ନୂଆଦିଲ୍ଲୀ ୦୯/୦୭: ଭାରତୀୟ ବକ୍ସ ଅଫିସ୍ରେ ଭଲ ବ୍ୟବସାୟ କରୁଛି ‘ଜୁରାସିକ୍ ୱର୍ଲଡ୍: ରିବାର୍ଥ’ । ଗତ ୪ ତାରିଖରେ ଭାରତରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମ ପ୍ରଥମ ସପ୍ତାହାନ୍ତରେ ବହୁତ ଭଲ କଲେକ୍ସନ୍ କରିଛି । ଭାରତରେ ଏହା ପ୍ରଥମ ଦିନ ପ୍ରାୟ ୯.୨୫ କୋଟି ବ୍ୟବସାୟ କରିଥିଲା । ୨ୟ ଦିନ ଆୟ ବଢ଼ି ୧୩.୫ କୋଟି ହେଲା । ୩ୟ ଦିନ ଅର୍ଥାତ୍ ରବିବାର ୧୬.୨୫ କୋଟି କଲେକ୍ସନ୍ କଲା ‘ଜୁରାସିକ୍ ୱର୍ଲଡ୍: ରିବାର୍ଥ’ । ଏଥିସହିତ ପ୍ରଥମ ୩ ଦିନରେ ଫିଲ୍ମଟି ଭାରତରେ ମୋଟ୍ ୩୯ କୋଟି କଲେକ୍ସନ୍ କଲା । ଅନ୍ୟପକ୍ଷେ, ଫିଲ୍ମର ଗ୍ରସ୍ କଲେକ୍ସନ୍ ପ୍ରଥମ ସପ୍ତାହାନ୍ତରେ ୪୭ କୋଟି ହୋଇଛି । ଏହା ‘ଜୁରାସିକ୍ ୱର୍ଲଡ୍: ଡୋମିନିୟନ’ର ପ୍ରଥମ ସପ୍ତାହାନ୍ତ କଲେକ୍ସନ୍ଠୁ ଅଧିକ । ‘ଜୁରାସିକ୍ ୱର୍ଲଡ୍: ଡୋମିନିୟନ୍’ ପ୍ରଥମ ସପ୍ତାହାନ୍ତରେ ୪୪ କୋଟି ବ୍ୟବସାୟ କରିଥିଲା ।
ସୋମବାର ‘ଜୁରାସିକ୍ ୱର୍ଲଡ୍: ରିବାର୍ଥ’ ଭାରତରେ ୪.୨୫ କୋଟି କଲେକ୍ସନ୍ କରିଥିଲା । ଏଥିସହିତ ଭାରତୀୟ ବକ୍ସ ଅଫିସ୍ରେ ଫିଲ୍ମର ନେଟ୍ କଲେକ୍ସନ୍ ହାରାହାରି ୪୩.୨୫ କୋଟି ହୋଇଛି । ଫିଲ୍ମର ଇଂରାଜୀ ସଂସ୍କରଣ ସବୁଠୁ ଅଧିକ ଆୟ କରୁଛି । ହିନ୍ଦୀ, ତାମିଲ ଓ ତେଲୁଗୁ ଡବ୍ ସଂସ୍କରଣ ଦେଖିବାକୁ ମଧ୍ୟ ଦର୍ଶକଙ୍କ ଭିଡ଼ ଜମୁଛି । ଅନ୍ତର୍ଜାତୀୟ ସ୍ତରରେ ଫିଲ୍ମ ବହୁତ ଭଲ ବ୍ୟବସାୟ କରୁଛି । ପ୍ରଥମ ସପ୍ତାହାନ୍ତର ବ୍ୟବସାୟ ଆଶାଠୁ ଅଧିକ ଅର୍ଥାତ୍ ୨୫୦୦ କୋଟି ପାର କରିଛି । ଫିଲ୍ମଟି ବିଦେଶରେ ଗତ ୨ ତାରିଖରେ ରିଲିଜ୍ ହୋଇଥିଲା । ୫ ଦିନରେ ବିଶ୍ୱସ୍ତରରେ ଏହା ପ୍ରାୟ ୧୪୯୮ କୋଟି ଟଙ୍କା କଲେକ୍ସନ୍ କରିଛି । ଏଥିସହିତ ବିଶ୍ୱସ୍ତରରେ ଫିଲ୍ମର ମୋଟ୍ ଆୟ ୨୭୬୩ କୋଟି ଟଙ୍କା ହୋଇଛି ।
ଏହା ଜୁରାସିକ୍ ଫ୍ରାଞ୍ଚାଇଜିର ଇତିହାସରେ ୨ୟ ସବୁଠୁ ବଡ଼ ବୈଶ୍ୱିକ ଓପ୍ନର ଏବଂ ୨୦୨୫ରେ କୌଣସି ହଲିଉଡ୍ ଫିଲ୍ମର ସବୁଠୁ ବଡ଼ ଅନ୍ତର୍ଜାତୀୟ ଶୁଭାରମ୍ଭ । ଭାରତ ଓ ଆମେରିକା ସମେତ ଚୀନ୍, ବ୍ରିଟେନ ଓ ମେକ୍ସିକୋରେ ଫିଲ୍ମ ଭଲ ବ୍ୟବସାୟ କରୁଛି । ୧୫୪୧ କୋଟି ବଜେଟ୍ରେ ପ୍ରସ୍ତୁତ ‘ଜୁରାସିକ୍ ୱର୍ଲଡ୍: ରିବାର୍ଥ’ ଭିଏଫଏକ୍ସ ପାଇଁ ଖୁବ୍ ପ୍ରଶଂସା ସାଉଁଟୁଛି । ଫିଲ୍ମରେ ସ୍କାରଲେଟ୍ ଜୋହାନସନଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏହା ମାଧ୍ୟମରେ ସ୍କାରଲେଟ୍ ବିଶ୍ୱସ୍ତରରେ ସର୍ବାଧିକ ଆୟ କରିଥିବା ଅଭିନେତ୍ରୀ ହୋଇଛନ୍ତି । ଗ୍ୟାରେଥ୍ ଏଡ୍ୱର୍ଡସ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜୋନାଥନ୍ ବେଲି ଓ ମେହର୍ଶାଲା ଅଲି ମୁଖ୍ୟ ଭୂମିକାରେ ଅଛନ୍ତି ।