ମୁମ୍ବାଇ ୧୨/୦୩: ବଲିଉଡ୍ ଅଭିନେତା ଆମିର ଖାନ୍ ଅନେକ ସମାଜକଲ୍ୟାଣ ମୂଳକ କାମ କରୁଥିବାବେଳେ ନିଜର ନମ୍ର ସ୍ୱଭାବ ଲାଗି ମଧ୍ୟ ପରିଚିତ । ନିକଟରେ ତାଙ୍କର ଏହି ମହାନ୍ ଗୁଣର ଆଉ ଏକ ଝଲକ ଦେଖିବାକୁ ମିଳିଥିଲା । ସେ କୁସ୍ତିଯୋଦ୍ଧା କୃପାଶଙ୍କର ପଟେଲ୍ଙ୍କ ପାଦ ଛୁଇଁଥିଲେ । ଅର୍ଜ୍ଜୁନ ପୁରସ୍କାର ବିଜେତା ପଟେଲଙ୍କୁ ଆମିର ନିଜ କୁସ୍ତି ଗୁରୁ ବୋଲି ମାନନ୍ତି । ‘ଦଙ୍ଗଲ’ ଚଳଚ୍ଚିତ୍ରର ସୁଟିଂ ସମୟରେ ତାଙ୍କଠାରୁ କୁସ୍ତି ଶିଖିଥିଲେ ଆମିର ।
ଏପରିସ୍ଥଳେ ସୋମବାର ସେ କୃପାଶଙ୍କରଙ୍କ ସମେତ କିଛି କୁସ୍ତିଯୋଦ୍ଧାଙ୍କୁ ମୁମ୍ବାଇସ୍ଥିତ ନିଜ ଘରକୁ ନିମନ୍ତ୍ରଣ କରିଥିଲେ । ସେଠାରେ କୃପାଶଙ୍କରଙ୍କୁ ଦେଖିବା ମାତ୍ରେ ଆମିର ତାଙ୍କର ପାଦ ଛୁଇଁଥିଲେ । ସେ ଯେତେ ଅଟକାଇଥିଲେ ମଧ୍ୟ ଆମିର ମାନିନଥିଲେ । ଏହାପରେ ତାଙ୍କୁ ଆଲିଙ୍ଗନ କରି କହିଥିଲେ ଯେ, ଆପଣଙ୍କୁ ଦେଖିଲେ ପ୍ରେରଣା ମିଳିଥାଏ । କୁସ୍ତିକ୍ଷେତ୍ରରେ ଆପଣଙ୍କର ଯୋଗଦାନକୁ ଦେଶ ସବୁବେଳେ ମନେ ରଖିବ । ଉଭୟଙ୍କର ଏହି ସାକ୍ଷାତର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।