ପ୍ରମୂଖ ଖବର
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ସୋସିଆଲ ମିଡିଆ ମନ୍ତବ୍ୟରୁ ଭଦ୍ରକ ଅଶାନ୍ତ ଘଟଣା: ୭ ଗିରଫ, ଜିଲ୍ଲାବ୍ୟାପୀ ଇଣ୍ଟରନେଟ ବନ୍ଦ, ୧୮ ପ୍ଲାଟୁନ ଫୋର୍ସ ମୁତୟନ

ଭଦ୍ରକ,୨୯/୦୯: ସୋସିଆଲ ମିଡିଆରେ ମନ୍ତବ୍ୟକୁ ନେଇ ଶୁକ୍ରବାର ଭଦ୍ରକର ପୁରୁଣା  ବଜାର ଅଞ୍ଚଳ ଅଶାନ୍ତ ହୋଇପଡ଼ିଥିଲା । ଢେଲାମାଡ଼ ଓ ବିକ୍ଷୋଭ ପରେ ସେହି ଅଞ୍ଚଳ  ଏବେ ପୁଲିସ କବ୍‌ଜାରେ ରହିଛି । ଦିନ ତମାମ  ପୁଲିସ ପଇଁତରା ମାରିଛି । କ୍ୟାମ୍ପ ପକାଇଛି । ଅସ୍ଥାୟୀ ଟେଣ୍ଟ ପକାଇ ଛକ ବଜାର ଜଗିଛି ।  ସହରରେ ୧୬୩ ଧାରା ବଳବତ୍ତର ରହିଛି ।  ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ଜିଲ୍ଲାବ୍ୟାପୀ  ଇଣ୍ଟରନେଟ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି । ପୁରୁଣା ବଜାର ଥାନାରେ ୨ଟି ମାମଲା  ଦାୟର କରାଯାଇଛି । ହିଂସାକାଣ୍ଡରେ ସମ୍ପୃକ୍ତ  ଥିବା ୭ ଜଣଙ୍କୁ ଗିରଫ କରାଯାଇଛି । ସେପଟେ  ଧାମନଗରରେ ଶୁକ୍ରବାର ରାତିରେ ଚାଲିଥିବା  ୩ ଘଣ୍ଟାର ଥାନା ଘେରାଉ ଘଟଣାକୁ ନେଇ  ଜିଲ୍ଲାପ୍ରଶାସନ ସଜାଗ ହୋଇଛି ।  

ଧାମନଗର ଏନଏସି ଓ ଦୋବଲ ଅଞ୍ଚଳରେ  ୧୬୩ ଧାରା ଲାଗୁ ହୋଇଛି । ବିଳମ୍ବିତ ରାତିରେ  ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବର୍ତ୍ତମାନ ଭଦ୍ରକ ସହରରେ ୧୨  ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ଧାମନଗର  ଥାନା ଅଞ୍ଚଳରେ ୬ ପ୍ଲାଟୁନ ଫୋର୍ସ ନିୟୋଜିତ  ହୋଇଛନ୍ତି । ଦୁଇ ପ୍ଲାଟୁନ ରାପିଡ୍‌ଆକ୍ସନ ଫୋର୍ସ  ଭଦ୍ରକରେ ପହଞ୍ଚିଛନ୍ତି । ସେମାନଙ୍କୁ ନେଇ ସାରା ସହରରେ ସନ୍ଧ୍ୟାରେ ଫ୍ଲାଗମାର୍ଚ୍ଚ କରାଯାଇଛି ।  

ଶନିବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକ ଗସ୍ତ କରି ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ଏସ୍‌ପିଙ୍କ କାର୍ଯ୍ୟାଳୟରେ  ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ସହ  ଏସ୍‌ପି ବରୁଣ ଗୁଣ୍ଠୁପାଲି, ଜିଲ୍ଲାପାଳ ଦିଲ୍ଲୀପ  ରାଉତରାଏ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର  ପ୍ରମୁଖ ଉପସ୍ଥିତ ଥିଲେ । ଭଦ୍ରକ ସନ୍ଥିଆ ବଜାର ସାଳନ୍ଦୀ ସେତୁ ଉପରେ  ଶୁକ୍ରବାର ବିକ୍ଷୋଭକାରୀଙ୍କ ସୀମା ଲଂଘିବା  ଘଟଣାରେ ପୁଲିସ ପ୍ରଶାସନ କଡ଼ା ପଦକ୍ଷେପ  ଆରମ୍ଭ କରିଛି । ଏହି ବିକ୍ଷୋଭରେ ସାମିଲ  ଶତାଧିକ ଲୋକଙ୍କ ନାମରେ ମାମଲା ଦାଏର  କରିଛି । ବିକ୍ଷୋଭକାରୀଙ୍କ ଢେଲା ମାଡ଼ରେ  ଆହତ ଦୁଇ ପୁଲିସ ଅଧିକାରୀଙ୍କ ପ୍ରସଙ୍ଗକୁ  ନେଇ ପୁଲିସ ନିଜ ଆଡ଼ୁ ୨୭୦/୨୪ରେ ମାମଲା  ରୁଜୁ କରି ୭ ଜଣଙ୍କୁ ଜେଲ ପଠାଇଛି । ଗିରଫ  ସଂଖ୍ୟା ଆହୁରି ବଢିବ ବୋଲି ଆଇଆଇସି  କହିଛନ୍ତି । ସେହିଭଳି ଅଧିକ ସଂଖ୍ୟକ ଲୋକଙ୍କୁ  ମେଳି କରି ଆନ୍ଦୋଳନ କରିବା, ସର୍ବସାଧାରଣ  ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ  କରିବାକୁ ନେଇ ଉକ୍ତ ମାମଲାରେ ଶତାଧିକ  ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଛି ।  

