ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି ସରକାର ଗଠନ ହେବା ପରଠାରୁ ବିଭିନ୍ନ ନିଷ୍ପତ୍ତିରେ ପରିବର୍ତ୍ତନ ହେଉଥିବା ଦୃଶ୍ୟମାନ ହେଉଛି । ସୂଚନା ମୁତାବକ, ନୂତନ ସରକାର ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ସହ ଜଡିତ ଆଇନଗତ ମାମଲା ଗୁଡ଼ିକର ସମୀକ୍ଷା ଆରମ୍ଭ କରିଛନ୍ତି ଏବଂ ଅନେକ ମାମଲା ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତଥାପି, ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ କିନ୍ତୁ ଯାହା ବିଶ୍ୱାସ କରାଯାଉଛି, ଏହି ପ୍ରସଙ୍ଗଟି ଖୁବ୍ ଶୀଘ୍ର ବିଧାନସଭାରେ ଆଲୋଚନା ହୋଇପାରେ।
ଦିଲ୍ଲୀର ପୂର୍ବତନ ଆମ ଆଦମୀ ପାର୍ଟି (ଆପ୍) ସରକାର ଏବଂ ଉପରାଜ୍ୟପାଳ(ଏଲଜି)ଙ୍କ ମଧ୍ୟରେ ନିରନ୍ତର ବିବାଦ ଲାଗି ରହିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ସରକାର ଅନେକ ଥର ଉପରାଜ୍ୟପାଳଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲେ। ବିଶେଷକରି ବିଭିନ୍ନ ସରକାରୀ ନିଷ୍ପତ୍ତି, ଫାଇଲର ଅନୁମୋଦନ, ଅଧିକାରୀଙ୍କ ନିଯୁକ୍ତି ଏବଂ ବଦଳି ଭଳି ମାମଲାରେ ଉଭୟଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା।
ଏହି ବିବାଦ ଯୋଗୁଁ, ଆପ ସରକାର ଅନେକ ଥର କୋର୍ଟର ଦ୍ୱାରସ୍ଥ ହୋଇଥିଲା ଏବଂ କିଛି ମାମଲାରେ, ଉପରାଜ୍ୟପାଳଙ୍କ ବିରୁଦ୍ଧରେ କୋର୍ଟର ହସ୍ତକ୍ଷେପ ଲୋଡା ଯାଇଥିଲା। ଏବେ, କ୍ଷମତା ପରିବର୍ତ୍ତନ ସହିତ, ଏହି ମାମଲା ଗୁଡ଼ିକୁ ପ୍ରତ୍ୟାହାର କରିବା ବିଷୟରେ ଆଲୋଚନା ହେଉଛି।
ସୂତ୍ର ଅନୁଯାୟୀ, ନୂତନ ସରକାର ବିଶ୍ୱାସ କରନ୍ତି ଯେ ଏହି ମାମଲା ଗୁଡ଼ିକରେ ରାଜନୈତିକ ବିଦ୍ୱେଷର ଭାବନା ଥିଲା ଏବଂ ଏବେ ସେଗୁଡ଼ିକୁ ଆଗକୁ ନେବାର କୌଣସି ଯଥାର୍ଥତା ନାହିଁ। ବିଜେପି ସରକାର ଚାହେଁ ଯେ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ହେଉ ଏବଂ ଅନାବଶ୍ୟକ ଆଇନଗତ ଲଢ଼େଇରେ ସମୟ ଏବଂ ସମ୍ବଳ ନଷ୍ଟ ନ ହେଉ।