ପ୍ରମୂଖ ଖବର
  • ବିଧାନସଭାରେ ମୋବାଇଲ୍ ପ୍ରବେଶ ଉପରୁ ହଟିଲା କଟକଣା, ସାମ୍ବାଦିକଙ୍କ ସହ ଆଲୋଚନା ପରେ ବାଚସ୍ପତିଙ୍କ ନିଷ୍ପତ୍ତି
  • ||
  • ଭରତପୁର ଥାନା ମାମଲା: ସରକାରଙ୍କୁ ୨୮୨ ଫର୍ଦ୍ଦର ରିପୋର୍ଟ ଦେଲେ ତଦନ୍ତ କମିଶନ ଅଧ୍ୟକ୍ଷ
  • ||
  • ଭଦ୍ରକ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବାଇକ୍, ୨ ଯୁବକ ମୃତ
  • ||
  • ଦିଗପହଣ୍ଡିରେ ଟ୍ରାକ୍ଟର-ସ୍କୁଲ ବସ୍ ମୁହାଁମୁହିଁ ଧକ୍କା: ୫ ଛାତ୍ର ଆହତ, ଚାପି ହୋଇ ରହିଗଲେ ବସ୍‌ ଚାଳକ
  • ||
  • ବୁଧବାର ମହାଖଳାରେ ରୁକୁଣା କାଠ ଅନୁକୂଳ ପୂଜା, ରଥ ନିର୍ମାଣରେ ନିୟୋଜିତ ହେବେ ୭୦ ଜଣ କାରିଗର
  • ||
  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଆଜି ହାଇକୋର୍ଟରେ ହେବ ଶୁଣାଣି
  • ||
  • ଆସିଲା ଡଲଫିନ୍ ଗଣନା ରିପୋର୍ଟ: ଶୀର୍ଷରେ ରାଜନଗର, ଦ୍ୱିତୀୟରେ ଚିଲିକା
  • ||
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆମେରିକା ନାଟୋ ଛାଡ଼ିଲେ ଦୁର୍ବଳ ହୋଇପଡ଼ିବ ୟୁରୋପ, ୩ ରାଷ୍ଟ୍ର ଉପରେ ହମ୍‌ଲା କରିବ ରୁଷ୍‌

Published By : Prameya | March 12, 2025 9:59 AM

ବ୍ରସେଲ୍ସ,୧୨/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକଚାଟିଆ ନୀତି ଅନେକ ଦେଶ ପାଇଁ ଘାତକ ସାଜିଛି ।  ବିଶେଷକରି ୟୁରୋପୀୟ ଦେଶଗୁଡ଼ିକ ପ୍ରମାଦ ଗଣିବା ଆରମ୍ଭ କରିଦେଲେଣି । ୟୁରୋପର ରାଜନୈତିକ ତଥା ସାମରିକ ମେଣ୍ଟ ‘ନାଟୋ’ରୁ ଆମେରିକା ଓହରିଯିବା  ନେଇ ଆଶଙ୍କା ଦେଖାଦେଲାଣି । ଏହା ଉପରେ ଟ୍ରମ୍ପ୍‌ ପ୍ରଶାସନ ଗୁରୁତ୍ୱର ସହ ଚିନ୍ତା କରୁଛି । ଯଦି ସେଭଳି ଘଟେ, ତେବେ ସମଗ୍ର ୟୁରୋପ ଦୁର୍ବଳ ପାଲଟିବ । ବିଶେଷକରି  ସେମାନଙ୍କର ପ୍ରତିରକ୍ଷା ବଳ ସଙ୍କୁଚିତ  ହୋଇଯିବ । ଏହା ଦ୍ୱାରା ସେମାନଙ୍କ ଉପରେ ରୁଷ୍‌ର ଆଖି ପଡ଼ିବ । 

ନାଟୋ (ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି  ଅର୍ଗାନାଇଜେସନ)ର ପୂର୍ବତନ କମାଣ୍ଡର ତଥା ପୂର୍ବତନ ବ୍ରିଟିଶ ସେନା ଜେନେରାଲ  ସାର୍‌ ରିଚାର୍ଡ ଶିରେଫ୍‌ ଏଭଳି ଆଶଙ୍କା  ପ୍ରକାଶ କରିଛନ୍ତି । ତାଙ୍କ ମୁତାବକ, ଯଦି  ନାଟୋରୁ ଆମେରିକା ଅଲଗା ହୋଇଯାଏ,  ତେବେ ରୁଷ୍‌ ସେନାର ଶକ୍ତି ବୃଦ୍ଧି ପାଇବ ।  ଏହା କିଛି ବର୍ଷ ମଧ୍ୟରେ ଅତିକମ୍‌ରେ ୩ଟି  ୟୁରୋପୀୟ ଦେଶ ଯଥା ମୋଲଡୋଭା,  ଜର୍ଜିଆ ଓ ରୋମାନିଆ ଉପରେ ଆକ୍ରମଣ  କରିବ । ତେବେ ତାହା ପୂର୍ବରୁ ୟୁକ୍ରେନ୍‌  ଉପରେ ନିଜର ବିଜୟ ଘୋଷଣା କରିବ  କ୍ରେମ୍‌ଲିନ୍‌ । 