ଆନ୍ଦୋଳନ ବେଳର ଭିଡିଓ ଫୁଟେଜ ଯାଞ୍ଚ କରାଯାଇ ଅଭିଯୁକ୍ତଙ୍କୁ ଚିହ୍ନଟ ଚାଲିଛି ।  ସେହିଭଳି ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ୨୬୯/୨୪ରେ ମାମଲା ରୁଜୁ ହୋଇଛି । ସାଇବର  ସେଲ ଦ୍ୱାରା ଏହାର ତଦନ୍ତ ଜାରି ରହିଛି । ଶୁକ୍ରବାର ବିଳମ୍ବିତ  ରାତିରୁ ପୁଲିସ ନାକାବନ୍ଦୀ କରି ଯାଞ୍ଚ ଆରମ୍ଭ କରିଛି । ପୁରୁଣା  ବଜାର ଥାନା ଅଞ୍ଚଳ ନଂଘା ମହଲା ସମେତ ବିଭିନ୍ନ ଅଞ୍ଚଳରେ  ଚଢ଼ଉ କରାଯାଇଛି । ଜିଲ୍ଲାରେ ଏଡିଜି ଶୁକ୍ରବାର ରାତିରୁ ଆସି  ସ୍ଥିତିର ସମୀକ୍ଷା କରିଛନ୍ତି । ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ  ନାୟକଙ୍କ ସମେତ ଏସପି ବରୁଣ ଗୁଣ୍ଠୁପାଲି ଜିଲ୍ଲା ଆଇନ  ଶୃଙ୍ଖଳା ଦାୟିତ୍ୱକୁ ପରିଚାଳନା କରୁଛନ୍ତି ।  

ଶୁକ୍ରବାର ଥିବା ୧୦ ପ୍ଲାଟୁନ ଫୋର୍ସ ସମେତ ଆଜି ଆଉ ୨  ପ୍ଲାଟୁନ ଫୋର୍ସ ପହଞ୍ଚି ପଇଁତରା ମାରିଛନ୍ତି । ଗଣମାଧ୍ୟମକୁ ସୂଚନା  ଦେଇ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି, ଜିଲ୍ଲାର ସ୍ଥିତି  ନିୟନ୍ତ୍ରଣାଧୀନ ରହିଛି । ସୋସିଆଲ ମିଡିଆର ଅପବ୍ୟବହାର  ନେଇ ଇଣ୍ଟରନେଟକୁ ବିଚ୍ଛିନ୍ନ କରାଯାଇଛି । ସ୍ଥିତି ଉପରେ  ନଜର ରହିଛି । ପରବର୍ତ୍ତୀ ସମୟରେ ବିଚାର ବିମର୍ଷ କରାଯାଇ  ଇଣ୍ଟରନେଟ ସେବା ଚାଲୁ ହେବ କି ନାହିଁ ନିଷ୍ପତ୍ତି ନିଆଯିବ ।  ଏସ୍‌ପି ଶ୍ରୀ ଗୁଣ୍ଠୁପାଲି କହିଛନ୍ତି ଯେ, ଏବେ ଜିଲ୍ଲାରେ ମୋଟ ୧୮  ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୨ ପ୍ଲାଟୁନ ଆରଏଏଫ  ଆସି ପହଞ୍ଚିଛନ୍ତି । ପୁଲିସ ପ୍ରଶାସନ ପୂରା ସଜାଗ ରହିଛି ।  ଆଇନ ଶୃଙ୍ଖଳା ସ୍ଥିତି ଠିକ ରହିଥିବା ସେ ପ୍ରକାଶ କରିଛନ୍ତି ।  

ମୁଖ୍ୟ ଅଭିଯୁକ୍ତ ଗିରଫ  

ସୋସିଆଲ ମିଡିଆ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦର  ମୁଖ୍ୟ ଅଭିଯୁକ୍ତ ପୁଲିସ ହାତରେ ଧରାପଡ଼ିଛି । ଏକ ନିର୍ଦ୍ଦିଷ୍ଟ  ଧର୍ମକୁ ଆକ୍ଷେପ କଳାଭଳି ସୋସିଆଲ ମିଡିଆରେ ପୋଷ୍ଟିଂ  ପ୍ରସଙ୍ଗ ନେଇ ଭଦ୍ରକ ପୁରୁଣା ବଜାର ଥାନାରେ ଅଭିଯୋଗ  ହୋଇଥିଲା । ପୁଲିସ ୨୬୯/୨୪ରେ ମାମଲା ଦାଏର କରିଥିଲା ।  ଅଭିଯୋଗକାରୀଙ୍କ ପକ୍ଷରୁ ତୁରନ୍ତ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାକୁ  ଦାବି ହୋଇଥିଲା । ଏହି ମାମଲାକୁ ନେଇ ଗତକାଲି ସନ୍ଥିଆ  ପୋଲ ଉପରେ ଆନ୍ଦୋଳନ ତୀବ୍ରତର ହୋଇ ଢେଲା ପଥର  ମାଡ଼ ହୋଇଥିଲା । ଆଜି ଉକ୍ତ ଅଭିଯୋଗର ମୁଖ୍ୟ ଅଭିଯୁକ୍ତକୁ  ଭଦ୍ରକ ପୁଲିସ ଗିରଫ କରିଛି । ଅଭିଯୁକ୍ତକୁ ପୁଲିସ ଅଜ୍ଞାତ  ସ୍ଥାନରେ ରଖି ଜେରା କରୁଥିବା ଏସ୍‌ପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.