ୱାଶିଂଟନ ଡିସି,୧୮/୦୪: ଟାଇମ ମାଗାଜିନ ପକ୍ଷରୁ ଚଳିତବର୍ଷ (୨୦୨୫) ପାଇଁ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରାଯାଇଛି । ଏଥିରେ ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁସୁଫ ସ୍ଥାନ ପାଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଚଳିତ ବର୍ଷର ଏହି ତାଲିକାରେ କୌଣସି ଭାରତୀୟ ନାହାନ୍ତି । ପ୍ରଭାବଶାଳୀ ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀ ତଥା ଅରବପତି ଏଲନ ମସ୍କ ସ୍ଥାନ ପାଇଛନ୍ତି । ଏଥର ଟ୍ରମ୍ପ ପ୍ରଶାସନର ୬ ସଦସ୍ୟ ତାଲିକାରେ ରହିଛନ୍ତି । ଏହା ପୂର୍ବରୁ ଟ୍ରମ୍ପଙ୍କୁ ଟାଇମ ପତ୍ରିକା ପକ୍ଷରୁ ୨୦୧୬ ଓ ୨୦୧୪ରେ ପର୍ସନ ଅଫ୍ ଦି ଇୟର ଭାବେ ମନୋନୀତ କରାଯାଇଥିଲା ।
ଚଳିତବର୍ଷ ତାଲିକାରେ ପ୍ରସିଦ୍ଧ ଗାୟକ ଇଡି ସିରନ, ଅଭିନେତ୍ରୀ ତଥା ଗାୟିକା ସ୍କାରଲେଟ ଜୋହାନସନ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ସ୍ଥାନ ପାଇଛନ୍ତି । ଏଥର ମାଗାଜିନରେ ୬ଟି ବର୍ଗରେ ୩୨ଟି ଦେଶର ଲୋକେ ସାମିଲ ହୋଇଛନ୍ତି । ତାଲିକାରେ ୨୨ ବର୍ଷୀୟ ଫ୍ରାନ୍ସର ସନ୍ତରଣକାରୀ ତୌରିକ ମର୍ଚ୍ଚାଣ୍ଟ ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ସ୍ଥାନ ପାଇଥିଲା ବେଳେ ୮୪ ବର୍ଷୀୟ ୟୁନୁସ ସର୍ବାଧିକ ବୟସ୍କ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ଟାଇମ ମାଗାଜିନ ପକ୍ଷରୁ ୨୦୦୪ରୁ ପ୍ରତିବର୍ଷ ଏହି ତାଲିକା ପ୍ରକାଶ ପାଇଆସୁଛି ।
ଗତ ୨୧ ବର୍ଷ ଭିତରେ ପ୍ରଥମଥର ପାଇଁ ତାଲିକାରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିନି । ଗତବର୍ଷ ୮ ଜଣ ଭାରତୀୟ ସ୍ଥାନ ପାଇଥିଲେ। ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ ସର୍ବାଧିକ ୧୩ଥର ସ୍ଥାନ ପାଇଥିଲା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୧୧ଥର, ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ-ଉନ୍ ୮ଥର, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୭ ଥର ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଥର ସ୍ଥାନ ପାଇଛନ୍ତି ।