ଇତିମଧ୍ୟରେ ସାମରିକ ଓ ଗୁଇନ୍ଦା  ସହାୟତା ବନ୍ଦ କରି ୟୁକ୍ରେନ୍‌କୁ ଦୁର୍ବଳ  କରିଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍‌ । ଏହାଦ୍ୱାରା  ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ  ତୀବ୍ରତର ହୋଇଛି । ଏହାକୁ ନେଇ ସାର୍‌  ରିଚାର୍ଡ ଶିରେଫ୍‌ ଟ୍ରମ୍ପ୍‌ଙ୍କୁ ତୀବ୍ର ସମାଲୋଚନା  କରିଛନ୍ତି । କହିଛନ୍ତି, ୟୁକ୍ରେନ୍‌କୁ ସହାୟତା  ବନ୍ଦ କରି ଟ୍ରମ୍ପ୍‌ ୟୁରୋପକୁ ଶକ୍ତ ଧକ୍କା  ଦେଇଛନ୍ତି । ତାଙ୍କ ନିଷ୍ପତ୍ତି ପରେ ୟୁକ୍ରେନ୍‌କୁ  ଅସ୍ତ୍ରଶସ୍ତ୍ର ଯୋଗାଣ ଠପ୍‌ ହୋଇଯାଇଛି ।  ଗୁଇନ୍ଦା ସୂଚନା ମିଳିବା ବି ବନ୍ଦ ହୋଇଛି ।  ଏହାପରେ ପୁଟିନ୍‌ଙ୍କ କମାଣ୍ଡରମାନେ କିଏଭ୍‌  ଦଖଲ ଲାଗି ଆଗକୁ ବଢ଼ୁଛନ୍ତି । 

ତାଙ୍କ ମୁତାବକ, ୟୁକ୍ରେନ୍‌ ଦଖଲ  କରିବା ପରେ ରୁଷ୍‌ ଚୁପ୍‌ ବସିବ ନାହିଁ ।  ଏହାର ଆଖି ମୋଲଡୋଭା, ଜର୍ଜିଆ  ଓ ରୋମାନିଆ ଉପରେ ପଡ଼ିବ । ଏହି  ଦେଶଗୁଡ଼ିକର ନିର୍ବାଚନକୁ ନିୟନ୍ତ୍ରଣ କରି  ନିଜ ବିଶ୍ୱସ୍ତଙ୍କୁ ରୁଷ୍‌ କ୍ଷମତାସୀନ କରାଇବ ।  ଫଳରେ ଦେଶଗୁଡ଼ିକରେ ରୁଷ୍‌ ରାଷ୍ଟ୍ରପତି  ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଛାୟା  ଶାସନ ଚାଲିବ । 

ଏଭଳି ସ୍ଥିତିରେ  ଟ୍ରମ୍ପ୍‌ ପ୍ରଶାସନ ୟୁରୋପକୁ ସହାୟତା ଦେବା  ଆଶା ଅତ୍ୟନ୍ତ କ୍ଷୀଣ । ଏଭଳି ଆଶଙ୍କାକୁ ଏଡ଼ାଇବା ସକାଶେ  ବ୍ରିଟେନ୍‌ ଓ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ  ଏବେଠାରୁ ସତର୍କ ହୋଇଯିବା ଜରୁରି ।  ସେମାନେ ବିଳମ୍ବ ନ କରି ୟୁକ୍ରେନୀୟ  ସେନା ଲାଗି ବିକଶିତ ଯୁଦ୍ଧାସ୍ତ୍ରର ଏକ  ଶକ୍ତିଶାଳୀ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିଦେବା  ଆବଶ୍ୟକ । ନାଟୋକୁ କିଭଳି ପ୍ରତିରକ୍ଷା  ଦୃଷ୍ଟିରୁ ସଶକ୍ତ ତଥା ଆତ୍ମନିର୍ଭରଶୀଳ କରାଯାଇ ପାରିବ, ସେଥିଲାଗି ଚିନ୍ତା କରିବା  ଉଚିତ । ଏହାଦ୍ୱାରା ପୁଟିନ୍‌ଙ୍କୁ ଏକ ବଡ଼  ସଂକେତ ଯିବ ଯେ ବାଲ୍‌ଟିକ୍‌ ରାଷ୍ଟ୍ରଙ୍କୁ ସେ  ଯଦି ନିଜ ସେନା ପଠାନ୍ତି, ତେବେ ୟୁରୋପ  ଚୁପ୍‌ ନ ବସି କଡ଼ା ଜବାବ ଦେବ ।

