ଢାକା, ୧୨/୦୩: ବାଂଲାଦେଶର ସେନାମୁଖ୍ୟ ୱାକର-ଉଜ୍-ଜମାନଙ୍କୁ ଗାଦିଚ୍ୟୁତ କରି ତାଙ୍କ ସ୍ଥାନରେ କ୍ଷମତା ଦଖଲ କରିବାକୁ ଉଦ୍ୟମ ହୋଇଛି । ଏଭଳି ଉଦ୍ୟମ କରିଛନ୍ତି ସେନାର ଜଣେ ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଫୈଜୁର ରହମନ । ହେଲେ ତାଙ୍କର ଏହି ଉଦ୍ୟମ ସଫଳ ହୋଇନାହିଁ । ରହମନ ପାକିସ୍ତାନ ତଥା ଆତଙ୍କୀ ସଙ୍ଗଠନ ଜମାତ ଏ-ଇସ୍ଲାମୀର ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା ।
ସୂଚନା ଅନୁସାରେ ବାଂଲାଦେଶରେ ଏବେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ରହମନ ନିଜର ଶକ୍ତି ଦେଖାଇବାକୁ ଚେଷ୍ଟା କରିଥିଲେ । ସେଥିପାଇଁ ସେ ସେନା ମୁଖ୍ୟାଳୟରେ ଡିଭିଜନାଲ କମାଣ୍ଡରଙ୍କ ଏକ ବୈଠକ ଡାକିଥିଲେ । କିନ୍ତୁ ଏକଥା ସେନାମୁଖ୍ୟ ୱାକର ଜାଣି ନଥିଲେ । ବୈଠକରେ ସେନାମୁଖ୍ୟଙ୍କୁ ବିରୋଧ ସହ ତାଙ୍କ ପ୍ରତି ସମର୍ଥନ ହାସଲ କରିବା ଥିଲା ରହମନଙ୍କ ଉଦ୍ଦେଶ୍ୟ । ହେଲେ ବୈଠକକୁ ଅଧିକାଂଶ କମାଣ୍ଡର ଆସିନଥିଲେ । ତେଣୁ ତାଙ୍କର ଏହି ଉଦ୍ୟମ ସଫଳ ହୋଇନଥିଲା । ତଥାପି ପ୍ରାୟ ୧୦ ଜଣ କମାଣ୍ଡର ରହମନଙ୍କୁ ସମର୍ଥନ କରିଥିବା ସୂଚନା ମିଳିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ରମହନ ଓ ତାଙ୍କ ସମର୍ଥିତ ୧୦ ଜଣ କମାଣ୍ଡରଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ତାଙ୍କର ସମସ୍ତ କାର୍ଯ୍ୟକଳାପ ଓ ଗତିବିଧି ଉପରେ ସାମରିକ ଗୁଇନ୍ଦା ଡିଜିଏଫଆଇ ନଜର ରଖିଛି।