାକିସ୍ତାନ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତି ନେଉନାହିଁ। ଦେଶର ଜନତା ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ଏହା କ୍ରମାଗତ ଭାବରେ ଅପରାଧ ବୃଢାଇବାରେ ଲାଗିଛି। ଭାରତର ବର୍ଦ୍ଧିତ ଶକ୍ତି ଦେଖି ପଡ଼ୋଶୀ ଦେଶ ଗୁଡ଼ିକ ଏବେ ବିଚଳିତ ହୋଇ ପଡିଛନ୍ତି। ଏବେ ମୁମ୍ବାଇ ଟ୍ରାଫିକ୍ ପୋଲିସର ହ୍ୱାଟସଆପ୍ ହେଲ୍ପଲାଇନ୍ରେ ଏକ ପାକିସ୍ତାନୀ ନମ୍ବରରୁ ଏକ ମେସେଜ ଆସିଛି, ଯେଉଁଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ କାର୍ଯ୍ୟାଳୟକୁ ବୋମା ମାଡ଼ କରିବାକୁ ଧମକ ଦିଆଯାଇଛି। ଯାହା ପରେ ପୋଲିସ ଟିମ୍ ଏବେ ଆଲର୍ଟ ହୋଇଛି ।
ଗୁରୁବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି ଯେ ନିଜକୁ ମାଲିକ ଶାହବାଜ ରଜା ବୋଲି ଦର୍ଶାଇ ଜଣେ ବ୍ୟକ୍ତି ଗୁରୁବାର ଏହି ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ, ଯାହା ପରେ ୱର୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା। "ଧମକପୂର୍ଣ୍ଣ ମେସେଜଟି ଇଂରାଜୀରେ ଅଛି,ଅଧିକାରୀ ଜଣକ କହିଛନ୍ତି। ଆଉ ଏହା ପରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୂର୍ବରୁ ମୁମ୍ବାଇ ଟ୍ରାଫିକ୍ ପୋଲିସ ହେଲ୍ପଲାଇନ୍ରେ ମଧ୍ୟ ସମାନ ମେସେଜ୍ ପଠାଯାଇଛି। ଗତ ବର୍ଷ ନଭେମ୍ବରରେ ଅଭିନେତା ସଲମାନ ଖାନଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦିଆଯାଇଥିଲା ଏବଂ ବଦଳରେ ୫ କୋଟି ଟଙ୍କା ଦାବି କରାଯାଇଥିଲା । ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏକ ଧମକପୂର୍ଣ୍ଣ ମେସେଜ ମଧ୍ୟ ପଠାଯାଇଥିଲା, ଯାହା ପରେ ଝାଡ଼ଖଣ୍ଡର ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ରାଜସ୍ଥାନରୁ ଗିରଫ କରାଯାଇଥିଲା। ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଏକ ମେସେଜ ପଠାଯାଇଥିଲା, ଯାହା ପରେ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।