ସେ ଆହୁରି ଦର୍ଶାଇଛନ୍ତି ଯେ ୟୁକ୍ରେନ୍‌  ଯୁଦ୍ଧବିରତି ଲାଗି ଯଦି ଆମେରିକା ପ୍ରାୟୋଜିତ  ଚୁକ୍ତି ସ୍ୱାକ୍ଷର ହୁଏ, ତେବେ ପରିସ୍ଥିତି  ବଦଳିବ ନାହିଁ। ବରଂ ଏହାଦ୍ୱାରା ୟୁକ୍ରେନ୍‌  ଉପରେ ରୁଷ୍‌ର ବିଜୟ ନିଶ୍ଚିତ ହୋଇଯିବ ।  ପୁଟିନ୍‌ ନିଜ ବିଜୟ ଘୋଷଣା କରିବାକୁ  ସୁଯୋଗ ପାଇବେ । ଏଥିସହ ସେ ନିଜ  ସେନାକୁ ଆହୁରି ବଳଶାଳୀ କରିବେ ।  ୟୁକ୍ରେନ୍‌କୁ ଜିତିବା ପରେ ପୁଟିନ୍‌ ବାଲ୍‌ଟିକ୍‌  ଦେଶଗୁଡ଼ିକ ଉପରେ ଘାତକ ଆକ୍ରମଣ  କରିବେ । 

ରୁଷ୍‌ର ସମ୍ଭାବ୍ୟ ଆକ୍ରମଣରେ ବାଲ୍‌ଟିକ୍‌  ଦେଶଗୁଡ଼ିକ ୟୁକ୍ରେନ୍‌ର ମାରିଉପୋଲ୍‌  ସହର ଭଳି ଧ୍ୱଂସ ହୋଇଯିବେ । ଏଠାରେ  ମଧ୍ୟ ମାରିଉପୋଲ୍‌ ଭଳି ଗଣହତ୍ୟା ହେବା  ସହ ବହୁ ସଂଖ୍ୟାରେ ପିଲାଙ୍କୁ ଅନ୍ୟତ୍ର  ଚାଲାଣ କରାଯିବ । ମହିଳାମାନଙ୍କୁ ବଳାତ୍କାର  କରାଯିବ । ରୁଷ୍‌ର ପ୍ରତ୍ୟେକ ଆକ୍ରମଣରେ  ଏହିସବୁ ଘଟଣା ଘଟିବା ସ୍ୱାଭାବିକ ପାଲଟିଛି । 

ସାର୍‌ ଶେରିଫ୍‌ଙ୍କ ବ୍ୟତୀତ  ଆମେରିକାର ପୂର୍ବତନ ଶୀର୍ଷ ସେନା  ଜେନେରାଲ ବେନ୍‌ ହୋଜେସ୍‌ ମଧ୍ୟ ସମାନ  କଥା ଆକଳନ କରିଛନ୍ତି । ସେ କହିଛନ୍ତି,  ରୁଷ୍‌ର ମିସାଇଲ୍‌ଗୁଡ଼ିକ ବିମାନବନ୍ଦର ଓ  ବନ୍ଦରଗୁଡ଼ିକୁ ଟାର୍ଗେଟ୍‌ କରିବ । ଏଥିସହ  ପୋଲାଣ୍ଡ ଓ ରୋମାନିଆ ଦେଇ ନାଟୋର ପୂର୍ବ ଘାଟିଗୁଡ଼ିକରେ ଆକ୍ରମଣ କରାଯିବ ।  କାଇନେଟିକ୍‌ ଷ୍ଟ୍ରାଇକ୍‌ ଓ ସାଇବର ଆକ୍ରମଣ  ଭଳି ଘଟଣା ଘଟିବ । 

ସାର୍‌ ଶେରିଫ୍‌ କହିଛନ୍ତି, ରୁଷ୍‌  ତୁଳନାରେ ୟୁରୋପୀୟ ଅର୍ଥନୀତି ୧୦  ଗୁଣା ଅଧିକ ବଡ଼ । କିନ୍ତୁ ଟ୍ରମ୍ପ୍‌ ପ୍ରଶାସନ  ଯଦି ନାଟୋ ଛାଡ଼େ, ତେବେ ଆମେରିକା  ସେନାର ଦକ୍ଷତାର ଅଭାବ ଅନୁଭୂତ ହେବ ।  ତଥାପି ୟୁରୋପ ଚାହିଁଲେ ନିଜକୁ ସଶକ୍ତ  କରିପାରିବ । ଏଥିପାଇଁ ସମୟ ଓ ଅଧିକ  ଉଦ୍ୟମ ଲାଗିପାରେ । କିନ୍ତୁ ଏହା ଅସମ୍ଭବ  ନୁହେଁ । ନେତୃତ୍ୱ ଓ ସମର୍ପଣଭାବ ରହିବା  ଅପରିହାର୍ଯ୍ୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.