ନୂଆଦିଲ୍ଲୀ: ଅଡୁଆରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅବଦୁଲ୍ଲା ଆଜମ ଖାନ । ଷ୍ଟାମ୍ପ ଚୋରି ମାମଲାରେ ଡିଏମ୍ କୋର୍ଟ ଅବଦୁଲ୍ଲା ଆଜମ ଖାନଙ୍କୁ ୩ କୋଟି ୭୧ ଲକ୍ଷ ୮୭୮ ଟଙ୍କା ଜରିମାନା କରିଛନ୍ତି। ପ୍ରକୃତରେ, ଅବଦୁଲ୍ଲା ଆଜମ ଖାନ ୨୬ ବିଘା ଜମି କିଣିଥିଲେ, ଯେଉଁଥିରେ କମ୍ ଷ୍ଟାମ୍ପ ପେପର ଲଗାଇ ଚୋରି କରାଯାଇଥିଲା। ଆଉ ଏହି ମାମଲାରେ ତଦନ୍ତ ଚାଲିଥିଲା।
ରାମପୁର ଡିଏମ୍ ଜୋଗିନ୍ଦର ସିଂହ ତାଙ୍କ କୋର୍ଟରେ ଅବଦୁଲ୍ଲା ଆଜମ ଖାନଙ୍କ ଦ୍ୱାରା ହୋଇଥିବା ଷ୍ଟାମ୍ପ ଚୋରିର ବିସ୍ତୃତ ତଦନ୍ତ କରିବା ପରେ, ଷ୍ଟାମ୍ପ ଚୋରି ଚିହ୍ନଟ କରିଥିଲେ । ଆଉ ଏହି ସମୟରେ ଅବଦୁଲ୍ଲା ଆଜମଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡିଏମ୍ କୋର୍ଟ ୩ କୋଟି ୭୧ ଲକ୍ଷ ୮୭୮ ଟଙ୍କା ଜରିମାନା କରିଛନ୍ତି। ହେଲେ ଅବଦୁଲ୍ଲା ଆଜମ ଆଜି ଡିଏମ୍ କୋର୍ଟରେ ହାଜର ହୋଇ ନଥିଲେ।
ସମାଜବାଦୀ ପାର୍ଟି (ସପା) ନେତା ଅବଦୁଲ୍ଲା ଆଜମ ଖାନ ପ୍ରାୟ ଦେଢ଼ ବର୍ଷ ପରେ ଫେବୃଆରୀ ୨୦୨୫ ରେ ହରଦୋଇ ଜିଲ୍ଲା ଜେଲରୁ ମୁକ୍ତ ହୋଇଥିଲେ। କଡ଼ା ସୁରକ୍ଷା ମଧ୍ୟରେ ଅବଦୁଲ୍ଲା ଆଜମ ଜେଲ୍ ଗେଟ୍ ବାହାରକୁ ଆସିଲେ। ସେ କାହାକୁ ନ ଭେଟି ଏବଂ ଗଣମାଧ୍ୟମ ସହ କଥା ନ ହୋଇ ରାମପୁର ଚାଲିଗଲେ।