ନୂଆଦିଲ୍ଲୀ, ୧୨/୦୩ : ମରିସସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦେଶ ମଧ୍ୟରେ ୮ ଚୁକ୍ତି ସ୍ଵାକ୍ଷର। ବୁଧବାର ପିଏମ୍ ମୋଦି ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମଙ୍କ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ହୋଇଛି। ଏହି ସମୟରେ ଭାରତ ଏବଂ ମରିସସ୍ ମଧ୍ୟରେ ବହୁ ଗୁରୁତ୍ଵପୂର୍ଣ୍ଣ ବୁଝାମଣା ହୋଇଛି।
୧- ସ୍ଥାନୀୟ ମୁଦ୍ରା ସମାଧାନ ପ୍ରଣାଳୀ ଉପରେ ମରିସସ୍ର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
୨- ପାଇପ୍ ପ୍ରତିସ୍ଥାପନ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ରୀୟ ଜଳ ପ୍ରାଧିକରଣର ଚାଲୁଥିବା ପ୍ରକଳ୍ପଗୁଡ଼ିକୁ ଆର୍ଥିକ ସହାୟତା ପାଇଁ ମରିସସ୍ ସରକାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଋଣ ସୁବିଧା ଉପରେ ଚୁକ୍ତିନାମା
୩-କୂଟନୀତିଜ୍ଞଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ପାଇଁ ଭାରତୀୟ ବୈଦେଶିକ ସେବା ପ୍ରତିଷ୍ଠାନ ଏବଂ ମରିସସ୍ର ବୈଦେଶିକ ବ୍ୟାପାର, ଆଞ୍ଚଳିକ ସମନ୍ୱୟ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର
୪- ଭାରତୀୟ ନୌସେନା ଏବଂ ମରିସସ୍ ପୋଲିସ ବାହିନୀ ମଧ୍ୟରେ 'ହ୍ଵାଇଟ୍ ସିପିଂ' ସୂଚନା ଆଦାନପ୍ରଦାନ ପାଇଁ ବୈଷୟିକ ଚୁକ୍ତିନାମା
୫-ମରିସସ୍ର ଆର୍ଥିକ ଅପରାଧ କମିଶନ ଏବଂ ଭାରତର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟରେ ବୁଝାମଣାପତ୍ର
୬-ମରିସସ୍ର ଶିଳ୍ପ, କ୍ଷୁଦ୍ର ଏବଂ ସମବାୟ ମନ୍ତ୍ରଣାଳୟ ଏବଂ ଭାରତର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର
୭-ମରିସସ୍ର ଲୋକସେବା ଏବଂ ପ୍ରଶାସନିକ ସଂସ୍କାର ମନ୍ତ୍ରଣାଳୟ ଏବଂ ଭାରତର ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ, ଜାତୀୟ ସୁଶାସନ କେନ୍ଦ୍ର ମଧ୍ୟରେ ସରକାରୀ ଅଧିକାରୀଙ୍କ ତାଲିମ ପାଇଁ ବୁଝାମଣାପତ୍ର
୮-ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର, ଭାରତର ଭୂବିଜ୍ଞାନ ମନ୍ତ୍ରଣାଳୟ ଏବଂ ମରିସସ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମହାଦେଶୀୟ ସେଲଫ୍, ସାମୁଦ୍ରିକ କ୍ଷେତ୍ର ପ୍ରଶାସନ ଏବଂ ଅନୁସନ୍ଧାନ ବିଭାଗ ମଧ୍ୟରେ ବୁଝାମଣାପତ୍ର
ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ମରିସସ୍ର ସମସ୍ତ ନାଗରିକଙ୍କୁ ରାଷ୍ଟ୍ରୀୟ ଦିବସର ଶୁଭକାମନା ଜଣାଉଛି। ମୋର ସୌଭାଗ୍ୟ ଯେ, ମରିସସ୍ର ରାଷ୍ଟ୍ରୀୟ ଦିବସରେ ସାମିଲ ହେବାକୁ ମୋତେ ସୁଯୋଗ ମିଳିଛି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ଏବଂ ମରିସସ୍ ସରକାରଙ୍କୁ କୃତଜ୍ଞତା ଜଣାଉଛି। ଭାରତ ଏବଂ ମରିସସ୍ର ସମ୍ପର୍କ କେବଳ ପ୍ରଶାନ୍ତ ମହାସାଗରରେ ସୀମିତ ନାହିଁ। ସାଂସ୍କୃତିକ ପରମ୍ପରା ସହିତ ଆମର ମୂଲ୍ୟବୋଧ ଜଡ଼ିତ। ସାମାଜିକ ଏବଂ ଆର୍ଥିକ ରାସ୍ତାରେ ଆମେ ଦୁହେଁ ଦୁହିଁଙ୍କର ସାଥୀ। ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ଵା କୋଭିଡ୍ ଆମେ ସର୍ବଦା ଜଣେ ଅନ୍ୟ ଜଣଙ୍କ ପାଖରେ ଠିଆ ହୋଇଛୁ।
ସେହିପରି ମରିସସ୍ର ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ କହିଛନ୍ତି ଯେ, 'ପ୍ରଧାନମନ୍ତ୍ରୀ ମୋଦି ୫୭ତମ ସ୍ଵାଧୀନତା ଦିବସ ସମାରୋହରେ ଉପସ୍ଥିତ ରହି ଆମକୁ ସମ୍ମାନିତ କରିଛନ୍ତି।' ତାଙ୍କର ବିଶିଷ୍ଟ ଉପସ୍ଥିତି ଦୁଇ ଦେଶ ମଧ୍ୟରେ ଅନନ୍ୟ ଏବଂ ସ୍ୱତନ୍ତ୍ର ସମ୍ପର୍କର ପ୍ରମାଣ।