ବୁର୍ଲା,୨୮/୦୯(ଜ୍ୟୋତିପ୍ରକାଶ ପାଣିଗ୍ରାହୀ): କଳାବତୀ ଚାଉଳର ଔଷଧୀୟ ଗୁଣ ସତ୍ତେ୍ୱ ଏହାର ଚାହିଦା ଓଡ଼ିଶାରେ ସେତେଟା ରହୁନାହିଁ। ଯଦ୍ୱାରା ଏହାର ଚାଷ ବି ସେଭଳି ବୃଦ୍ଧି ପାଉନାହିଁ । ହେଲେ ଏହି କଳାବତୀ ଚାଉଳ ଆଗକୁ ବଜାରରେ ଉପଲବ୍ଧ ହେଉଥିବା ଶିଶୁଙ୍କ ପୋଷଣଯୁକ୍ତ ଖାଦ୍ୟକୁ ମାତ୍ ଦେବାକୁ ଯାଉଛି । କାରଣ, ହର୍ବାଲ ଚା’ ପରେ ଏବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କଳାବତୀ ଚାଉଳରୁ ପ୍ରସ୍ତୁତ ପୋଷଣଯୁକ୍ତ ଖାଦ୍ୟ ବଜାରକୁ ଛାଡ଼ିବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ତଥା ପ୍ରୋତ୍ସାହନକୁ ଅପେକ୍ଷା ରହିଛି । ଏହା ବଜାରରେ ଉପଲବ୍ଧ ଛତୁଆକୁ ମାତ୍ ଦେବ ବୋଲି କୁହାଯାଉଛି । ବିଶ୍ୱବିଦ୍ୟାଳୟର ଛାତ୍ରୀ ପାୟଲ ଶର୍ମାଙ୍କ ବର୍ଷାଧିକ ଗବେଷଣା ପରେ ଏହି ପୁଷ୍ଟିକର ପୋଷଣ ଖାଦ୍ୟ ପ୍ରସ୍ତୁତ ହେଉଛି । ଇତିମଧ୍ୟରେ ଏହାର ପରୀକ୍ଷଣ ସଫଳତାର ସହ ଶେଷ ହୋଇଛି । ବିଶେଷ କରି ୬ ମାସରୁ ଉଦ୍ଧ୍ୱର୍ ବୟସର ଶିଶୁଙ୍କ ପାଇଁ ଏହା ସଞ୍ଜୀବନୀ ସାଜିବ ବୋଲି ଛାତ୍ରୀ ପାୟଲ ଏବଂ ତାଙ୍କ ଗାଇଡ୍ ଟିଚର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଖାଦ୍ୟ ବୈଷୟିକ ବିଜ୍ଞାନ ଓ ପୁଷ୍ଟିସାଧନ ବିଭାଗରେ ପିଏଚ୍ଡି କରୁଥିବା ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ପାୟଲ ଶର୍ମା ଶିଶୁଙ୍କ ପାଇଁ ଏହି ପୋଷଣଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିଛନ୍ତି । ଏହାର ନାମ ରହିଛି ‘ନ୍ୟୁଟ୍ରି ନେଷ୍ଟ’ । ଏଥିରେ ଛଅ ପ୍ରକାରରୁ ଊଦ୍ଧ୍ୱର୍ ଖାଦ୍ୟ ସାମଗ୍ରୀ ବ୍ୟବହାର ହୋଇଥିଲେ ମଧ୍ୟ ମୁଖ୍ୟ ଉପାଦାନ ହେଉଛି ପଶ୍ଚିମ ଓଡ଼ିଶାରେ ଉତ୍ପାଦିତ କଳାବତୀ ଚାଉଳ । କଳାବତୀ ଚାଉଳକୁ ସିଝାଇ ତାକୁ ଗୁଣ୍ଡ କରି ଏଥିରେ ବ୍ୟବହାର ହେଉଛି । ଏହାବାଦ୍ ମାଣ୍ଡିଆକୁ ଗଜା କରି ତାକୁ ମଧ୍ୟ ଗୁଣ୍ଡ କରାଯାଇ ମିଶ୍ରଣ କରାଯାଉଛି । ସେହିପରି ଭଜା ବାଦାମ ପାଉଡର, ସୋୟାବିନ, ଗୁଡ଼ ଏବଂ ପାଉଡର କ୍ଷୀର ଆଦିର ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଉଛି ।
କଳାବତୀ ଚାଉଳ ଆଣ୍ଟିଅକ୍ସିଡାଣ୍ଟ ଏବଂ ଏଥିରେ ଆଇରନ୍ ରହିଛି । ମାଣ୍ଡିଆରୁ ଆମିନୋ ଏସିଡ୍, ବାଦାମରୁ ଭିଟାମିନ୍-ଇ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିବ । ସୋୟାବିନ୍ ପାଉଡର ମିଶ୍ରଣ ହୋଇଥିବାରୁ ଏଥିରୁ ପ୍ରୋଟିନ୍ ମିଳିବ । ମିଠା ପାଇଁ ଗୁଡ଼ ବ୍ୟବହୃତ ହୋଇଛି । ଗୁଡ଼ରେ ବି ପୋଷଣତତ୍ତ୍ୱ ଭରି ରହିଛି । ଏସବୁ ସାମଗ୍ରୀ ମିଶ୍ରଣରେ ‘ନ୍ୟୁଟ୍ରିନେଷ୍ଟ’ ପ୍ରସ୍ତୁତ କରିଛନ୍ତି ଗବେଷିକା ପାୟଲ । ଏହା ଖାଇବା ଦ୍ୱାରା ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ । ସ୍ମରଣ ଶକ୍ତି ବଢ଼ିବ । ହାଡ଼ ଶକ୍ତ ହେବ ଏବଂ ମାଂସପେଶୀ ସୁଦୃଢ଼ ହେବ । ଶରୀରକୁ ଭିଟାମିନ୍ ଏବଂ ପ୍ରୋଟିନ୍ ପ୍ରଚୁର ପରିମାଣରେ ମିଳିବ, ଯାହାକି ଶିଶୁର ଶରୀର ଗଠନରେ ସହାୟକ ହେବ । ବିଶେଷକରି ଶିଶୁଟି ସୁସ୍ଥ ଏବଂ ନିରୋଗ ରହିବାରେ ବେଶ୍ ସହାୟକ ହେବ ବୋଲି ଗବେଷିକା ପାୟଲ ଏବଂ ପ୍ରକଳ୍ପ ପ୍ରସ୍ତୁତିରେ ସହାୟତା କରିଥିବା ବିଭାଗୀୟ ଆସୋସିଏଟ୍ ପ୍ରଫେସର ଡ. ଅପରାଜିତା ପ୍ରିୟଦର୍ଶିନୀ କହିଛନ୍ତି ।
‘ନ୍ୟୁଟ୍ରି ନେଷ୍ଟ’କୁ ବିଶ୍ୱବିଦ୍ୟାଳୟର ସେଣ୍ଟର୍ ଅଫ୍ ଆକ୍ସିଲେନ୍ସ ବିଭାଗ ଅଧୀନ ଲ୍ୟାବ୍ରେ ପରୀକ୍ଷା କରାଯାଇଛି । ଲ୍ୟାବ୍ରେ ଥିବା ପ୍ରାଣୀ (ମୂଷା) ଶରୀରରେ ଏହାର ସଫଳ ପରୀକ୍ଷଣ ହୋଇଛି । ଏହାକୁ ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟ୍ ମାର୍କେଟ୍କୁ ଛଡ଼ାଯିବା ପାଇଁ ଯୋଜନା ରହିଛି । ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ରରେ ଛୋଟ ଛୁଆଙ୍କୁ ଛତୁଆ ଦିଆଯାଉଛି । ଏହାର ଗୁଣାତ୍ମକ ମାନକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଛି । ରାଜ୍ୟ ସରକାର ଶିଶୁ ପୋଷଣ ଖାଦ୍ୟ ତାଲିକାରେ ଅପେକ୍ଷାକୃତ କମ୍ ଖର୍ଚ୍ଚରେ ପ୍ରସ୍ତୁତ ‘ନ୍ୟୁଟ୍ରି ନେଷ୍ଟ’କୁ ସାମିଲ କଲେ ଏହା ଲାଭଦାୟକ ହେବ ବୋଲି ଦାବି କରିଛନ୍ତି ଗବେଷିକା ପାୟଲ । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କଳାଧାନ ବା କଳାବତୀ ଧାନ ଚାଷ ହେଉଥିଲେ ହେଁ ଏହାର ଚାହିଦା ସ୍ଥାନୀୟ ଅଞ୍ଚଳରେ ରହୁନାହିଁ । ଚାଷୀମାନେ ଏହି ଧାନକୁ ଅନ୍ୟ ରାଜ୍ୟରେ ବିକ୍ରି କରି ଦେଉଛନ୍ତି । ‘ନ୍ୟୁଟ୍ରି ନେଷ୍ଟ’ ଏହାର ସମାଧାନ କରିପାରିବ । କଳାବତୀ ଧାନରୁ ଉତ୍ପାଦିତ ଚାଉଳ ରାଜ୍ୟରେ ବ୍ୟବହାର ହୋଇପାରିବ ବୋଲି ମତପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଏହି ପୋଷଣ ଖାଦ୍ୟ ପାଇଁ ୨୦୨୩ ଜାନୁଆରୀରୁ ଗବେଷଣା ଆରମ୍ଭ କରାଯାଇଥିଲା । ୨୦୨୪ ଜାନୁଆରୀରେ ଏହା ବାସ୍ତବ ରୂପ ପାଇଛି । ଗବେଷଣାର ସମସ୍ତ ପ୍ରକ୍ରିୟା ଆକ୍ସିଲେନ୍ସ ଆଣ୍ଡ୍ ନାଚୁରାଲ ପ୍ରଡକ୍ଟ ଆଣ୍ଡ ଥେରାପ୍ୟୁଟିକ୍ର ସଂଯୋଜକ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଷ୍ଟାର୍ଟଅପ୍ ଫୋରମ୍ର ନିର୍ଦ୍ଦେଶକ ପ୍ରଫେସର ପ୍ରଦୀପ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଛି । ଏହା ସଫଳ ହେଲେ ବିଶ୍ୱବିଦ୍ୟାଳୟ ଆଉ ଏକ ପାଦ ଆଗକୁ ବଢ଼ିବ ବୋଲି କୁହାଯାଉଛି