ଲକ୍ଷ୍ନୌ,୨/୦୨: ବେଙ୍ଗାଲୁରୁ ପରେ ଏବେ ଆଗ୍ରା । ଜୀବନ ହାରିଲେ ଆଉ ଜଣେ ଅତୁଲ । ଅସହ୍ୟ ହେଲା ସ୍ତ୍ରୀର ନିର୍ଯାତନା । ବାପା ମାଆଙ୍କୁ ସରି କହି ଆତ୍ମହତ୍ୟା କରିବାକୁ ନେଲେ ଚରମ ନିଷ୍ପତ୍ତି । ଜୀବନ ଶେଷ କରି ଦେଇଛନ୍ତି ଟିସିଏସ୍ ମ୍ୟାନେଜର ୨୫ ବର୍ଷୀୟ ମାନବ ଶର୍ମା । ଛାଡି ଯାଇଛନ୍ତି ବେଦନାଭରା ଭିଡିଓ । ବେଙ୍ଗୁଲୁରୁର ବହୁ ଚର୍ଚ୍ଚିତ ଅତୁଲ ସୁଭାଷଙ୍କ ପରି ୟୁପି ଆଗ୍ରାରୁ ସମାନ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।
ଆଗ୍ରାର ଡିଫେନ୍ସ କଲୋନୀରେ ମାନବ ଶର୍ମାଙ୍କ ଘର । ସେ ଆଇଟି କମ୍ପାନୀରେ ରିକ୍ୟୁଟମେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ଗତ ୨୪ ତାରିଖରେ ବେକରେ ଫାଶୀ ଲଗାଇ ଜୀବନ ହାରିଛନ୍ତି ମାନବ । ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ଯନ୍ତ୍ରଣାଭରା ଭିଡିଓ ପୋଷ୍ଟ କରିଛନ୍ତି ।
ମାଆ-ବାପା ସରି- ଜୀବନ ହାରିବାକୁ ଚରମ ନିଷ୍ପତ୍ତି ନେବା ପରେ ଭିଡିଓରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପରିବାର ସହ ବାପା ମାଆଙ୍କୁ କ୍ଷମା ମାଗି କହିଛନ୍ତି, ''ମୁଁ ଯିବା ପରେ ସବୁ ଠିକ୍ ହୋଇଯିବ । ପୂର୍ବରୁ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲି । ଏବେ ପତ୍ନୀଙ୍କ ନିର୍ଯାତନା ଅତିଷ୍ଠ ହେଲାଣି । ଆଉ ସହି ପାରୁନାହିଁ । ''
ସୋସିଆଲ ମିଡିଆରେ ୬ ମିନିଟ୍ ୫୬ ସେକେଣ୍ଡର ଏକ ଭିଡଓ ସେୟାର କରିଛନ୍ତି ମାନବ ଶର୍ମା । ଯେଉଁଥିରେ ସେ ବେକରେ ରଶି ଲଗାଇଥିବା ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ ଲୁହ ଛଳ ଛଳ ଆଖିରେ ସେ କହିଛନ୍ତି, ଦୟା କରି କେହି ତ ପୁରୁଷଙ୍କ ପାଇଁ ସ୍ବର ଉଠାଅ । ସେମାନେ ଏକୁଟିଆ ପଡିଯାଇଛନ୍ତି । ପୁରୁଷଙ୍କ ସୁରକ୍ଷା ପାଇଁ ଆଇନ୍ ଆସିବା ଦରକାର । ନଚେତ୍ ଏମିତି ସମୟ ଆସିବ କେହି ପୁରୁଷ ବଞ୍ଚିବେ ନାହିଁ । ମୁଁ ଯିବାକୁ ଚାହୁଁଛି । ମୋ ସ୍ତ୍ରୀଙ୍କର ଅନ୍ୟ ଜଣଙ୍କ ସହ ସମ୍ପର୍କ ଅଛି । ପୁରୁଷଙ୍କ ବିଷୟରେ ଭାବନ୍ତୁ । ତାଙ୍କ ବିଷୟରେ କେହି ତ କୁହ । ବିଚରା ସେମାନେ ଏକୁଟିଆ ପଡି ଯାଇଛନ୍ତି ।''
ମାନବଙ୍କର ଏପରି ମୃତ୍ୟୁ ମନେ ପକାଇ ଦେଇଛି ବେଙ୍ଗାଲୁରୁର ଅତୁଲ ସୁଭାଷଙ୍କ କଥା । ଗତବର୍ଷ ଠିକ୍ ଏମିତି ଜଣେ ନିର୍ଯାତିତ ସ୍ବାମୀ ଆଇଟି ଇଞ୍ଜିନିୟର ଅତୁଲ ସୁଭାଷ ଭିିଡିଓ ସେୟାର କରି ଆଇନ ଉପରେ ପ୍ରଶ୍ନ ଉଠାଇ ଜୀବନ ହାରିଥିଲେ ।